ବାଇକ୍ ପାର୍କିଂକୁ ନେଇ ୨ ପରିବାର ମଧ୍ୟରେ ସଂଘର୍ଷ, ଜଣେ ମୃତ ଓ ୩ ଗୁରୁତର

Published By : Prameya-News7 Bureau | November 04, 2021 IST

ଆଠଗଡ଼ ୪।୧୧: ବାଇକ୍ ପାର୍କିଂକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ । ଫଳରେ ଜଣଙ୍କର ମୃତ୍ୟୁ ଓ ତିନି ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ପ୍ରଥମେ ବଡ଼ମ୍ବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ଏଭଳି ଏକ ଘଟଣା ଘଟିଛି କଟକ ଜିଲ୍ଲା ବଡ଼ମ୍ବା ଥାନା ମୁଗଗହିର ଗ୍ରାମରେ।

ସୂଚନାଯୋଗ୍ୟ ଯେ, ମୁଗଗହିର ଗାଁର ୩୬ ବର୍ଷ ବୟସ୍କ ଦିଲ୍ଲୀପ ଖଟୁଆ କଟକରେ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି । ଦୀପାବଳି ଛୁଟିରେ ନିଜ ଘରକୁ ଫେରି ଘର ପାଖରେ ଥିବା ବାସେଳୀ ମନ୍ଦିର ନିକଟରେ ନିଜର ବାଇକ୍ ରଖି ଘରକୁ ଯିବା ସମୟରେ ସେହି ଗ୍ରାମର ଚରଣ ରାଉତ ଦିଲ୍ଲୀପଙ୍କୁ ବାସେଳୀ ଠାକୁରାଣୀଙ୍କ ମନ୍ଦିର ନିକଟରେ ଗାଡି ଥୋଇବାକୁ ବାରଣ କରିଥିଲେ । ଦିଲ୍ଲୀପ ଖଟୁଆ ତାଙ୍କ କଥା ନଶୁଣିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ପରେ ଦିଲ୍ଲୀପ ତାଙ୍କ ଘରକୁ ଚାଲି ଆସିଥିଲେ। ସେହି ସମୟରେ ଚରଣ ଓ ତାଙ୍କ ପରିବାର ଦିଲ୍ଲୀପଙ୍କ ଘରକୁ ଆସି ମାଡ଼ ପିଟ କରିଥିଲେ। ଦିଲ୍ଲୀପଙ୍କ ସମେତ ତାଙ୍କ ସାନ ଭାଇ, ବାପା, ମା ଓ ଭଉଣୀଙ୍କୁ ଚରଣ ରାଉତଙ୍କ ପରିବାର ଠେଙ୍ଗା, ବାଡ଼ି, ଇଟା ଓ ଶୀଳପୁଆରେ ମାରିଥିଲେ। ଫଳରେ ଦିଲ୍ଲୀପଙ୍କ ପରିବାର ୪ ଜଣ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ପ୍ରଥମେ ବଡମ୍ବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା । ସେଠାରେ ଡାକ୍ତର ଦିଲ୍ଲୀପଙ୍କୁ ମୃତ ଘୋଷଣା କରିଥିବା ବେଳେ ଦିଲ୍ଲୀପଙ୍କ ବାପା, ମା ଓ ସାନ ଭାଇ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ବଡମ୍ବା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.