ଚଳନ୍ତା ଟ୍ରେନ୍ରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ, ଯୁବକକୁ ଗିରଫ କଲା ଜିଆରପି
19/10/2019 at 1:38 PM

ରାଉରକେଲା ୧୯।୧୦: ଚଳନ୍ତା ଟ୍ରେନରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି । ପୀଡିତା ମହିଳାଙ୍କ ଅଭିଯୋଗ ପରେ ତିନି ଜଣଙ୍କୁ ଗିରଫ କରିଛି ରାଉରକେଲା ଜିଆରପି ।
ସୂଚନାଯୋଗ୍ୟ ଯେ, ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସରେ ମହିଳାଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି । ରାଉରକେଲାର ଜଣେ ମହିଳା ଏନେଇ ଅଭିଯୋଗ କରିଛନ୍ତି । ଗତକାଲି ମହିଳା ଜଣଙ୍କ ରାଜ୍ୟରାଣୀ ଏକ୍ସପ୍ରେସର ଜେନେରାଲ ବଗିରେ ଭୁବନେଶ୍ବରରୁ ରାଉରକେଲା ଆସୁଥିଲେ । ସେହି ବଗିରେ ଗୌତମ ରାଉତ ନାମକ ଜଣେ ଯୁବକ ଢେଙ୍କାନାଳରୁ ରାଉରକେଲା ଆସୁଥିଲେ । ମହିଳା ଜଣଙ୍କ ଶୋଇଥିବା ଆବସ୍ଥାରେ ରାଜଗାଙ୍ଗପୁର ନିକଟରେ ସଂପୃକ୍ତ ଯୁବକ ମହିଳାଙ୍କ ସହ ଅସଦାଚରଣ କରିଥିବା ମହିଳା ଅଭିଯୋଗ କରିଛନ୍ତି । ମହିଳାଙ୍କ ନିଦ ଭାଙ୍ଗିଯିବା ପରେ ସେ ଚିତ୍କାର କରିବାରୁ ଟ୍ରେନର ଅନ୍ୟ ଯାତ୍ରୀମାନେ ଯୁବକକୁ ଧରି ରାଉରକେଲା ଜିଆରପି ପୋଲିସର ହସ୍ତାନ୍ତର କରିଥିଲେ।
ଅନ୍ୟପଟେ ଯୁବକ ଜଣଙ୍କ ସେଭଳି କିଛି କରିନଥିବାର କହିଛନ୍ତି । ଯୁବକଙ୍କ କହିବା ଅନୁସାରେ ଜେନେରାଲ ବଗିରେ ମହିଳା ଶୋଇଥିବା ସିଟରେ ସେ ବସିଥିଲେ। ନିଦ ଲାଗିବାରୁ ଅସାବଧାନତା ଯୋଗୁଁ ତାଙ୍କ ହାତ ମହିଳାଙ୍କ ଗୋଡରେ ବାଜିଥିଲା ଯାହାକୁ ନେଇ ମହିଳା ଜଣଙ୍କ ଭୁଲ ଭାବିଥିଲେ। ରାଉରକେଲା ଜିଆରପି ମହିଳାଙ୍କ ଅଭିଯୋଗକୁ ଆଧାର କରି ଯୁବକଙକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଯୁବକଙ୍କ ଠାରୁ ତିନୋଟି ମୋବାଇଲ ଫୋନ୍ ମଧ୍ୟ ଜବତ କରିଛି ପୋଲିସ ।