BDAରେ କରୋନା, ସିକ୍ୟୁରିଟି ଗାର୍ଡ ସଂକ୍ରମିତ : ଏବେ ସତର୍କତା‌

Published By : Prameya-News7 Bureau | June 27, 2020 IST

ଭୁବନେଶ୍ୱର ୨୭।୦୬ : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଅଫିସରେ କରୋନା ଭୟ । ଜଣେ ସିକ୍ୟୁରିଟି ଗାର୍ଡ ପଜିଟିଭ୍‌ ଚିହ୍ନଟ ହେବା ପରେ ପୂରା ଅଫିସରେ କୋକୁଆ ଭୟ ଖେଳିଯାଇଛି । ସନ୍ଧ୍ୟାରେ ସମ୍ପୂର୍ଣ୍ଣ ଅଫିସକୁ ବିଶୋଧନ କରାଯାଇଛି । ଆସନ୍ତା ଦୁଇଦିନ ଛୁଟି ଥିବାରୁ କର୍ମଚାରୀମାନଙ୍କୁ ଘରେ ରହିବାକୁ କୁହାଯାଇଛି ।  

ଶୁକ୍ରବାର ଅପରାହ୍ନ ପ୍ରାୟ ସାଢେ ୪ଟା ବେଳେ କେଶରୀ ହଲ୍‌ ପାଖରେ ଏକ ଆମ୍ବୁଲାନ୍ସ ଲାଗିଲା । ପିପିଇ କିଟ୍‌ ପିନ୍ଧିଥିବା ମେଡିକାଲ ଟିମ୍‌ ବିଡିଏ ଅଫିସରୁ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ଡକାଇଲେ । ପଜିଟିଭ୍‌ ଚିହ୍ନଟ ହୋଇଥିବାରୁ ସିକ୍ୟୁରିଟି ଗାର୍ଡଙ୍କୁ ଆମ୍ବୁଲାନ୍ସରେ କୋଭିଡ୍‌ ହସ୍ପିଟାଲ ନିଆଗଲା । ଏହି ସିକ୍ୟୁରିଟି ଗାର୍ଡ ଜଣଙ୍କ ଦ୍ୱିତୀୟ ମହଲାରେ ଥିବା ପ୍ଲାନିଂ ସେକ୍ସନ୍‌ ଗେଟ୍‌ ଆଗରେ ଡ୍ୟୁଟି କରୁଥିଲେ । ନିକଟରେ ସେ ଆଖି ଅପରେସନ ପାଇଁ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ । ସେଠାରେ ଅପରେସନ ପୂର୍ବରୁ କୋଭିଡ୍‌ ଟେଷ୍ଟ କରାଯାଇଥିଲା । ରିପୋର୍ଟ ପଜିଟିଭ୍‌ ଆସିଛି ।  

ଏହି ଖବର ପ୍ରଚାର ହେବା ପରେ ବିଡିଏ ଅଫିସର ସମସ୍ତ କର୍ମଚାରୀଙ୍କୁ ଅଫିସ ଖାଲି କରିବାକୁ କୁହାଯାଇଥିଲା । ପରେ ପୂରା ଅଫିସକୁ ସାନିଟାଇଜ୍‌ କରାଯାଇଥିଲା । ବିଡିଏ କର୍ତ୍ତୃପକ୍ଷ କହିଛନ୍ତି, ଏହି ସିକ୍ୟୁରିଟି ଗାର୍ଡ ଜଣକ ବିଡିଏ କର୍ମଚାରୀ ନୁହନ୍ତି । ସେ କେବଳ ଗେଟ୍‌ ପାଖରେ ରହୁଥିଲେ । ଦୁଇ ଦିନ ସଟ୍‌ଡାଉନ ପାଇଁ ଛୁଟି ରହିଛି । କର୍ମଚାରୀ ଅଫିସ ଆସିବେନି । ତେଣୁ ଅଫିସ୍‌ ସିଲ୍‌ କରିବାର ଆବଶ୍ୟକତା ନାହିଁ ।  

କର୍ତ୍ତୃପକ୍ଷଙ୍କ ଆଶ୍ୱସ୍ତି ସତ୍ତେ୍ୱ କର୍ମଚାରୀଙ୍କ ମନରୁ ଭୟ ଯାଉନି । ବିଡିଏ ଅଫିସରେ ୪୦୦ରୁ ଅଧିକ କର୍ମଚାରୀ ଥିବାବେଳେ ପ୍ଲାନିଂ ସେକ୍ସନ୍‌ରେ ପାଖାପାଖି ୪୦ ଜଣ କାମ କରନ୍ତି । ଏହି ବିଭାଗକୁ ପ୍ରତିଦିନ ଆର୍କିଟେକ୍‌, ବିଲ୍ଡରଙ୍କ ସମେତ ସାଧାରଣ ଲୋକ ମଧ୍ୟ ଆସିଥାନ୍ତି । ଭିତରକୁ ପ୍ରବେଶ କରିବା ପୂର୍ବରୁ ସିକ୍ୟୁରିଟି ଗାର୍ଡ ସେମାନଙ୍କୁ ସ୍କ୍ରିନିଂ କରି ଛାଡ଼ନ୍ତି । ତାହାକୁ ନେଇ ଚିନ୍ତା ବଢ଼ିଯାଇଛି ।  ସିକ୍ୟୁରିଟି ଗାର୍ଡ କେଉଁ ଉତ୍ସରୁ ସଂକ୍ରମିତ ହେଲେ, ତାହା ଏଯାଏଁ ଜଣାପଡ଼ିନି । ଅପରପକ୍ଷରେ ତାଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି, ତାହାର ଖୋଳତାଡ଼ ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.