ଦୋଳଯାତ୍ରାରେ ଗୁଳିମାଡ : ଜଣେ ପୋଲିସ କର୍ମଚାରୀ ଗୁରୁତର
14/03/2020 at 7:04 AM

ଢେଙ୍କାନାଳ ୧୪।୩: ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଚାଉଳିଆ ଖମାର ଗ୍ରାମରେ ଗୁଳିକାଣ୍ଡ ଘଟିଛି । ଗ୍ରାମରେ ଦୋଳଯାତ୍ରା ଚାଲିଥିବାବେଳେ ଏହି ଗୁଳିମାଡ ହୋଇଛି । ଗୁଳିମାଡରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକ ଜଣଙ୍କ ଚାଉଳିଆ ଗ୍ରାମର ରାମଚନ୍ଦ୍ର ସାହୁ ବୋଲି ଜଣାପଡିଛି ।

ରାମଚନ୍ଦ୍ର ଓଡିଶା ପୋଲିସର ଜଣେ କର୍ମଚାରୀ ଅଛନ୍ତି । ତାଙ୍କ ଡାହାଣ ପଟ ଛାତିରେ ଗୁଳି ଲାଗିଥିବା ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି । ଗୁଳିକାଣ୍ଡର ସଠିକ୍ କାରଣ ଜଣାପଡିନାହିଁ।

ତେବେ ଚାଉଳିଆରେ ଦୋଳଯାତ୍ରା ଚାଲିଥିବାବେଳେ ଶୁକ୍ରବାର ରାତି ପ୍ରାୟ ୧୨ଟା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଲାଗିଥିବା ବିବାଦରୁ ଏଭଳି ଗୁଳିକାଣ୍ଡ ଘଟିଥିବା କୁହାଯାଉଛି । ଖବର ପାଇ ସଦର ଥାନା ପୋଲିସ ଫୋର୍ସ ସହ ଘଟଣାସ୍ଥଳକୁ ଯାଇଥିବା ଜଣାପଡିଛି । ଏହି ଗୁଳିକାଣ୍ଡ ଘଟଣା ପରେ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଥିବା ଜଣାପଡିଛି ।