ପୋଲିସ୍‌ ଟିମ୍‌ ଉପରେ ଆକ୍ରମଣ କଲେ ମଦ ମାଫିଆ, ଟଳିପଡ଼ିଲେ ଏଏସ୍ଆଇ

Published By : Prameya-News7 Bureau | February 24, 2021 IST

ସୀତାମାରି, ୨୪/୦୨: ବିହାରର ସୀତାମାରି ଜିଲ୍ଲାରେ ବୁଧବାର ସକାଳ ସମୟରେ ମଦ ମାଫିଆଙ୍କ ଆକ୍ରାମଣରେ ଜଣେ ଆସିଷ୍ଟାଣ୍ଟ୍‌ ସବ୍‌ ଇନସ୍ପେକ୍ଟର୍‌ଙ୍କ ମୃତ୍ୟୁ ହୋଇଯାଇଥିବା ଖବର ମିଳିଛି । ଏହି ଘଟଣାରେ ଅନ୍ୟ ଜଣେ ପୋଲିସ୍‌ କର୍ମୀ ଗମ୍ଭୀର ଭାବେ ଆହାତ ହୋଇଛନ୍ତି । ମୃତ ଏଏସ୍‌ଆଇଙ୍କ ନାମ ଦିନେଶ୍‌ ରାମ୍‌ ହୋଇଥିବା ବେଳେ ଆହାତଙ୍କ ନାମ ଲାଲ୍‌ବାବୁ ପାଶୱାନ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଏହି ଘଟଣାଟି ମେଜରଗଞ୍ଜ ଥାନା ଅନ୍ତର୍ଗତ କିଆରୀ ମଦନ ଗ୍ରାମରେ ଘଟିଥିଲା । ଏହି ଦୁଇ ପୋଲିସ୍‌ କର୍ମୀ ମେଜରଗଞ୍ଜ ଥାନାରେ ପୋଷ୍ଟିଂ ହୋଇଥିଲେ । ଗୁପ୍ତ ସୂଚନାକୁ ଆଧାର କରି ବୁଧବାର ସକାଳେ ଏକ ପୋଲିସ୍‌ ଟିମ୍‌ କିଆରୀ ଗ୍ରାମରେ ଛାପା ମାରିଥିଲେ ।

ପୂର୍ବରୁ ପୋଲିସ୍‌ ଏନେଇ ଗ୍ରାମରେ ଆବୈଧ ମଦ କାରବାର ହେଉଥିବା ଖବର ମିଳିଥିଲା । ଏହାପରେ ପୋଲିସ୍‌ ସେହି ଗ୍ରାମରେ ଚଢ଼ାଉ କରିଥିଲା । ଏହାପୂର୍ବରୁ ମଦ ମାଫିଆମାନେ ସଜାଗ ହୋଇଯାଇଥିଲେ। ପୋଲିସ୍‌ ପହଞ୍ଜିବା କ୍ଷଣି ତାଙ୍କ ଉପରେ ଫାୟାରିଂ ଆରମ୍ଭ କରିଦେଇଥିଲେ । ଯେଉଁଥିରେ ଏଏସ୍‌ଆଇ ଏବଂ ଚୈକିଦାରଙ୍କ ଦେହରେ ଗୁଳି ବାଜିଥିଲା । ସେମାନଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲ୍‌କୁ ନିଆଯାଇଥିଲା । ତେବେ ହସ୍ସିଟାଲ୍‌ ନେବା ବାଟରେ ହିଁ ଦିନେଶ୍‌ଙ୍କର ମୃତ୍ୟୁ ହୋଇଥିଲା ।

ଏହି ଘଟଣାକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା ଜୋର୍‌ ଧରିଥିବା ଦେଖିବାକୁ ମିଳିଛି । ଘଟଣା ପରେ ପୋଲିସ୍‌ର ଉପରିସ୍ଥ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମଦ ମାଫିଆଙ୍କ ସହିତ ଜଡ଼ିତ ଲୋକଙ୍କୁ ଗିରଫ କରିଛନ୍ତି । ତେବେ ପୋଲିସ୍‌ ସହ ଗୁଳିବିନିମୟରେ ଜଣେ ମଦ ମାଫିଆର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.