ମାଲକାନଗିରିରେ ନକ୍ସଲଙ୍କ ଉପରେ ଅଂକୁଶ ଲଗାଇବାକୁ ନିଷ୍ପତ୍ତି ନେଇଛି ସଂପୂର୍ଣ୍ଣ ହିଂସାମୁକ୍ତ ଓଡ଼ିଶା ଅଭିଯାନର ମାଲକାନଗିରି ଜିଲ୍ଲା କମିଟି
21/10/2018 at 11:14 AM

ମାଲକାନଗିରି ୨୧|୧୦: ମାଲକାନଗିରିରେ ନକ୍ସଲଙ୍କ ଉପରେ ଅଂକୁଶ ଲଗାଇବାକୁ ନିଷ୍ପତ୍ତି ନେଇଛି ସଂପୂର୍ଣ୍ଣ ହିଂସାମୁକ୍ତ ଓଡ଼ିଶା ଅଭିଯାନର ମାଲକାନଗିରି ଜିଲ୍ଲା କମିଟି । ଚିତ୍ରକୋଣ୍ଡାର ଦୁର୍ଗମ ଘଂଚ ଜଂଗଲରେ ଅଭିଯାନର ଆବାହକ ଭାରତ ଭୂଷଣଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଯାଇଛି । ବିଚ୍ଛିନ୍ନାଞ୍ଚଳରେ ଆୟୋଜିତ ଏହି ରଣନୀତି ବୈଠକରେ ଅଭିଯାନର ଜିଲ୍ଲାସ୍ତରୀୟ ନେତୃମଣ୍ଡଳୀ ଯୋଗ ଦେଇଥିଲେ । ରଣନୀତି ଅନୁଯାୟୀ ସଂପୂର୍ଣ୍ଣ ହିଂସାମୁକ୍ତ ଓଡ଼ିଶା ଅଭିଯାନ ବିନା ହତିଆର ଓ ଅହିଂସା ଉପାୟରେ ନକ୍ସଲଙ୍କ କାର୍ଯ୍ୟକଳାପରେ ଅଙ୍କୁଶ ଲଗାଇବାକୁ ନିଷ୍ପତ୍ତି ନେଇଛି । ମାଓବାଦୀଙ୍କ ବିରୋଧରେ ଗଠିତ ଆଣ୍ଟି ନକ୍ସଲ ପିପୁଲସ୍ ପିସ୍ ଫୋର୍ସ ଏବଂ ମହିଳା ମୋର୍ଚ୍ଚା ସଂଗଠନକୁ ଜିଲ୍ଲା ଓ ରାଜ୍ୟସ୍ତରରେ ମଜବୁତ କରିବା ପାଇଁ ଆଲୋଚନା କରାଯାଇଛି । ମାଓବାଦୀ ସଂଗଠନରେ କାର୍ଯ୍ୟ କରୁଥିବା ମହିଳାଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ସହ ସ୍ଥାନୀୟ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବନ୍ଦ କରିବା ପାଇଁ ନକ୍ସଲ ବିରୋଧୀ ରଣନୀତି ପ୍ରସ୍ତୁତ କରାଯାଇଛି ।