୫ମ ଟେଷ୍ଟ ପୂର୍ବରୁ ବଢିଲା ଟିମ୍‌ ଇଣ୍ଡିଆର ଟେନସନ୍‌, ଆଉ ଜଣେ ସଦସ୍ୟ କରୋନା ଆକ୍ରାନ୍ତ : ଟ୍ରେନିଂ ସେସନ୍‌ ବାତିଲ

Published By : Prameya-News7 Bureau | September 09, 2021 IST

ନୂଆଦିଲ୍ଲୀ ୦୯/୦୯ : ଭାରତୀୟ କ୍ରିକେଟ ଟିମ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ରହିଛି । ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରୁ ୪ଟି ମ୍ୟାଚ୍ ଖେଳାଯାଇସାରିଛି । ଭାରତ ୨-୧ରେ ଆଗୁଆ ରହିଥିବା ବେଳେ ଏବେ ୫ମ ମ୍ୟାଚ୍‌କୁ ନେଇ ଚିନ୍ତା ବଢିଛି । କାରଣ ଭାରତୀୟ ଦଳର ଆଉ ଜଣେ ସଦସ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ପୂର୍ବରୁ ଦଳର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଏବଂ ୩ ଜଣ ସପୋର୍ଟ ଷ୍ଟାଫ୍‌ କରୋନାରେ ଆକ୍ରାନ୍ତ ହୋଇ ଆଇସୋଲେସନରେ ଥିବା ବେଳେ ବର୍ତ୍ତମାନ ଦଳର ଭାରତୀୟ ଦଳର ଫିଜିଓ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

ଭାରିତୀୟ ଦଳର ଫିଜିଓ ଯୋଗେଶ ପରମାର କରୋନା ସଂକ୍ରମିତ ହୋଇଥିବା ବେଳେ ୫ମ ମ୍ୟାଚ୍‌ ପାଇଁ ହେବାକୁ ଥିବା ଟ୍ରେନିଂ ବନ୍ଦ ରହିଛି । ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଓଲ୍ଡ ଟ୍ରାଫୋର୍ଡରେ ଆରମ୍ଭ ହେବାକୁ ଯାଉଛି ୫ମ ଟେଷ୍ଟ । ଏହା ପୂର୍ବରୁ ଗୁରୁବାର ଟିମ ଇଣ୍ଡିଆର ଟ୍ରେନିଂ ସେସନ୍‌ ମଧ୍ୟ ରଦ୍ଦ କରିଦିଆଯାଇଛି । ଯୋଗେଶ ପରମାରଙ୍କ ପୂର୍ବରୁ ଦଳର ମୁଖ୍ୟ ଫିଜିଓ ନିତିନ୍‌ ପଟେଲ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ତେଣୁ ଭାରତର ଉଭୟ ଫିଜିଓ କରୋନା ସଂକ୍ରମିତ ହୋଇସାରିଥିବାରୁ ଭାରତକୁ ଇଂଲଣ୍ଡ ଫିଜିଓଙ୍କ ସହାୟତା ନେବାକୁ ହେବ ।

ଟିମ ଇଣ୍ଡିଆର ଏକାଧିକ ସଦସ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଆଗାମୀ ସୂଚନା ଯାଏଁ ନିଜ ନିଜ ହୋଟେଲ ରୁମ୍‌ରେ ରହିବାକୁ କୁହାଯାଇଛି । ବୁଧବାର ସନ୍ଧ୍ୟାରେ କରାଯାଇଥିବା କରୋନା ଟେଷ୍ଟରେ ସହଯୋଗୀ ଫିଜିଓ ଯୋଗେଶ ପରମାର ସଂକ୍ରମିତ ହୋଇଥିବା ଜଣାପଡିଛି ।

ଯୋଗେଶ ପରମାରଙ୍କ ପୂର୍ବରୁ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ, ବୋଲିଂ କୋଚ୍‌ ଭରତ ଅରୁଣ, ମୁଖ୍ୟ ଫିଜିଓ ନିତିନ୍‌ ପଟେଲ ଏବଂ ଆର୍‌ ଶ୍ରୀଧର କରୋନା ସଂକ୍ରମିତ ହୋଇସାରିଛନ୍ତି । ଭାରତୀୟ ଦଳର ଏହି ସପୋର୍ଟ ଷ୍ଟାଫ୍‌ଙ୍କୁ ୧୦ ଦିନ ଯାଏଁ ଆଇସୋଲେସନରେ ରହିବାକୁ ହେବ । ଦି ଓଭାଲ ଟେଷ୍ଟ ବେଳେ ଏମାନେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା ।

ଟେଷ୍ଟ ସିରିଜ କଥା କହିବାକୁ ଗଲେ, ଭାରତୀୟ ଦଳ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୨-୧ରେ ଆଗୁଆ ରହିଛି । ପ୍ରଥମ ଟେଷ୍ଟ ବର୍ଷା ଯୋଗୁଁ ଡ୍ର ହୋଇଯାଇଥିଲା । ଦ୍ବିତୀୟ ଟେଷ୍ଟରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଥିବା ବେଳେ ତୃତୀୟ ଟେଷ୍ଟକୁ ଇଂଲଣ୍ଡ ନିଜ କବ୍‌ଜାକୁ ନେଇଥିଲା । ଚତୁର୍ଥ ଟେଷ୍ଟରେ ଭାରତ ଏହାର ବଦ୍‌ଲା ନେବା ସହିତ ଇଂଲଣ୍ଡକୁ ୧୫୭ରନରେ ଧୂଳି ଚଟାଇଥିଲା । ଶୁକ୍ରବାର ଓଲ୍ଡ ଟ୍ରାଫର୍ଡରେ ୫ମ ତଥା ଶେଷ ଟେଷ୍ଟ ମ୍ୟାଚ୍ ଖେଳାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.