ପୋଲତଳକୁ ଖସିଲା ବାଇକ୍‌ : ଜଣେ ମୃତ, ଜଣେ ଗୁରୁତର

Published By : Prameya-News7 Bureau | April 28, 2021 IST

ଢେଙ୍କାନାଳ ୨୮।୦୪: ଢେଙ୍କାନାଳ ଶକ୍ତିସୁଗାର ନିକଟରେ ଦୁର୍ଘଟଣା । ନିର୍ମାଣଧୀନ ପୋଲତଳକୁ ଖସିପଡିଲା ବାଇକ୍‌ । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ମୃତକ କାମାକ୍ଷାନଗର ସମଟାଙ୍ଗିର ରାଜୀବ ଲୋଚନ ନାୟକ ଓ ଗୁରୁତର ରଶ୍ମିରଞ୍ଜନ ନାୟକ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ରାଜୀବ ଓ ରଶ୍ମୀରଞ୍ଜନ ବାଇକରେ କାମାକ୍ଷାନଗରରୁ କଟକ ଯାଉଥିଲେ । କିନ୍ତୁ ଢେଙ୍କାନାଳ ଶକ୍ତିସୁଗାର ନିକଟରେ ବାଇକ୍‌ଟି ନିର୍ମାଣଧୀନ ବ୍ରିଜ ତଳକୁ ଖସିଯାଇଥିଲା । ପ୍ରାୟ ୩୦ ଫୁଟ୍‌ ତଳକୁ ବାଇକ୍‌ଟି ଖସିପଡିଥିଲା । ଫଳରେ ବାଇକ୍‌ରେ ଥିବା ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଟାଉନ୍‌ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ୍‌କୁ ଜବତ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ଗୁରୁତର ବ୍ୟକ୍ତିଙ୍କୁ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି ।

ତେବେ ଜାତୀୟ ରାଜପଥର ସଂପ୍ରସାରଣ କାର୍ଯ୍ୟ ଚାଲୁଥିବା ବେଳେ ଠିକସଂସ୍ଥାର ଖାମ୍‌ଖିଆଲି ମନୋଭାବ ଲାଗି ଏପରି ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି । ବ୍ରିଜ୍‌ କାମ ଚାଲୁଥିବା ବେଳେ କୌଣସି ପ୍ରକାରର ଫଳକ ମରାଯାଇନାହିଁ । ଯାହାଫଳରେ କି ବାରମ୍ବାର ଏପରି ଦୁର୍ଘଟଣା ଘଟୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.