ସରପଞ୍ଚଙ୍କୁ ହତ୍ୟା ଧମକ ମାମଲା, ଜେଲ ଗଲା ଅଭିଯୁକ୍ତ

Published By : Prameya-News7 Bureau | April 17, 2021 IST

ସାନଖେମୁଣ୍ଡି ୧୭।୦୪: ଦିଗପହଣ୍ଡିରେ ସରପଞ୍ଚଙ୍କୁ ହତ୍ୟା ଧମକ ମାମଲା । ଘଟଣାରେ ପୋଲିସର ଆକ୍ସନ । ପୋଲିସ ରାଜପୁର ଗାଁର ବୁଲୁ ସାହୁ ନାମକ ଜଣେ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟରେ ଅଭିଯୁକ୍ତର ଜାମିନ ନାମଞ୍ଜୁର ହେବା ପରେ ଦିଗପହଣ୍ଡି ସବ୍‌ଜେଲ୍‌ ହାଜତକୁ ପଠାଯାଇଛି ।

ଖବର ଅନୁଯାୟୀ, ଗତ ମଙ୍ଗଳବାର ସଂଧ୍ୟା ୭ଟାରେ ଅଭିଯୁକ୍ତ ଦିଗପହଣ୍ଡି ପୁଞ୍ଜିକଁୟା ଛଖରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଠିଆ ହୋଇଥିବା  ଆଙ୍କୋରଡା ପଞ୍ଚାୟତ ସରପଞ୍ଚ ଉଷନ୍ତ କୁମାର ସାହୁ ଏବଂ ଗାଁର କିଛିବ୍ୟକ୍ତି ଙ୍କୁ ଗାଳିଗୁଲଜ କରିବା ସହ ସରପଞ୍ଚଙ୍କୁ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ। ସରପଞ୍ଚ ସେଠାରୁ ଜୀବନ ଭୟରେ ବାଇକ୍ ଯୋଗେ ତାଙ୍କ  ଘରକୁ ଫେରୁଥିବା ବେଳେ ବୁଲୁ ତାଙ୍କୁ ପିଛା କରି ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିଥିଲେ । ଏହା ସହ ପୁଣି ଥରେ ହତ୍ୟା ଧମକ ଦେଇଥିଲେ। ସରପଞ୍ଚ ଏନେଇ ଥାନାରେ ଏତଲା ଦେଇଥିଲେ।

ଏତଲାକୁ ଭିତ୍ତିକରି ଆଇଆଇସି ଅଭିଯୁକ୍ତ ବିରୋଧରେ ମୋକଦ୍ଦମା ରୁଜୁ କରି ତଦନ୍ତ ଜାରି ରଖିଥିଲେ । ଘଟଣା ଦିନଠାରୁ ଗିରଫ ଭୟରେ ଅଭିଯୁକ୍ତ ବୁଲୁ ଫେରାର ଥିଲେ। ଗତ ଗୁରୁବାର ଅଭିଯୁକ୍ତ ଜଣକ ଗାଁକୁ ଫେରିଥିବା ଖବର ପାଇ ତଦନ୍ତକାରୀ ପୋଲିସ ଅଧିକାରୀ ତାଙ୍କୁ ଗିରଫ କରିଥିଲେ ।  ନିୟମାନୁଯାୟୀ ବୋମକେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ଼ ପରୀକ୍ଷା କରାଇବା ପରେ ଶୁକ୍ରବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.