ଏହିଭଳି ବ୍ୟକ୍ତିଙ୍କ ଘରେ ଭୁଲରେ ବି କରନ୍ତୁନି ଭୋଜନ: ଜୀବନରେ ଦେଖା ଦେଇପାରେ ସମସ୍ୟା, ଜାଣନ୍ତୁ କାହିଁକି

Published By : Prameya-News7 Bureau | October 06, 2021 IST

ଭୁବନେଶ୍ୱର ୦୬/୧୦ : ୧୮ ପୁରାଣ ମଧ୍ୟରୁ ଗରୁଡ ପୁରାଣ ଗୋଟିଏ। ଏଥିରେ ଶ୍ରୀ ହରି ନାରାୟଣ ଓ ଗରୁଡ ପକ୍ଷୀ ମଧ୍ୟରେ ହୋଇଥିବା କଥାବାର୍ତ୍ତା ବିଷୟରେ କୁହାଯାଇଛି। ଏଥିରେ ଜନ୍ମରୁ ମୃତ୍ୟୁ ପରର ନୀତି ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ଘରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେ ଗରୁଡ ପୁରାଣ ନିଶ୍ଚୟ ପାଠ କରିବା ଉଚିତ ବୋଲି କୁହାଯାଏ। କାରଣ ଗରୁଡ ପୁରାଣ ମୃତ୍ୟୁ ଓ ମୃତ୍ୟୁ ପରବର୍ତ୍ତୀ ଘଟଣାକ୍ରମ ସ୍ଥିତି ବର୍ଣ୍ଣନା କରିଥାଏ। ଗରୁଡ ପୁରାଣ ଅଚାରଖଣ୍ଡରେ ଏମିତି ଅନେକ କଥା ଉଲ୍ଲେଖ କରାଯାଇଛି ଯାହା ବ୍ୟକ୍ତିଙ୍କ ତମାମ ପାପରୁ ମୁକ୍ତି ଦେବାରେ ସହାୟକ ହୋଇଥାଏ ଓ ଜୀବନ ସୁଧାରିବାରେ ସାହାଯ୍ୟ କରିଥାଏ।

ଯଦି ଗରୁଡ ପୁରାଣକୁ ଅନୁସରଣ କରାଯାଏ ତାହେଲେ ମୃତ୍ୟୁ ପରେ ସଦ୍ଗତି ପ୍ରାପ୍ତ ହୋଇଥାଏ। ଏହି ପୁରାଣର ବାସ୍ତବିକ ଉଦ୍ଦେଶ୍ୟ ଲୋକଙ୍କୁ ସଠିକ ରାସ୍ତା ଦେଖାଇବା। ଗରୁଡ ପୁରାଣ ଅନୁସାରେ କିଛି ବ୍ୟକ୍ତିଙ୍କ ଘରେ ଭୋଜନ କରିବା ଧାର୍ମିକ ବିବେଚନା କରାଯାଏ ନାହିଁ। ଏହାଦ୍ୱାରା ବ୍ୟକ୍ତିର ପାପର ଭାଗିଦାର ହୋଇଥାଏ। କେଉଁମାନଙ୍କ ଘରେ ଭୋଜନ କରିବା ଅନୁଚିତ ଆସନ୍ତୁ ଜାଣିବା:

ଚୋର କିମ୍ବା ଅପରାଧୀ - ଗରୁଡ ପୁରାଣ ଅନୁଯାୟୀ କୌଣସି ଚୋର କିମ୍ବା ଅପରାଧୀ ଘରେ ଭୋଜନ କଲେ ବ୍ୟକ୍ତି ମଧ୍ୟ ପାପର ଭାଗିଦାରୀ ହୋଇପାରେ। ବ୍ୟକ୍ତିଙ୍କ ବିଚାର ମଧ୍ୟ ସେମାନଙ୍କ ଭଳି ଦୂଷିତ ହୋଇଯାଏ ବୋଲି କୁହାଯାଏ।

ଭୁଲ ବାଟରେ ରୋଜଗାର କରୁଥିବା - ଗରୁଡ ପୁରାଣରେ କୁହାଯାଇଛି ଯେ ଭୁଲ ବାଟରେ ରୋଜଗାର କରିଥିବା ଟଙ୍କା ସବୁବେଳେ ଅଶୁଭ ଫଳ ଦେଇଥାଏ। ଅନ୍ୟମାନଙ୍କ ବିବଶତାର ଫାଇଦା ଉଠାଇ ଆୟ କରୁଥିବା ବ୍ୟକ୍ତିଙ୍କ ଘରେ ଭୁଲରେ ମଧ୍ୟ ଭୋଜନ କରିବା ଉଚିତ ନୁହେଁ।

ନିଶା ଦ୍ରବ୍ୟ ବ୍ୟବସାୟୀ - ନିଶା ଦ୍ରବ୍ୟ କାରବାର କରୁଥିବା ବ୍ୟକ୍ତି ଅନେକ ଲୋକଙ୍କ ଜୀବନ ବରବାଦ କରିଥାନ୍ତି। ଏପରିକି ଲୋକଙ୍କ ପରିବାର ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରିଥାନ୍ତି। ଗରୁଡ ପୁରାଣ ଅନୁସାରେ ଏହିଭଳି ବ୍ୟକ୍ତିଙ୍କ ଘରେ ପାଦ ବି ରଖିବା କଥା ନୁହେଁ। ଏମିତି ଲୋକଙ୍କ ଘରେ ଭୋଜନ କଲେ ବ୍ୟକ୍ତି ପାପର ଭାଗିଦାର ହୋଇଥାଏ।

ରୋଗୀଣା ବ୍ୟକ୍ତି - ଯଦି କୌଣସି ବ୍ୟକ୍ତିଙ୍କ ଘରେ ବହୁ ଦିନରୁ ରୋଗ ବିସ୍ତାର କରୁଥାଏ ତାହେଲେ ଏମିତି ଲୋକଙ୍କ ଘରକୁ ଯିବା ଅନୁଚିତ। ଏମିତି ଲୋକଙ୍କ ଘରକୁ ଗଲେ ବ୍ୟାକ୍ଟେରିଆ ବିସ୍ତାର କରିବାର ସମ୍ଭାବନା ଥାଏ। ସେଥିପାଇଁ ଏମାନଙ୍କ ଘରକୁ ଯିବା ଅନୁଚିତ।

ଚରିତ୍ରହୀନ ସ୍ତ୍ରୀ - ଗରୁଡ ପୁରାଣ ଅନୁଯାୟୀ ଚରିତ୍ରହୀନ ସ୍ତ୍ରୀ ଘରେ ଭୁଲରେ ଭୋଜନ କରିବା ଉଚିତ ନୁହେଁ। ଯାହାର ଚରିତ୍ର ଖରାପ ସେମାନଙ୍କ ଘରେ ପାଦ ରଖିଲେ ଆପଣଙ୍କ ଚରିତ୍ର ଉପରେ ମଧ୍ୟ ଆଙ୍ଗୁଳି ଉଠିଥାଏ। ସେଥିପାଇଁ ଏମିତି ଲୋକଙ୍କ ଘରକୁ ନ ଯିବା ଉଚିତ।

କ୍ରୋଧୀ ବ୍ୟକ୍ତି - କଥାରେ ଅଛି ବ୍ୟକ୍ତି ଯେମିତି ଭୋଜନ କରେ ତା ମନ ସେମିତି ହୋଇଥାଏ। ଯଦି ଆପଣ କ୍ରୋଧୀ ବ୍ୟକ୍ତିଙ୍କ ଘରେ ଭୋଜନ କରନ୍ତି ତାହେଲେ ଆପଣଙ୍କ ଭିତରେ ମଧ୍ୟ କ୍ରୋଧ ଭାବନା ଜାଗ୍ରତ ହେବ। ସେଥିପାଇଁ ଏମିତି ବ୍ୟକ୍ତିଙ୍କ ଘରେ ଭୁଲରେ ବି ଭୋଜନ କରିବା ଉଚିତ ନୁହେଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.