ଚିନ୍ତା ବଢାଉଛି କରୋନା : SCBରେ ଆଡ୍‌ମିସନ ପରେ ରୋଗୀଙ୍କ ରିପୋର୍ଟ ପଜିଟିଭ୍‌, କିନ୍ତୁ ପୂର୍ବରୁ ରିପୋର୍ଟ ଥିଲା ନେଗେଟିଭ୍‌

Published By : Prameya-News7 Bureau | July 15, 2020 IST

କଟକ ୧୫।୦୭ : ଆଣ୍ଟିଜେନ୍‌ ପରୀକ୍ଷାରେ ରିପୋର୍ଟ ଆସିଲା ନେଗେଟିଭ୍‌ । ସେହି ଆଧାରରେ ରୋଗୀଙ୍କୁ ଆଡ୍‌ମିସନ୍‌ ମିଳିଗଲା । ମାତ୍ର ଆଡ୍‌ମିସନ୍‌ ପରେ ରୋଗୀଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇବାରୁ ତାଙ୍କର ପୁଣି ଥରେ ସ୍ୱାବ୍‌ ପରୀକ୍ଷା କରାଗଲା । ଆର୍‌ଟିପିସିଆର୍‌ ପଦ୍ଧତିରେ କରାଯାଇଥିବା ଏହି ଟେଷ୍ଟ୍‌ ରିପୋର୍ଟ ଆଜି ପଜିଟିଭ୍‌ ଆସିଛି । ଏଣେ ରୋଗୀଜଣକ ଇତିମଧ୍ୟରେ ପାଖାପାଖି ୬ ଦିନ କଟକ ବଡ଼ ଡାକ୍ତରଖାନା ୱାର୍ଡରେ ବିତାଇ ସାରିଲେଣି । ତେଣୁ ସେହି ୱାର୍ଡରେ ଥିବା ପ୍ରାୟ ୨୦ଜଣ ରୋଗୀଙ୍କୁ ଆଜି ସଂଗରୋଧରେ ଯିବାକୁ ପଡ଼ିଛି । ଆସନ୍ତାକାଲି ସେମାନଙ୍କର ସ୍ୱାବ୍‌ ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି । ଆଣ୍ଟିଜେନ୍‌ ଟେଷ୍ଟ୍‌ ଆଧାରରେ ଆଡ୍‌ମିସନ୍‌କୁ ନେଇ ଆଜି ଏସ୍‌ସିବିରେ ଏଭଳି ଅଭାବନୀୟ ସ୍ଥିତି ଉପୁଜିଛି ।

ଏସ୍‌ସିବି ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍‌ପିଟାଲ୍‌ରେ କରୋନା ସଂକ୍ରମଣ ବ୍ୟାପିବା ଓ ରୋଗୀ ସେବା ବାଧାପ୍ରାପ୍ତ ହେବାରୁ ସ୍ୱାସ୍ଥ୍ୟ ସଚିବ ଏଠାରେ ଆସି ସ୍ଥିତି ସମୀକ୍ଷା କରିଥିଲେ । ଆର୍‌ଟିପିସିଆର୍‌ ପଦ୍ଧତିରେ କରୋନା ଟେଷ୍ଟ ରିପୋର୍ଟ ଆସିବାରେ ବିଳମ୍ବ ହେଉଥିବାରୁ ଗୁରୁତର ରୋଗୀଙ୍କୁ ଚିକିତ୍ସା ସେବା ଦେବାରେ ସମସ୍ୟା ଉପୁଜୁଥିବା ଉପଲବ୍‌ଧି କରି ସଚିବ ଆଣ୍ଟିଜେନ୍‌ ରାପିଡ୍‌ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗଲା ୭ ତାରିଖରୁ ଏସ୍‌ସିବିରେ ଆଣ୍ଟିଜେନ୍‌ ପରୀକ୍ଷା ଆରମ୍ଭ ହୋଇଛି । ଏହି ରାପିଡ୍‌ ଟେଷ୍ଟ ଦ୍ୱାରା ପରୀକ୍ଷାର ଘଣ୍ଟାଏ ଭିତରେ କରୋନା ଚିହ୍ନଟ ହୋଇଯାଉଛି । ଫଳରେ ଗୁରୁତର ରୋଗୀଙ୍କୁ ତୁରନ୍ତ ଚିକିତ୍ସା ସେବା ମିଳିପାରୁଛି ।

ଏହାକୁ ଦୃଷ୍ଟିରେ ରଖି ଏସ୍‌ସିବି ଓ ଆଚାର୍ଯ୍ୟ ହରିହର କର୍କଟ ରୋଗ କେନ୍ଦ୍ରରେ ଆଣ୍ଟିଜେନ୍‌ ଟେଷ୍ଟ ଜରିଆରେ ରୋଗୀଙ୍କୁ ଚିକିତ୍ସା କରାଯାଉଛି । ମାତ୍ର ଆଜିର ଘଟଣା ପରେ ଆଣ୍ଟିଜେନ୍‌ ପରୀକ୍ଷା ଆଧାରରେ ଆଡମିସନ୍‌ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ରୋଗୀ ସେବା ପାଇଁ ଏସ୍‌ସିବି ଓ ଆଚାର୍ଯ୍ୟ ହରିହର କର୍କଟ ରୋଗ କେନ୍ଦ୍ରରେ ଏବେ ଆଣ୍ଟିଜେନ୍‌ ପରୀକ୍ଷା ଉପରେ ଭରସା କରାଯାଉଛି । ଇତିମଧ୍ୟରେ ଏସ୍‌ସିବି ସମେତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ କେନ୍ଦ୍ରରେ ଶତାଧିକ ରୋଗୀଙ୍କର ଆଣ୍ଟିଜେନ୍‌ ପରୀକ୍ଷା କରାଯାଇ ଆଡ୍‌ମିସନ୍‌ ଓ ରେଡିଓଥେରାପି ଆଦି କରାଯାଇଛି । ଆଗକୁ କେମୋଥେରାପି ଭଳି ଜଟିଳ ଚିକିତ୍ସା ପୂର୍ବରୁ ଆଣ୍ଟିଜେନ୍‌ ପରୀକ୍ଷା ପାଇଁ ନିଷ୍ପତ୍ତି ନିଆଯାଇଛି । ଇତିମଧ୍ୟରେ ଏସସିବିକୁ ଦୁଇଟି ପର୍ଯ୍ୟାୟରେ ୩ ହଜାରରୁ ଅଧିକ ଆଣ୍ଟିଜେନ୍‌ କିଟ୍‌ସ୍‌ ସରକାର ଯୋଗାଇ ଦେଇଛନ୍ତି । ହେଲେ ଆଜିର ଘଟଣା ଆଣ୍ଟିଜେନ୍‌ ପରୀକ୍ଷା ଭିତ୍ତିରେ ଆଡମିସନ୍‌ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏ ସଂପର୍କରେ ରାଜ୍ୟ କରୋନା ନୋଡାଲ ଅଫିସର ତଥା ଏସସିବି ପଲ୍ୟୁମନାରୀ ମେଡିସିନ୍‌ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ମନୋରଞ୍ଜନ ପଟ୍ଟନାୟକ କହିଛନ୍ତି, ଆଣ୍ଟିଜେନ୍‌ ଉପରେ ଆମେ ନିର୍ଭରଶୀଳ ନୁହଁ । ଆମର ନିୟମ କରାଯାଇଥିଲା ଯେ ଯଦି ଆଣ୍ଟିଜେନ୍‌ ପରୀକ୍ଷା ପରେ ବି ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଲକ୍ଷଣ ସନ୍ଦେହଜନକ ମନେହୁଏ, ତାଙ୍କୁ ଆଇସୋଲେସନରେ ରଖି ପୁଣିଥରେ ତାଙ୍କ ସ୍ୱାବ୍‌କୁ ଆର୍‌ଟିପିସିଆର୍‌ ପଦ୍ଧତିରେ ପରୀକ୍ଷା କରାଯିବ । ଆର୍‌ଟିପିସିଆର୍‌ ପରୀକ୍ଷାରେ ଯଦି ରିପୋର୍ଟ ନେଗେଟିଭ୍‌ ଆସେ, ରୋଗୀଙ୍କୁ ଆଡମିସନ କରାଯିବ । ମାତ୍ର ମେଡିସିନ୍‌ ବିଭାଗରେ ସେଭଳି କରାନଯିବାରୁ ଏବେ ୨୦ଜଣ ରୋଗୀଙ୍କୁ ସଙ୍ଗରୋଧରେ ଯିବାକୁ ପଡିଛି । କେବଳ ଏଇଥିପାଇଁ ଆଜି ଏସ୍‌ସିବିର ପ୍ରତ୍ୟେକ ବିଭାଗର ବିଭାଗୀୟ ମୁଖ୍ୟ ଓ ନୋଡାଲ ଅଫିସର୍‌ମାନଙ୍କୁ ନେଇ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଆଗକୁ ଏଭଳି ସମସ୍ୟା ଯେପରି ନ ଉପୁଜେ ସେଥିପ୍ରତି ସମସ୍ତଙ୍କୁ ସତର୍କ କରାଯାଇଛି ବୋଲି ଡାକ୍ତର ପଟ୍ଟନାୟକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.