ସରକାରଙ୍କୁ ଘାରିଛି ଆପଣଙ୍କର ସ୍ଵାସ୍ଥ୍ୟ ଚିନ୍ତା, ଲାଲକିଲ୍ଲାରୁ କାଲି ବଡ ଘୋଷଣା କରି ପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ

Published By : Prameya-News7 Bureau | August 14, 2020 IST

ନୂଆଦିଲ୍ଲୀ ୧୪।୦୮: ଆସନ୍ତାକାଲି ଦେଶ ନିଜର ୭୪ତମ ସ୍ଵାଧୀନତା ଦିବସ ପାଳନ କରିବ। କରୋନା ସଙ୍କଟ କାରଣରୁ ସ୍ଵାଧୀନତା ଉତ୍ସବ ପାଳନ ସୀମିତି ହେଲେ ମଧ୍ୟ ଉତ୍ସାହ କମି ନାହିଁ। ପ୍ରତି ବର୍ଷ ପରି କାଲି ସକାଳେ ମଧ୍ୟ ପୂରା ଦେଶର ନଜର ଲାଲକିଲ୍ଲା ପ୍ରାଚୀର ଉପରେ ପ୍ରଧାନମନ୍ତ୍ରୀ ଦେଉଥିବା ଭାଷଣ ଉପରେ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲା ପ୍ରାଚୀରରୁ ପ୍ରତି ବର୍ଷ କିଛି ନା କିଛି ବଡ ଘୋଷଣା କରିଥାନ୍ତି। ଚଳିତ ବର୍ଷ ମଧ୍ୟ ଆଶା କରାଯାଉଛି ଯେ ପ୍ରଧାନମନ୍ତ୍ରୀ ସେମିତି କିଛି ବଡ ଘୋଷଣା କରିବେ।

କୁହାଯାଉଛି ଯେ ପ୍ରଧାନମନ୍ତ୍ରୀ ସ୍ଵାସ୍ଥ୍ୟ କ୍ଷେତ୍ରଠୁ ନେଇ ଆନୁସଙ୍ଗିକ ଭିତ୍ତିଭୂମିର ବିକାଶ ପାଇଁ ଅନେକ ବଡ ଘୋଷଣା କରି ପାରନ୍ତି। ଗତ ଥର ପ୍ରଧାନମନ୍ତ୍ରୀ ‘ଓ୍ଵାନ ନେସନ ଓ୍ଵାନ ରାସନ କାର୍ଡ’ ଘୋଷଣା କରିଥିଲେ। ଏଥର ପ୍ରଧାନମନ୍ତ୍ରୀ ମୋଦୀ ‘ଓ୍ଵାନ ନେସନ ଓ୍ଵାନ ହେଲ୍‌ଥ କାର୍ଡ’ର ଘୋଷଣା କରି ପାରନ୍ତି। ଏହି ଯୋଜନା ଜରିଆରେ ଦେଶର ସମସ୍ତ ନାଗରିକଙ୍କ ପାଇଁ ଗୋଟିଏ  ସ୍ଵାସ୍ଥ୍ୟ କାର୍ଡ ତିଆରି ହେବ। ସରକାର ଏହି ଯୋଜନା ପାଇଁ ୫୦୦ କୋଟି ଟଙ୍କାର ବଜେଟ୍ ରଖିଛନ୍ତି। ଏହି ଯୋଜନା ଲାଗୁ ହେଲେ ସ୍ଵାସ୍ଥ୍ୟ କ୍ଷେତ୍ରରେ ସବୁଠୁ ବଡ ସଂସ୍କାର ଆସିପାରେ।

{"id":314586,"sizeSlug":"large"}

କଣ ଏହି ‘ଓ୍ଵାନ ନେସନ ଓ୍ଵାନ ହେଲ୍‌ଥ କାର୍ଡ’, ୧୦ ପଏଣ୍ଟରେ ବୁଝନ୍ତୁ

୧ – ଏହାକୁ ଆଧାର କାର୍ଡ ପରି ପୂରା ଦେଶର ନାଗରିକଙ୍କ ପରି ତିଆରି କରାଯିବ। ଏଥିରେ ପ୍ରତି ନାଗରିକଙ୍କ ପାଇଁ ଗୋଟିଏ ୟୁନିକ୍ ଆଇଡି ଜାରି ହେବ।

୨ – ଏହି ସ୍ଵାସ୍ଥ୍ୟ କାର୍ଡରେ ସମସ୍ତ ନାଗରିକଙ୍କ ସ୍ଵାସ୍ଥ୍ୟ ରିପୋର୍ଟ, ଟେଷ୍ଟ ଓ ଚିକିତ୍ସାର ପୂରା ରେକର୍ଡ ରହିବ।

୩ – ଏହି ସବୁ ସୂଚନା ହେଲ୍‌ଥ କାର୍ଡରେ ଡିଜିଟାଲ ପ୍ରକ୍ରିୟାରେ ସୁରକ୍ଷିତ ଏବଂ ସୁବ ଦିନ ପାଇଁ ରହିବ।

୪ – ଏହି ହେଲ୍‌ଥ କାର୍ଡକୁ ଦେଶର କୌଣସି ବି ହସ୍ପିଟାଲ କିମ୍ବା ଡାକ୍ତରଙ୍କୁ ଦେଖାଇଲେ ନାଗରିକଙ୍କ ପୂରା ସ୍ଵାସ୍ଥ୍ୟ ସମ୍ବନ୍ଧିତ ସୂଚନା ଜାଣି ହେବ।
 ୫ – ଏହି ସ୍ଵାସ୍ଥ୍ୟକାର୍ଡରେ ଗୋଟିଏ ୟୁନିକ୍ ଆଇଡି ରହିବ, ଯାହା ଦେଖି ଯେ କୌଣସି ଡାକ୍ତର ରୋଗୀଙ୍କ ପୁରୁଣା ସ୍ଵାସ୍ଥ୍ୟ ରେକର୍ଡ ଜାଣି ପାରିବେ।

୬ – ନାଗରିକଙ୍କୁ ଡାକ୍ତରଙ୍କ ପ୍ରେସକ୍ରିପସନ ଓ ଟେଷ୍ଟ ରିପୋର୍ଟ ନିଜ ସହିତ ନେବା ଦରକାର ପଡିବ ନାହିଁ।

୭ – ଏହି ଯୋଜନାକୁ ପର୍ଯ୍ୟାୟ କ୍ରମେ ଲାଗୁ କରାଯିବ, ପୂରା ଦେଶରେ ଏହା ଏକ ସଙ୍ଗେ ଲାଗୁ ହେବ ନାହିଁ।

୮ – ସମସ୍ତ ହସ୍ପିଟାଲ, କ୍ଲିନିକ ଓ ଡାକ୍ତର ଏକ ସେଣ୍ଟ୍ରାଲ ସର୍ଭାଲ ଜରିଆରେ ଏଥିରେ ଜଡିତ ହେବେ।

୯ – ନାଗରିକଙ୍କ ବ୍ୟକ୍ତିଗତ ସୂଚନା ସଂପୂର୍ଣ୍ଣ ଭାବେ ଗୋପନୀୟ ରଖାଯିବ। ଅର୍ଥାତ ତଥ୍ୟ ଚୋରିର ବିପଦ ରହିବ ନାହିଁ।

୧୦ – ଏହି ଯୋଜନା ବାଧ୍ୟତାମୂଳକ ନୁହେଁ ବରଂ ବିକଳ୍ପ ଭାବେ ହେବ, ଅର୍ଥାତ ନାଗରିକ ନିଜ ଇଚ୍ଛାନୁଯାୟୀ ଏହା କରି ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.