ପରଲୋକରେ କରୁଣାନିଧି ; ଦିନକ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା
8/08/2018 at 6:17 AM

ତାମିଲନାଡୁ ୮/୮ : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ସୁପ୍ରିମୋ ଏମ. କରୁଣାନିଧିଙ୍କ ପରଲୋକ ହୋଇଛି । ମଙ୍ଗଳବାର ସନ୍ଧ୍ୟା ୬ଟା ୧୦ ମିନିଟରେ କାବେରୀ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା । କରୁଣାନିଧିଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ଆଜି କରୁଣାନିଧିଙ୍କ ଶେଷ ଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାହୁଲ ଗାନ୍ଧି ଚେନ୍ନାଇ ଯିବେ । ସେହିଭଳି ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର ଓ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ମଧ୍ୟ ଚେନ୍ନାଇ ଯିବେ । କରୁଣାନିଧିଙ୍କ ଦେହାନ୍ତରେ ଆଜି ଦିନକ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ତାମିଲନାଡୁ ସରକାର ଆଜି ଛୁଟି ଘୋଷଣା କରିବା ସହ ସାତ ଦିନିଆ ଶୋକ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।