ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ

Published By : Prameya-News7 Bureau | April 16, 2021 IST

ବାଲିପାଟଣା ୧୬।୪: ୮୦୦ ଟଙ୍କା ପାଇଁ ଚାଲିଗଲା ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଆଳୋଇ ଗ୍ରାମରେ । ମହିଳା ମଣ୍ଡଳର ଉଧାର ଟଙ୍କାକୁ ନେଇ ଏଭଳି ଘଟଣା ଘଟିଛି । ମହିଳା ମଣ୍ଡଳର ସଭାନେତ୍ରୀଙ୍କ ପୁଅଙ୍କ ମାଡରେ ଜଣେ ବ୍ୟକ୍ତିଙ୍କର ଜୀବନ ଯାଇଛି । ଏ ନେଇ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ଆଳୋଇ ଗ୍ରାମର ଗଣେଶ ସାହୁଙ୍କ ସ୍ତ୍ରୀ କବିତା ସାହୁ ମହିଳା ମଣ୍ଡଳରୁ ୮୦୦ ଟଙ୍କା ଋଣ ଆଣିଥିଲେ । ଋଣ ଟଙ୍କା ସୁଝିବାକୁ ସମୟ ନେଇଥିଲେ କବିତା । ମାତ୍ର ଗତ ସୋମବାର ଦିନ ମହିଳା ମଣ୍ଡଳର ସଭାନେତ୍ରୀ ରଶି ସାହୁ ଏହି ଋଣ ଟଙ୍କା କବିତାଙ୍କୁ ମାଗିଥିଲେ । ଏହି ଘଟଣାରେ ସଭାନେତ୍ରୀଙ୍କ ପୁଅ ଦୀପକ ସାହୁ ହସ୍ତକ୍ଷେପ କରିବାରୁ କବିତାଙ୍କ ସ୍ବାମୀ ଗଣେଶ ଏହାକୁ ବିରୋଧ କରିଥିଲେ । ଏଥିରେ ଦୀପକ ଉତ୍‌କ୍ଷିପ୍ତ ହୋଇ ଗଣେଶଙ୍କୁ ରାସ୍ତାରେ କଚାଡି ଦେଇଥିଲେ । ଏଥିରେ ଗଣେଶଙ୍କ ମୁଣ୍ଡ ପଛପଟେ ଗଭୀର ଆଘାତ ଲାଗିଥିଲା । ଅର୍ଥାଭାବରୁ ପ୍ରାଥମିକ ଚିକିତ୍ସା କରାଇ ଗଣେଶକୁ ଘରକୁ ଆଣିଥିଲେ

ପରିବାର ଲୋକ । ମାତ୍ର ଗୁରୁବାର ଦିନ ଗଣେଶଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ପରିବାର ଲୋକ ତାଙ୍କୁ ପୁନର୍ବାର ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ମୃତ ହୋଇଛି । ଗଣେଶଙ୍କ ମୃତ୍ୟୁ ପରେ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକ । ପୋଲିସ ଗଣେଶଙ୍କର ମୃତଦେହ ବ୍ୟବଚ୍ଛେଦ କରିବା ପାଇଁ କ୍ୟାପିଟାଲ୍ ହସ୍ପିଟାଲ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହା ସହ ଦୀପକ ସାହୁକୁ ଅଟକ ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.