ମନ୍ଦିରରୁ ଫେରୁଥିଲେ, ଟ୍ରକ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ ; କ୍ଷତିପୂରଣ ଦାବିରେ ଉତ୍ତେଜନା

Published By : Prameya-News7 Bureau | July 01, 2021 IST

ଟିଟିଲାଗଡ଼ ୦୧।୦୭ : ଦୁର୍ଘଟଣାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ। ମୃତକ ଦିପ୍ତୀ ହରପାଲ ବୋଲି ଜଣାପଡିଛି । ମନ୍ଦିରରେ ପୂଜା ସାରି ଘରକୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଧକ୍କା ଦେଇଥିଲା ଏକ ହାଇଡ୍ରା ଟ୍ରକ। ଗାଡ଼ି ଚକା ତଳେ ଚାପି ହୋଇ ବୃଦ୍ଧା ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି।

ଖବର ଅନୁଯାୟୀ, ଗୁରୁବାର ସକାଳ ପ୍ରାୟ ୧୦ଟା ସମୟରେ ଜଣେ ବୃଦ୍ଧା ମନ୍ଦିରରୁ ଫେରୁଥିବା ବେଳେ ବଲାଙ୍ଗିର ପଟୁ ଆସୁଥିବା ହାଇଡ୍ରା ଗାଡ଼ି  (ଓଡି ୦୩- ଟି ୬୫୮୨) ଧକ୍କା ଦେଇ ତାଙ୍କ ଉପରେ ମାଡ଼ି ଯାଇଥିଲା। ଯାହାଫଳରେ ବୃଦ୍ଧା ଜଣକ ଚକା ତଳେ ଚାପି ହୋଇଯିବାରୁ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା। ତଥାପି ବଞ୍ଚିବା ପାଇଁ ବୃଦ୍ଧା ଜଣକ ରାସ୍ତା ଉପରେ ମୃତ୍ୟୁ ସଂଗ୍ରାମ କରୁଥିଲେ । ଏସମ୍ପର୍କରେ ଖବର ପାଇ ନିକଟସ୍ଥ ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାକୁ ଉଦ୍ଧାର କରି ଡାକ୍ତରଖାନା ପହଞ୍ଚାଇଥିଲେ।

ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ବୃଦ୍ଧା ଜଣକ ଟିଟିଲାଗଡ଼ ସର୍ଗୀଗୁଡ଼ା ମଦନ ଜାଲ ଛକର ଦୀପ୍ତି ହରପାଲ (୮୦) ବୋଲି ଜଣାପଡିଛି। ଅନ୍ୟପଟେ ଦୁର୍ଘଟଣା ଘଟାଇ ଥିବା ହାଇଡ୍ରାକୁ ପଡ଼ାବାସୀ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ନଦେବା ଯାଏଁ ଛାଡ଼ିବୁ ନାହିଁ ବୋଲି ଅଟକ ରଖୁଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.