ଯୁବତୀଙ୍କୁ କାର୍‌ରେ ଗଣଦୁଷ୍କର୍ମ ଅଭିଯୋଗ ଘଟଣା : ଜଣେ ଯୁବକ ଅଟକ, କାର୍ ଜବତ କଲା ପୋଲିସ

Published By : Prameya-News7 Bureau | November 07, 2019 IST

ଭୁବନେଶ୍ବର ୭।୧୧: ଭୁବନେଶ୍ବରରୁ କାର୍ ଭଡା କରି ଖୋର୍ଦ୍ଧା ଆସୁଥିବା ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖିଛି । ଯୁବତୀ ଆସୁଥିବା କାର୍ କୁ ମଧ୍ୟ ଜବତ କରିଛି ଖଣ୍ଡଗିରି ଥାନା ପୋଲିସ । ଅଟକ ଯୁବକଙ୍କୁ ଘଟଣା ସଂପର୍କରେ ପଚରାଉଚରା କରୁଛି ପୋଲିସ । ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯୁବତୀଙ୍କୁ ଚିକିତ୍ସା କରାଯାଉଛି ।

ସୂଚନାଯୋଗ୍ୟ ଯେ, ଗତକାଲି ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ଜେମାଦେଈପୁରର କିଛି ଯୁବକ ରାସ୍ତା ନିକଟସ୍ଥ ଶ୍ମଶାନ କଡ଼ରେ ଯୁବତୀଙ୍କୁ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ । ତାଙ୍କର ଶରୀର କ୍ଷତାକ୍ତ ହୋଇଥିଲା । ଯୁବତୀଙ୍କ ଚେତା ଫେରିବା ପରେ ସେ ଭୁବନେଶ୍ବରରେ କାମ କରୁଥିବା କହିଥିଲେ। ସେ ସବୁଦିନ ପରି କାଲି ମଧ୍ୟ କାର୍  ଭଡ଼ା କରି ଖୋର୍ଦ୍ଧା ଫେରୁଥିଲେ । ସେହି କାର୍ ରେ ୩ ଜଣ ବସିଥିଲେ ବୋଲି ଯୁବତୀ ଜଣଙ୍କ କହିଥିଲେ । ଯୁବତୀ ଜଣଙ୍କ ଅର୍ଦ୍ଧନଗ୍ନ ଅବସ୍ଥାରେ ଥିଲେ । ଯୁବକମାନେ ପୋଲିସକୁ ଖବର ଦେବା ସହ ଅଗ୍ନିଶମ ବିଭାଗ କର୍ମଚାରୀମାନଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଥିଲେ ।

ଖବର ପାଇ ଟାଉନ୍ ଥାନା ଅଧିକାରୀ ଜଣେ ମହିଳା ଏସ୍ଆଇ ଓ ଅନ୍ୟ କର୍ମଚାରୀମାନଙ୍କ ସହ ସେଠାରେ ପହଞ୍ଚି ଯୁବତୀଙ୍କୁ ପଚରାଉଚୁରା କରିଥିଲେ । ପରେ ଏସପି ମଧ୍ୟ ହସପିଟାଲରେ ପହଞ୍ଚିଥିଲେ । ଉଦ୍ଧାର ହୋଇଥିବା ଯୁବତୀଙ୍କ ଘର ନୟାଗଡ଼ ଜିଲ୍ଲା ଗଣିଆ ଅଞ୍ଚଳରେ । ବାପାଙ୍କ ମୃତ୍ୟୁ ହୋଇଥିବାବେଳେ ସେ ଓ ତାଙ୍କ ବିଧବା ମା’ ଖୋର୍ଦ୍ଧାରେ ରହୁଛନ୍ତି । ସେ କୌଣସି ସାଟିର୍ଫିକେଟ୍ ଆଣିବା ପାଇଁ ଭୁବନେଶ୍ବର ଯାଇଥିଲେ । ଖଣ୍ଡଗିରି ଛକରୁ ଏକ ଭଡ଼ା କାର୍ ରେ ଆସୁଥିଲା ବେଳେ ବାଟରେ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ।

ତେବେ ଭୁବନେଶ୍ବର କଳିଙ୍ଗ ନଗର ରାସ୍ତାରେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଯୁବତୀ ପୋଲିସ ଆଗରେ ବୟାନ ଦେଇଥିଲେ । ଘଟଣାଟି ଖଣ୍ଡଗିରି ଥାନା ଅଞ୍ଚଳରେ ଘଟିଥିବାରୁ ଖୋର୍ଦ୍ଧା ପୋଲିସ ଏ ମାମଲା ଖଣ୍ଡଗିରି ପୋଲିସ କୁ ହସ୍ତାନ୍ତର କରିଥିଲା । ଖଣ୍ଡଗିରି ପୋଲିସ ଏ ଘଟଣାରେ ଜଣେ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି । ଯୁବତୀ ଆସିଥିବା କାର୍ କୁ ମଧ୍ୟ ପୋଲିସ ଜବତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.