ଦୁର୍ଘଟଣାରୁ ଗୋଷ୍ଠୀ ସଂଘର୍ଷ : ଜଣେ ମୃତ, ଜଣେ ଆହତ

Published By : Prameya-News7 Bureau | February 22, 2021 IST

ଯୋଡା ୨୨।୨: କେନ୍ଦୁଝର ଯୋଡାରେ ଗୋଷ୍ଠୀ ସଂଘର୍ଷ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ମୃତ ଯୁବକଙ୍କ ନାଁ ଦିବ୍ୟାଂସ ସିଂ ବୋଲି ଜଣାପଡ଼ଛି । ଏହି ଘଟଣାରେ ଯୋଡ଼ା ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ସୋମବାର ପୂର୍ବାହ୍ନରେ ଯୋଡ଼ା ଥାନା କମାରଯୋଡ଼ା ଅଂଚଳରେ ଠିକାଦାର ଡି.ପି. ସିଂଙ୍କ ଅଫିସ କମ୍ ଗ୍ୟାରେଜରେ ଏହି ଘଟଣା ଘଟିଛି । ଗ୍ୟାରେଜ୍ ପରିସରରୁ ଏକ ବୋଲେରୋ ଗାଡ଼ି ବାହାରକୁ ବାହାରୁଥିବା ସମୟରେ ଅପର ପାର୍ଶ୍ବରୁ ଆସୁଥିବା ଏକ ଅଟୋ ସହ ଧକ୍କା ହୋଇଥିଲା ।  ଫଳରେ ଅଟୋ ଡ୍ରାଇଭର ଏବଂ ବୋଲେରୋ ଡ୍ରାଇଭରଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା ଓ ପରେ ଠିକାଦାରଙ୍କ କାର୍ଯ୍ୟାଳୟରେ ଥିବା ଅନ୍ୟ କିଛି କର୍ମଚାରୀ ବୋଲରୋ ଡ୍ରାଇଭରଙ୍କ ସହ ମିଶି ଅଟୋ ଡ୍ରାଇଭରଙ୍କୁ ଆକ୍ରମଣ କରିଥିଲେ । ତେବେ ଅଟୋ ଚାଳକ ସ୍ଥାନୀୟ ଅଂଚଳର ହୋଇଥିବାରୁ କିଛି ସମୟ ପରେ ବସ୍ତିର କିଛି ବ୍ୟକ୍ତି ହାତରେ ଠେଙ୍ଗାବାଡ଼ି ଧରି ଉକ୍ତ କାର୍ଯ୍ୟାଳୟରେ ପଶି ସେଠାରେ ଥିବା କର୍ମଚାରୀଙ୍କୁ ଅତର୍କୀତ ଆକ୍ରମଣ କରିଥିଲେ । ଫଳରେ ଦିବ୍ୟାଂସ ସିଂଙ୍କର ମୃତ୍ୟୁ ଘଟିଥିବା ବେଳେ, ରବିକିରଣ ସିଂ ନାମକ ଅନ୍ୟ ଜଣେ ଯୁବକ ଆହତ ହୋଇଛନ୍ତି । ଖବର ପାଇ ଯୋଡ଼ା ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣାରେ ଯୋଡ଼ା ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.