ଟ୍ରକ୍-ବାଇକ୍ ମୁହାଁମୁହିଁ ଧକ୍କା : ଜଣେ ମୃତ, ୨ ଗୁରୁତର

Published By : Prameya-News7 Bureau | December 15, 2020 IST

ତେଲକୋଇ ୧୫।୧୨: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ କତରାପାଲି ଗାଁ ଗାନ୍ଧୀ ଛକ ନିକଟରେ ବାଇକ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ କାଳିଆପାଣି ଗାଁର ହାଡିବନ୍ଧୁ ନାୟକ ଏବଂ ଗୁରୁତରଙ୍କ ମଧ୍ୟରୁ ଜଣେ ମନ୍ମଥ ଦେହୁରୀ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତରଙ୍କର ପରିଚୟ ମିଳିପାରିନାହିଁ । ସମସ୍ତ ଗୁରୁତର କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଘଟଣାଟି ବିଳମ୍ବିତ ରାତିରେ ଘଟିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ମଧ୍ୟ ଫେରାର ହୋଇଯାଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ଯେ, ରାତିରେ ଜଣଙ୍କର ବାଇକରେ ପେଟ୍ରୋଲ ସରିଯିବାରୁ ଟାଙ୍କିରୁ ପେଟ୍ରୋଲ ନେଇ ଫେରୁଥିବା ବେଳେ ଆଇରନ ଟ୍ରକ୍ ସାଙ୍ଗରେ ବାଇକଟି ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା । ଆଇରନ ଟ୍ରକ୍ ଗୁଡିକ ବେଆଇନ ଭାବେ ତେଲକୋଇ କାଞ୍ଜିପାଣି ରାସ୍ତା ଦେଇ ଯିବାଆସିବା କରୁଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । ଆଇରନ ଟ୍ରକ୍ ଗୁଡିକର ଚାଲାଣରେ ୪୯ ନମ୍ବର ଜାତୀୟ ରାଜପଥ ଦେଇ ଯିବାଆସିବା ପାଇଁ ସ୍ପଷ୍ଟ ଭାବେ ଉଲ୍ଲେଖଥିଲେ ମଧ୍ୟ ତେଲ ବଞ୍ଚାଇବା ପାଇଁ ଓ ଶୀଘ୍ର ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ଏହି ରାସ୍ତାର ବ୍ୟବହାର କରୁଛନ୍ତି ଗାଡି ମାଲିକ  । ଯାହାଫଳରେ ବିଭିନ୍ନ ସମୟରେ ସଡକ ଦୁର୍ଘଟଣାରେ ନୀରିହ ଜନତାଙ୍କର ପ୍ରାଣ ଯାଉଛି । ଏନେଇ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.