ଅବହେଳା ପାଇଁ ଚାଲିଗଲା ଜୀବନ, ଛାତରୁ ପଡି ଶ୍ରମିକ ମୃତ

Published By : Prameya-News7 Bureau | January 28, 2021 IST

ବୌଦ୍ଧ ୨୮।୦୧: ଚାଲିଗଲା ନିରୀହ ଶ୍ରମିକଙ୍କ ଜୀବନ। ଠିକା ସଂସ୍ଥାର ଅବହେଳା ପାଇଁ ଚାଲିଗଲା ଜୀବନ । ଶ୍ରମିକଙ୍କୁ ଦିଆଯାଉନି  ସୁରକ୍ଷା ସରଞ୍ଜାମ, ଶେଷରେ ବଳି ପଡୁଛନ୍ତି ନିରୀହ ଶ୍ରମିକ । ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ବାଉଁଶୁଣି ମହାଶ୍ୱରୀ ମହାବିଦ୍ୟାଳୟରେ ଦେଖିବାକୁ ମିଳିଛି ଏପରି ଘଟଣା । ବିଲ୍ଡିଂ କାମ କରୁଥିବା ବେଳେ ଖସପଡି ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ନରେନ୍ଦ୍ର ସେଠୀ ବୋଲି ଜଣାପଡ଼ିଛି ।

ଖବର ଅନୁଯାୟୀ, ବାଉଁଶୁଣି ମହାଶ୍ୱରୀ ମହାବିଦ୍ୟାଳୟର ବିଲ୍ଡିଂ କାମ କରୁଥିବା ବେଳେ ନରେନ୍ଦ୍ର ସେଠୀ ନାମକ ତଳକୁ ଖସିପଡ଼ିଥିଲେ । ଯାହାପରେ ସେ  ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବାଉଁଶୁଣି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ତାଙ୍କ ପ୍ରାଥମିକ ଚିକିତ୍ସା ଏବଂ ଅବସ୍ଥା ଗୁରୁତର ହେବାରୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ମେଡିକାଲ ଯିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ନରେନ୍ଦ୍ରଙ୍କ ମୁଣ୍ଡର ପଛ ପଟେ ଗଭୀର ଆଘାତ ଲାଗିଥିବା କାରଣରୁ ମୃତ୍ୟୁ ହୋଇଥିବା ଜଣାପଡିଛି । ବେପରୁଆ ଠିକା ସଂସ୍ଥା ପାଇଁ ବୌଦ୍ଧ ଜିଲ୍ଳାରେ ଶ୍ରମିକଙ୍କ ଜୀବନ ଯିବା କୌଣସି ନୂଆକଥା ନୁହଁ । କାରଣ ଗତ ୧୬ ତାରିଖରେ ଜିଲ୍ଲାର ନିର୍ମାଣଧୀନ ଧଳପୁର-ଆଠମଲ୍ଲିକ ସେତୁ ଉପରୁ ଖସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଶ୍ରମିକଙ୍କୁ ସୁରକ୍ଷା ସରଞ୍ଜାମ ଠିକ୍‌ ଭାବରେ ଯୋଗାଇ ଦିଆଯାଉନାହିଁ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.