ପୋଲିସ ବାବୁଙ୍କ ବୁଲେଟ୍ ଓ ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ୨ଗୁରୁତର

Published By : Prameya-News7 Bureau | October 07, 2020 IST

ନନ୍ଦପୁର ୦୭।୧୦: କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ୍‌ର ସୁବାଇ କନ୍ୟାଶ୍ରମ ନିକଟରେ ସଡକ ଦୁର୍ଘଟଣା । ଅଟୋ ଓ ବୁଲେଟ ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ଅଟୋ ଡ୍ରାଇଭରଙ୍କ ମୃତ୍ୟୁ ହୋଇଯାଇଛି । ଦୁର୍ଘଟଣା ସମୟରେ ଅଟୋରେ ବସିଥିବା ଅନ୍ୟଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଆହତ ବ୍ୟକ୍ତିଙ୍କ ହେଲେ ସେମିଳିଗୁଡା ବ୍ଲକ୍‌ ଗୁଣ୍ଠାପୁଟ ପଞ୍ଚାୟତ ହଦୀଗୁଡା ଗାଁର ବୈଦେହୀ ମାଝୀ ଓ ତାଙ୍କ ପୁଅ ଶୁକଦେବ ମାଝୀ (୨୫) । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅଟୋ ଡ୍ରାଇଭର ଗୁପ୍ତ ମାଝୀ(୪୦) ହେଉଛନ୍ତି ବୈଦେହୀଙ୍କ ବଡ଼ପୁଅ । ଅନ୍ୟ ପଟେ ଦୁର୍ଘଟଣା ଘଟଇଥିବା ବୁଲେଟ୍‌କୁ  ଚଲାଉଥିଲେ ନନ୍ଦପୁର ଥାନା ଏଏସ୍‌ଆଇ ହରି ଖରା । ସେ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ତାଙ୍କୁ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା ।

ଖବର ଅନୁଯାୟୀ, ବୈଦେହୀ ଅସୁସ୍ଥ ଥିବାରୁ ତାଙ୍କୁ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌କୁ ନିଆଯାଉଥିଲା । ବଡ଼ପୁଅ ଗୁପ୍ତ ଅଟୋ ଚଲାଉଥିଲେ । ଅଟୋରେ ବସିଥିଲେ ବୈଦେହୀଙ୍କ ସହ ସାନପୁଅ ଶୁକ । ଅଟୋଟି କୋରାପୁଟ ଯାଉଥିବା ବେଳେ ସୁବାଇ କନ୍ୟାଶ୍ରମ ନିକଟରେ ବିପରୀତ ଦିଗରୁ ଆସୁଥିବା ଏଏସ୍‌ଆଇ ହରି ଖରାଙ୍କ ବୁଲେଟ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ହିଁ ଗୁପ୍ତଙ୍କ ମୃତ୍ୟୁ ହୋଇଥିଲା । ଅସୁସ୍ଥ ଥିବା ବୈଦେହୀଙ୍କ ଡାହାଣ ଗୋଡ଼ ଭାଙ୍ଗିଯାଇଥିବା ବେଳେ ଶୁକଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିଲା । ସଙ୍ଗେ ସଙ୍ଗେ ସେମାନଙ୍କୁ କୋରାପୁଟକୁ ସ୍ଥାନାନ୍ତର କରାଯାଇଥିଲା ।

ନନ୍ଦପୁର ପୁଲିସ୍‌ ପହଞ୍ଚି ଗୁପ୍ତଙ୍କ ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲ୍‌ ପଠାଇଥିଲା । ଖବରପାଇ ଗୁପ୍ତଙ୍କ ପରିବାର, ସମ୍ପର୍କୀୟ ଏବଂ ଗ୍ରାମବାସୀ ନନ୍ଦପୁର ଥାନା ଆଗରେ ପହଞ୍ଚି ପାଟିତୁଣ୍ଡ କରିଥିଲେ । ଶୁଦ୍ଧିକ୍ରିୟା ପାଇଁ ଏଏସ୍‌ଆଇ ହରି ଖରା ବ୍ୟକ୍ତିଗତ ଭାବେ ୧୦ ହଜାର, ରେଡ୍‌କ୍ରସ୍‌ ତରଫରୁ ୧୦ ହଜାର ଏବଂ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.