ଭଦ୍ରକ ସବ ଜେଲର ରୋମିଓ ଜେଲରଙ୍କ ବିରୋଧରେ ପୁଣି ଜଣେ ଯୁବତୀ ଆଣିଲେ ଅସଦାଚରଣ ଅଭିଯୋଗ
5/09/2018 at 4:41 PM

ଭଦ୍ରକ ୫/୯ : ଭଦ୍ରକ ସବ-ଜେଲର ରୋମିଓ ଜେଲର ଚିନ୍ମୟ ରଞ୍ଜନ ପାତ୍ରଙ୍କ ବିରୋଧରେ ଆଜି ପୁଣି ଏକ ଅସଦାଚରଣ ମାମଲା ଦାୟର ହୋଇଛି | କେନ୍ଦୁଝର ବଡ଼ବିଲର ଜଣେ ଯୁବତୀ ଭୁବନେଶ୍ୱର ମହିଳା କମିଶନଙ୍କ ନିକଟରେ ଏହି ଅଭିଯୋଗ କରିଛନ୍ତି | ସୂଚନାଯୋଗ୍ୟ ଯେ, ଗତ ରବିବାର ଦିନ ଆଉ ଜଣେ ଯୁବତୀ ଭଦ୍ରକ ଥାନାରେ ଚିନ୍ମୟଙ୍କ ବିରୋଧର ଅସଦାଚରଣ,ଠକେଇ ଓ ବ୍ଲାକମେଲିଙ୍ଗ ଭଳି ଗୁରୁତର ଅଭିଯୋଗ କରିଛନ୍ତି |
ଆଜି ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିଥିବା ଯୁବତୀ ହିନ୍ଦୀରେ ଲିଖିତ ତାଙ୍କ ଅଭିଯୋଗ ପତ୍ରରେ ଲେଖିଛନ୍ତି ଯେ, ମିସ କଲ ମାଧ୍ୟମରେ ଚିନ୍ମୟଙ୍କ ସହ ତାଙ୍କର କଥାବାର୍ତ୍ତା ହୋଇଥିଲା | ତାପରେ ବାରମ୍ବାର ଚିନ୍ମୟ ତାଙ୍କୁ ଭଦ୍ରକ ଡାକୁଥିଲେ | କିନ୍ତୁ ସେ କେବେ ଭଦ୍ରକ ଯାଇନଥିଲେ | ତେବେ ଗତ ଜୁନ ମାସ ୧ ତାରିଖ ସନ୍ଧ୍ୟାରେ ଚିନ୍ମୟ ହଠାତ OD-01Q 0001 ନମ୍ବର ଥିବା ଏକ ଧଳା କାରରେ ବଡ଼ବିଲ ପହଂଚି ଯାଇଥିଲେ | ଫୋନ କରି ତାଙ୍କୁ ଘରକୁ ଡାକିବା ସହ କାରରେ ବସାଇ ଷ୍ଟେସନ ରୋଡ଼ ପଟେ ଥିବା ଜଙ୍ଗଲିଆ ଜାଗା ଆଡକୁ ନେଇଯାଇଥିଲେ | ଏ ଜାଗାକୁ କାହିଁକି ଆଣିଲ ବୋଲି ଯୁବତୀ ଜଣକ ଚିନ୍ମୟଙ୍କୁ ପଚାରିଥିଲେ | ଚିନ୍ମୟ ତାଙ୍କୁ ସିଧାସଳଖ କହିଥିଲେ ଶାରୀରିକ ସମ୍ପର୍କ ପାଇଁ ସେ ଏଠାକୁ ଆସିଛନ୍ତି | ଯୁବତୀ ଏହାର ପ୍ରତିବାଦ କରିଥିଲେ | ଚିନ୍ମୟ ଯୁବତୀଙ୍କ ସହ ଜବରଦସ୍ତି କରିଥିଲେ ଏବଂ ଏ ସମ୍ପର୍କରେ କାହାକୁ କହିଲେ ଜୀବନରେ ମାରିଦେବେ ବୋଲି ଧମକ ଦେଇଥିଲେ | ଆହୁରି ମଧ୍ୟ ସେ କହିଥିଲେ”ଆଇଜି ଅଫିସରେ ମୋର ପରିଚୟ ଅଛି, କେନ୍ଦୁଝରରେ ମଧ୍ୟ ମୋର ସମ୍ପର୍କୀୟ ଅଛନ୍ତି ଏବଂ ମୁଁ ଜଣେ ପ୍ରଭାବଶାଳୀ ଲୋକ, ତମ ପରିବାରକୁ ବଡ଼ବିଲରେ ରଖାଇଦେବି ନାହିଁ” ବୋଲି ଯୁବତୀଙ୍କୁ ସେ ଧମକ ଦେଇଥିବା ଯୁବତୀ ତାଙ୍କ ଅଭିଯୋଗ ପତ୍ରରେ ଲେଖିଛନ୍ତି | ମହିଳା କମିଶନ ବିଧିବଦ୍ଧ ଭାବେ ଏକ ମାମଲା ରୁଜ୍ଜୁ କରିଛନ୍ତି |
ଅପରପାର୍ଶ୍ଵରେ ଫୋନ ଯୋଗେ ଚିନ୍ମୟ ଆମ ପ୍ରତିନିଧିଙ୍କୁ କହିଛନ୍ତି ଯେ, ଗତ ୧୧ ତାରିଖ ଦିନ ସେ ଅଫିସରେ ଥିବା ବେଳେ ଏକ ଅଜଣା ଝିଅର ଫୋନ କଲ ତାଙ୍କ ପାଖକୁ ଆସିଥିଲା | ଏହି ଅଜଣା ଝିଅଙ୍କ ସହ ସେ ଘଣ୍ଟାଏ କଥା ହୋଇଥିଲେ | ସମ୍ପୃକ୍ତ ଝିଅ ଜାମସେଦପୁରରେ ରହୁଥିବା ତାଙ୍କୁ କହିଥିଲେ ଓ ବନ୍ଧୁତା କରିବାକୁ ଚାହୁଁଥିଲେ | ତେବେ ତା ପରଠାରୁ ସେ ଆଉ କେବେ ଏହି ଯୁବତୀଙ୍କ ଫୋନ ଉଠାଇ ନାହାନ୍ତି କି ତାଙ୍କୁ ଜାଣନ୍ତିନାହିଁ |
ରବିବାର ଠାରୁ ଇତି ମଧ୍ୟରେ ଦୁଇ ଦୁଇଟି ସାଙ୍ଘାତିକ ଆସଡ଼ଚାରଣ ମାମଲା ଭଦ୍ରକ ସବ ଜେଲର ଜେଲର ଚିନ୍ମୟ ପାତ୍ରଙ୍କ ବିରୋଧରେ ହେବା ପରେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଆଶଙ୍କା କରାଯାଉଛି |