ଗଞ୍ଜେଇ ରାକେଟ୍‌ରେ ଏଏସ୍‌ଆଇ ମାଷ୍ଟର ମାଇଣ୍ଡ୍: କୋଟିଏ ଟଙ୍କାର ଗଞ୍ଜେଇ ସହ ୨୭ ଗିରଫ

Published By : Prameya-News7 Bureau | June 26, 2020 IST

କୋରାପୁଟ୨୬/୦୬: ଗଞ୍ଜେଇ ଧରପଗଡ଼ରେ କୋରାପୁଟ ଜିଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା । ଗତ ଦୁଇଦିନରେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଧରାପଡିଛି ୧୬୭୨ କେଜି ୮୬୫ ଗ୍ରାମ୍‌ ଗଞ୍ଜେଇ, ଯାହାର ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ । ଏହି କାରବାରରେ ମୋଟ ୨୭ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ପୁଲିସ୍‌ ଅଧିକାରୀ । ସେ ହେଉଛନ୍ତି ପଟ୍ଟାଙ୍ଗୀ ଥାନାର ଏଏସ୍‌ଆଇ ଗୋଲକ ବିହାରୀ ପଟ୍ଟନାୟକ । ଏସବୁ ଗଞ୍ଜେଇ ଚାଲାଣ ପଛରେ ସେ ଥିଲେ ମାଷ୍ଟର ମାଇଣ୍ଡ। ଗୁରୁବାର ସନ୍ଧ୍ୟାରେ ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି ।

ଏଥିସହ ଗିରଫ ଅଭିଯୁକ୍ତମାନଙ୍କ ପାଖରୁ ୧୦ଟି ଦାମୀ ଗାଡ଼ି, ଏଟିଏମ୍‌ ଏବଂ ମୋବାଇଲ୍‌ ଜବତ କରାଯାଇଛି। ମୋଟ ୧୦ଟି ଥାନାରେ ୧୦ଟି ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ଏଏସ୍‌ଆଇ ଗିରଫ ଘଟଣାରେ ସୁନାବେଡ଼ା ଥାନାରେ ମାମଲା ରୁଜୁ କରାଯାଇଛି । ପୂର୍ବାହ୍ନରେ ଏସ୍‌ପି ମୁକେଶ କୁମାର ଭାବୁ ଗଣମାଧ୍ୟମକୁ କହିଥିଲେ, ବୁଧବାର ଓ ଗୁରୁବାର ଦୁଇଦିନ ଧରି ଜିଲ୍ଲାର ୧୦ଟି ଥାନା ଅଞ୍ଚଳରେ ପୁଲିସ ପକ୍ଷରୁ ଗଞ୍ଜେଇ ଧରପଡଗଡ଼ କରାଯାଇଥିଲା ।

କୋରାପୁଟ ରାସ୍ତା ଦେଇ ଏହି ଗଞ୍ଜେଇ ଭୁବନେଶ୍ୱର, ରାଜସ୍ଥାନ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ରାୟପୁର ଏବଂ ଆନ୍ଧ୍ର ପ୍ରଭୃତି ଅଞ୍ଚଳକୁ ଚାଲାଣ ହେଉଥିଲା । ଗିରଫ ହୋଇଥିବା ୨୭ ଜଣଙ୍କଠାରୁ ଗଞ୍ଜେଇ ଚାଲାଣର ଅନେକ ଗୁପ୍ତ ସୂଚନା ମିଳିଛି । କେଉଁ କେଉଁ ସ୍ଥାନରୁ ଗଞ୍ଜେଇ ଲୋଡ୍‌ ହେଉଛି, କିଭଳି କିଣାବିକା ହେଉଛି-ସେ ସମ୍ପର୍କରେ ବହୁ ତଥ୍ୟ ମିଳିଛି । କୋରାପୁଟରୁ ଭୁବନେଶ୍ୱର ଦେଇ ପଶ୍ଚିମବଙ୍ଗ ଓ ବିହାର ସମେତ ଦେଶର ବିଭିନ୍ନ ସ୍ଥାନକୁ ଗଞ୍ଜେଇ ଚାଲାଣ ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିଥିଲା । ଏସବୁ ଅଞ୍ଚଳକୁ ବୁଧବାର ଓ ଗୁରବାର ଗଞ୍ଜେଇ ଚାଲାଣ ହେଉଥିଲା 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.