ସ୍ମାର୍ଟ ଫୋନ କିଣି ଜଣେ ବ୍ୟକ୍ତି ପାଇଲେ ୬୦୦ ଟି ଉପହାର; ଟ୍ରକରେ ଆସିଥିଲା ଉପହାର
9/12/2018 at 3:17 PM

ଦିଲ୍ଲୀ ୯/୧୨ : କଥାରେ ଅଛି ଯେତେବେଳେ ଭଗବାନ ଦିଅନ୍ତି ଅଜସ୍ର ଦିଅନ୍ତି ଆଉ ଯେତେବେଳେ ନିଅନ୍ତି ସବି ନେଇଯାନ୍ତି | ଏମିତି ଏକ ଘଟଣା ଘଟିଛି ଦିଲ୍ଲୀରେ | ଦିଲ୍ଲୀରେ ରହୁଥିବା ଶେଖର ନାମକ ଜଣେ ଯୁବକ ସ୍ମାର୍ଟ ଫୋନ କିଣି ପାଇଛନ୍ତି ୬୦୦ଟି ଉପହାର | ସେ କେବେ ସ୍ବପ୍ନରେ ସୁଦ୍ଧା ଭାବି ନଥିବେ ଯେ, ଏକ ଫୋନ କିଣି ସେ ଏତେଗୁଡାଏ ଉପହାର ପାଇବେ | ଏହି ଉପହାର ସବୁର ଆନୁମାନିକ ମୂଲ୍ୟ ୮୦ ହଜାର ଟଙ୍କା |
ଘଟଣା ଏହି ପ୍ରକାର :
ନିକଟରେ ୱାନ ପ୍ଲସ ଆଉ ଆମାଜନ ମିଶି ଏକ ପ୍ରମୋସନ କେମ୍ପେନ ପାଇଁ ୱାନ ପ୍ଲସ ଲକି ଷ୍ଟାର ଆରମ୍ଭ କରିଥିଲେ | ଏହି କେମ୍ପେନ ଦୁଇ କମ୍ପାନୀର ବୁଝାମଣାର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ଆରମ୍ଭ କରାଯାଇଥିଲା | ଏହି ଲକି ଷ୍ଟାର କେମ୍ପେନ ମାଧ୍ୟମରେ ୱାନ ପ୍ଲସ ୬-ଟି କିଣିଥିବା କୌଣସି ଏକ ଭାଗ୍ୟଶାଳୀଙ୍କୁ ଫୋନ ସହିତ ୬୦୦ଟି ଉପହାର ଦେବାର ଯୋଜନା ଥିଲା |

ତେବେ ଏହି କେମ୍ପେନର ଭାଗ୍ୟଶାଳୀ ବିଜେତା ହେଇଛନ୍ତି ଦିଲ୍ଲୀର ଶେଖର | ଶେଖରଙ୍କୁ ଯେଉଁ ୬୦୦ ଟି ଉପହାର ପ୍ରଦାନ କରାଯାଇଛି ସେଥିରେ ଅଛି ଫର୍ଣ୍ଣିଚର, ରୋଷେଇ ପାଇଁ ଆସବାବପତ୍ର, ଫ୍ୟାସନ ସାମଗ୍ରୀ, ଫ୍ରିଜ, ଲାପଟପ, ଘର ସଜାଇବା ସାମଗ୍ରୀ ଏମିତି ବହୁତ ଉପହାର | ଅର୍ଥାତ ୱାନ ପ୍ଲସ ଫୋନ କିଣିବା ବଦଳରେ ଶେଖରଙ୍କୁ ଘରକରଣା ସମସ୍ତ ସାମଗ୍ରୀ ଉପହାର ଦିଆଯାଇଥିଲା | ଆଶ୍ଚର୍ଯ୍ୟର କଥା ହେଲା ଏହି ୬୦୦ ଉପହାର ମଧ୍ୟରେ ସାମିଲ ଅଛି ରୋଷେଇ ଘରେ ବ୍ୟବହାର ହେଉଥିବା ବେସିନ |
ତେବେ ଏହି ୬୦୦ ଟି ଉପହାର ଶେଖରଙ୍କ ପାଖକୁ ପଠାଇବା ମଧ୍ୟ ସହଜ କଥା ନଥିଲା | ଉପହାରଗୁଡିକୁ ଶେଖରଙ୍କ ପାଖକୁ ପହଂଚାଇବା ପାଇଁ ୱାନ ପ୍ଲସ ଏବଂ ଆମାଜନ ତରଫରୁ ଏକ ଛୋଟ ଟ୍ରକ ବୁକ କରାଯାଇଥିଲା | କେବଳ ସେତିକି ନୁହେଁ, ଏହି ସମସ୍ତ ଉପହାର ଶେଖରଙ୍କୁ ହସ୍ତାନ୍ତର କରିବା ପାଇଁ ୱାନ ପ୍ଲସ ଇଣ୍ଡିଆର ଜେନେରାଲ ମ୍ୟାନେଜର ବିକାଶ ଅଗ୍ରୱାଲ ନିଜେ ଦିଲ୍ଲୀ ଆସିଥିଲେ |
ମାର୍କେଟ ରିସର୍ଚ୍ଚ ଫର୍ମ ମୁତାବିକ, ଗତ କିଛି ମାସ ହେଲା ୱାନ ପ୍ଲସ ଭାରତୀୟ ପ୍ରିମିୟମ ବଜାରରେ ସବୁଠାରୁ ଉଚ୍ଚରେ ଅଛି | ଏହି କମ୍ପାନୀ ସାମସଙ୍ଗ ଏବଂ ଏପଲ ଭଳି କମ୍ପାନୀରୁ ମଧ୍ୟ ଆଗରେ ଅଛି |