ହାତୀ ଆକ୍ରମଣରେ ଗୁରୁତର ଯୁବକ ୧୨ଦିନ ପରେ ଆଖିବୁଜିଲେ , ମୃତଦେହ ଧରି ରେଞ୍ଜରଙ୍କୁ ଘେରିଲେ ଗାଁଲୋକେ
27/12/2019 at 5:52 PM

ନୀଳଗିରି୨୭। ୧୨ : ଛେଳି ଚରାଇବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଗୁରୁତର ହୋଇ ଚିକିତ୍ସାଧୀନ ଥିବା ଯୁବକଙ୍କ ମୃତ୍ୟୁ ଘଟିଛି । ଘଟଣାଟି ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା କୁଲ୍ଡିହା ଅଭୟାରଣ୍ୟ ନିକଟରେ । ପରିବାରକୁ କ୍ଷତିପୂରଣ ଦାବିରେ ଧାରଣ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଚଳିତ ମାସ ୧୫ତାରିଖ ଦିନ ଗରଡିହି ପଞ୍ଚାୟତ ଅଧିନ ଟିଆକଟା ଗାଁର ସୁଦାମ ସିଂହ ଛେଳି ଚରାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ଛେଳି ଚରାଉଥିବା ସମୟରେ ଏକ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିଲା । ସୁଦାମ ନିଜ ପ୍ରାଣ ବିକଳରେ ଘଟଣାସ୍ଥଳରୁ ଦୌଡିବାକୁ ଉଦ୍ୟମ କରିଥିଲେ , କିନ୍ତୁ ଦନ୍ତା ହାତୀଟି ନିଜ ଷୁଣ୍ଢ ବୁଲାଇଦେବାରୁ ସୁଦାମ ମାଡ ହୋଇ କଚାଡି ପଡିଯାଇଥିଲେ। ତେବେ ଘଟଣାସ୍ଥଳରୁ ଦନ୍ତାଟି ଛାଡି ଚାଲିଯିବାରୁ ମୃତ୍ୟୁମୁଖରୁ ବଞ୍ଚିଯାଇଥିଲେ । କିନ୍ତୁ ସୁଦାମଙ୍କ ଛାତିରେ ଗଭୀର କ୍ଷତ ଲାଗିଥିଲା, ପରେ ତାଙ୍କୁ ଗୁରୁତର ଅବସ୍ଥାରେ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡମେଡିକାଲକୁ ସ୍ଥାନାନ୍ତାରିତ କରାଯାଇଥିଲା । ଦୀର୍ଘ ୧୨ଦିନ ଚିକିତ୍ସିତ ହେବାପରେ ଶୁକ୍ରବାର ସୁଦାମଙ୍କ ମୃତ୍ୟୁ ହୋଇଛି । ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ମାନେ ଦାବିକରି କୁଲଡ଼ିହା ଅଫିସ ରେ ଶବ ଆଣି ରେଞ୍ଜର ଙ୍କୁ ଘେରିବା ସହ ଧାରଣା ଦେଇଛନ୍ତି। ଯେ ପର୍ଯ୍ୟନ୍ତ କ୍ଷତିପୂରଣ ନମିଳିଛି ସେ ପର୍ଯ୍ୟନ୍ତ ଧାରଣା ଜାରୀ ରହିବ ବୋଲି ଚେତାବନୀ ଦେଇଛନ୍ତି। ସେପଟେ ଆଇନ ଶୃଙ୍ଖଳାକୁ ନେଇ ବ୍ୟାପକ ପୋଲିସ ମୃତୟନ କରାଯାଇଛି । ଘଟଣା ତଦନ୍ତ ଚାଲିଛି , ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରେଞ୍ଜର ସୂଚନା ଦେଇଛନ୍ତି ।
