ଏମିତି ବି ଆସେ ମୃତ୍ୟୁ : ମହୁମାଛି ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଦୁଇ ଆହତ

Published By : Prameya-News7 Bureau | June 10, 2020 IST

ଉଦଳା ୧୦।୬: ମହୁ ସଂଗ୍ରହ କରିବାକୁ ଜଙ୍ଗଲକୁ ଯିବା ହେଲା କାଳ । ମହୁ ସଂଗ୍ରହ କରିବା ସମୟରେ ମହୁମାଛି ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । କପ୍ତିପଦା ଥାନା ମାଙ୍କଡପଡା ପଞ୍ଚାୟତ ଚେମଚଟା ଗ୍ରାମରେ ଘଟିଛି ଏଭଳି ଘଟଣା ।

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ମାଙ୍କଡପଡା ପଞ୍ଚାୟତ ଚେମଚଟା ଗ୍ରାମରେ ୭ ଜଣ ମହୁ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିଲେ । ମହୁଫେଣା ନିକଟରେ ପହଞ୍ଚିବା ପରେ ସନିଆ ଭକ୍ତା ଏବଂ ତାଙ୍କର ଅନ୍ୟ ଦୁଇ ସାଥୀ ରନ କଟୁଆଳ ଏବଂ ଆକାଶ ନାଏକ ମହୁ ସଂଗ୍ରହ କରିବା ନିମନ୍ତେ ଗଛ ଉପରକୁ ଚଢିଥିଲେ । ସେହି ସମୟରେ ମହୁଫେଣାରେ ଥିବା ମହୁମାଛି ଉଡିବା ସହିତ ଆକ୍ରମଣ କରିଥିଲେ ।

ମହୁମାଛି ଆକ୍ରମଣରେ ସନିଆ ଗୁରୁତର ହୋଇଥିବା ବେଳେ ଅନ୍ୟ ଦୁଇ ସାଥୀ ରନ ଏବଂ ଆକାଶ ଆହତ ହୋଇଛନ୍ତି । ସନିଆକୁ ଗୁରୁତର ଅବସ୍ଥାରେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ କିଛି ସମୟ ଚିକିତ୍ସିତ ହେବା ପରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ସାଙ୍ଗରେ ଯାଇଥିବା ଅନ୍ୟ ୪ ଜଣ ଯୁବକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.