Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗାଁ ପ୍ରଧାନଙ୍କ ଘର ସାମ୍ନାରେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା, ଜମି ବିବାଦ ନେଇ ହତ୍ୟାକାଣ୍ଡ !

25/08/2020 at 11:34 AM

ଲକ୍ଷ୍ନୌ ୨୫।୦୮: ଟିଭି ସାମ୍ବାଦିକଙ୍କୁ ଗୁଳିକରି ହତ୍ୟା । ମୃତ ଟିଭି ସାମ୍ବାଦିକ ରତନ ସିଂହ , ଏବଂ ତାଙ୍କ ବୟସ ୪୦ ବର୍ଷ ହେବ ବୋଲି ସୂଚନା ରହିଛି । ସୋମବାର ଦିନ ସଂଧ୍ୟା ସମୟରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଉତ୍ତରପ୍ରଦେଶ ବାଲିଆ ଜିଲ୍ଲାରେ ଏହି ହତ୍ୟାକାଣ୍ଡ ଘଟିଛି ।

ସୂଚନାଯୋଗ୍ୟ ଯେ,  ରତନ ସିଂହ ଦିନସାରା ନିଜ କାର୍ଯ୍ୟ ସାରି  ଗାଁକୁ ଫେରୁଥିଲେ । କିନ୍ତୁ ଫେରୁଥିବା ବାଟରେ ଗାଁର କିଛି ଲୋକଙ୍କ ସହ କଥାବର୍ତ୍ତା ହେବା ପରେ ପୁଣି ନିଜ ଘର ଅଭିମୁଖେ ବାହାରିଥିଲେ । କିନ୍ତୁ କିଏ ଜାଣିଥିଲେ ଯେ, ରତନଙ୍କ ଫେରିବା ବାଟରେ କିଛି ଦୁର୍ବୃତ୍ତ ତାଙ୍କୁ ଅପେକ୍ଷା କରି ରହିଛନ୍ତି । ରାସ୍ତାରେ ରତନ ଯାଉଥିବା ସମୟରେ ୪ରୁ ୫ଜଣ ଦୁର୍ବୃତ୍ତ ଅଚାନକ ଆସି ଗୁଳିଚାଳନା ଆରମ୍ଭ କରିଦେଇଥିଲେ । ନିଜ ଉପରକୁ ଗୁଳିଚାଳନା ଦେଖି ରତନ ସେଠାରୁ ଦୌଡି ପଳାଇବାକୁ ଉଦ୍ୟମ କରିଥିଲେ । ଘଟଣାସ୍ଥଳରୁ ରତନ ଦୌଡି ନିକଟରେ ଥିବା ଗାଁର ପ୍ରଧାନ ଝାବର ସିଂହଙ୍କ ଘରେ ପହଞ୍ଚିଥିଲେ । ଦୁର୍ବୃତ୍ତମାନେ ତାଙ୍କ ପିଛା କରି ସେଠାରେ ଦୁର୍ବୃତ୍ତମାନେ ପହଞ୍ଚିଯାଇଥିଲେ । ଅଚାନକ ରତନଙ୍କ ଉପରକୁ ଆକ୍ରମଣ କରିବା ସହ ମୁଣ୍ଡକୁ ଗୁଳି ମାଡ କରି ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ ।

ସେପଟେ ହତ୍ୟାକାଣ୍ଡରେ ଗାଁ ପ୍ରଧାନଙ୍କ ହାତ ରହିଥିବା ସନ୍ଦେହ କରାଯାଉଛି । ପୂର୍ବରୁ ଦୁର୍ବୃତ୍ତମାନେ ପ୍ରଧାନଙ୍କ ଘରେ ଲୁଚି ରହିଥିଲେ ବୋଲି କେହି କେହି ଅଭିଯୋଗ କରୁଛନ୍ତି । ସେହିପରି ଅନ୍ୟପଟେ ଏହି ହତ୍ୟା ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି।  କିଛି ଦିନ ତଳେ ରତନ ସିଂହ ଓ ପାଟିଦାରଙ୍କ ମଧ୍ୟରେ କିଛି ବିବାଦ ହୋଇଥିଲା । ଯାହାପରେ ତାଙ୍କୁ ଗୁଳିମାରି ହତ୍ୟା କରିବା ଧମକ ଦିଆଯାଇଥିଲା ।  ଘଟଣାରେ ଜିଲ୍ଲା ଏସ୍‌ପି କହିଛନ୍ତି ଯେ, ଘଟଣାସ୍ତଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍ ଜାରି ରଖିଛନ୍ତି ।  ଦୁର୍ବୃତ୍ତମାନେ ହତ୍ୟା କରିଥିବା ସ୍ଥଳକୁ ପୋଲିସ ଫୋର୍ସ ପଠାଯାଇଛି । ଅଧିକ ଛାନ୍‌ଭିନ୍‌ ଜାରି  ରହିଛି । ତେବେ ବର୍ତ୍ତମାନ ପାରସ୍ପରିକ ବିବାଦକୁ ନେଇ ଛାନ୍‌ଭିନ୍‌ ଜାରି ରହିଛି । ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

   Related Posts