ଏମିତି ବି ଆସେ ମୃତ୍ୟୁ…

Published By : Prameya-News7 Bureau | June 01, 2020 IST

ଖୋର୍ଦ୍ଧା ୦୧।୦୬: ମୃତ୍ୟୁ କେତେବେଳେ ଆଉ କେମିତି ଆସେ ତାହା ବିଶ୍ୱାସ କରିବା କଷ୍ଟକର । ସମ୍ମୁଖରେ ଥୁଆ ହୋଇଥିବା କାର୍‌ର ଖୋଲା ଡ଼ୋର ଧକ୍କା ଦେବା ପରେ ପଛରୁ ଆସିଥିବା ଏକ ୪୦୭ ଚକା ତଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଏ ଘଟଣାରେ ପୁଲିସ କାର୍‌ ଡ୍ରାଇଭର ରାୟଗଡ଼ାର କାଶୀନାଥ ସାହୁଙ୍କୁ ଅଟକ ରଖିଥିବା ବେଳେ ମିନିଟ୍ରକ୍‌ ଡ୍ରାଇଭର ଗାଡ଼ି ଛାଡ଼ି ଚମ୍ପଟ ମାରିଥିବା ଜଣାଯାଇଛି । ମୃତ ମହିଳା ହେଲେ ସଦରଥାନା ଅନ୍ତର୍ଗତ ବ୍ରଜମୋହନପୁର ବାସିନ୍ଦା ବୈଜୟନ୍ତୀ ବରାଳ(୪୫) ।

ସୂଚନାଯୋଗ୍ୟ ଯେ, ବୈଜୟନ୍ତୀ ଶନିବାର ପୂର୍ବାହ୍ନରେ ବାପଘର ପୁରୀ ଜିଲ୍ଲା କଣାସ ବ୍ଲକ୍‌ ଗଡ଼ିଶାଗଦାରୁ ଶାଶୂଘର ବ୍ରଜମୋହନପୁରକୁ ସାନଭାଇ ବିଭୂତି ଭୂଷଣ ହରିଚନ୍ଦନ(୩୪)ଙ୍କ ସହ ଫେରୁଥିଲେ । ଭାଇଭଉଣୀ ଏକ ସ୍କୁଟି (ଓଡି୦୨ଏସି ୫୭୯୯)ରେ ଖୋର୍ଦ୍ଧା ଅଭିମୁଖେ ଆସୁଥିଲେ । ଏହି ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଏକ କାର୍‌ (ଓଡି୧୮ଜି ୭୭୧୫) ଠିଆ ହୋଇଥିଲା । ସ୍କୁଟି କାର୍‌କୁ ଅତିକ୍ରମ କରିବା ସମୟରେ ହଠାତ୍‌ କାର୍‌ ଡ୍ରାଇଭର କାଶୀନାଥ ସାହୁ କୌଣସି କାରଣବଶତଃ ଡ଼ୋର୍‌ ଖୋଲି ଦେଇଥିଲେ । ଫଳରେ କାର୍‌ ଡୋର୍‌ ସ୍କୁଟିରେ ମାଡ଼ ହୋଇଥିଲା । ସ୍କୁଟି ଚଳାଉଥିବା ବିଭୂତି ଭାରସାମ୍ୟ ହରାଇବାରୁ ପଛରେ ବସିଥିବା ବୈଜୟନ୍ତୀ ଜାତୀୟ ରାଜପଥ ଉପରେ ଛିଟିକି ପଡ଼ିଥିଲେ ।

ଏହି ସମୟରେ ପଛରୁ ଦ୍ରୁତଗତିରେ ଆସୁଥିବା ଏକ ୪୦୭ (ଓଡି୦୨ଏଇ ୮୮୩୪) ରାସ୍ତାରେ ପଡ଼ିଥିବା ବୈଜୟନ୍ତୀଙ୍କ ଉପରେ ମାଡ଼ି ଯାଇଥିଲା । ଅଗ୍ନିଶମ କର୍ମଚାରୀ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିବା ଦାୟିତ୍ୱରେ ଥିବା ଡ଼ାକ୍ତର ଘୋଷଣା କରିଥିଲେ । ଏହାପରେ ଡାକ୍ତରଖାନାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ମୃତ ବୈଜୟନ୍ତୀଙ୍କ ବଡ଼ଭାଇ ବିକ୍ରମ ଶ୍ରୀଚନ୍ଦନଙ୍କ ଅଭିଯୋଗ କ୍ରମେ ଆଦର୍ଶ ଥାନା ପୁଲିସ ଏକ ମାମଲା (ନଂ-୧୮୦ା୨୦) ରୁଜୁ କରିଛି । ଦୁର୍ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ଅଟକ ରଖିଥିବା କାର୍‌ ଡ୍ରାଇଭର କାଶୀନାଥଙ୍କୁ ପୁଲିସ ଗିରଫ କରିଛି । ଗାଡ଼ି ଛାଡ଼ି ଚାଲିଯାଇଥିବା ୪୦୭ ଡ୍ରାଇଭରକୁ ଏଯାବତ୍‌ ଠାବ କରିନଥିବା ଜଣାଯାଇଛି । ପୁଲିସ ଦୁର୍ଘଟଣାଗ୍ରସ୍ତ ଦୁଇ ଗାଡ଼ିକୁ ଜବତ କରି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.