ଭାଙ୍ଗିଗଲା ସଂସାର, ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀ ମୃତ

Published By : Prameya-News7 Bureau | September 15, 2021 IST

ଯାଜପୁର ୧୫।୦୯: ସ୍ବାମୀର କଟୁରୀ ଚୋଟରେ ସ୍ତ୍ରୀ ମୃତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଟମକା ଥାନା ଗୋବର୍ଦ୍ଧନପୁର ଗ୍ରାମରେ। ମଙ୍ଗଳବାର ରାତିରେ ଘଟିଛି ଏହି ଘଟଣା। ପାରିବାରିକ କଳହକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି।  ଅଭିଯୁକ୍ତ ସ୍ବାମୀଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି ପୋଲିସ।

ଖବର ଅନୁଯାୟୀ, ଗୋବର୍ଦ୍ଧନପୁର ଗ୍ରାମର ଗୋପାଳ ବେହେରାଙ୍କ ପୁଅ ରଞ୍ଜିତ ବେହେରା କଳିଙ୍ଗନଗର ସ୍ଥିତ ଏକ କାରଖାନାରେ କାର୍ଯ୍ୟ କରନ୍ତି। ତେବେ ବୁଧବାର ରାତିରେ ନିଜ କାମ ସାରି ଘରକୁ ଫେରିବା ପରେ କୌଣସି କଥାକୁ ନେଇ ସ୍ତ୍ରୀ ହୀରାଙ୍କ ସହ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ରଞ୍ଜିତ ଏକ କଟୁରିରେ ସ୍ତ୍ରୀ ହୀରାଙ୍କ ବେକକୁ ଚୋଟ ପକାଇଥିଲା। ଏହି ସମୟରେ ପାଟିତୁଣ୍ଡ ଶୁଣି ପଡୋଶୀ ସେଠାକୁ ଆସି ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ତ୍ରୀ ହୀରାଙ୍କୁ ଉଦ୍ଧାର କରି ଦାନଗଦୀ ମେଡ଼ିକାଲକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଟମକା ପୋଲିସ ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.