ରାଜଧାନୀରେ କଙ୍ଗାରୁକୋର୍ଟରେ ଘରୋଇ ଶିକ୍ଷକଙ୍କୁ ଦଣ୍ଡ ଦେବା ଘଟଣା : ଜଣକୁ ଗିରଫ କଲା ପୋଲିସ

Published By : Prameya-News7 Bureau | June 04, 2019 IST

ଭୁବନେଶ୍ବର ୪|୬: କଙ୍ଗାରୁକୋର୍ଟରେ ଘରୋଇ ଶିକ୍ଷକଙ୍କୁ ଦଣ୍ଡ ଦେବା ଘଟଣାରେ ଶିକ୍ଷକଙ୍କୁ ନିର୍ଯାତନା ଓ ଶିକ୍ଷକଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର କରିଥିବା ଛାତ୍ରୀଙ୍କ ବାପାକୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତି ହେଲେ ସୁବାସ ଚନ୍ଦ୍ର ସର୍ଦ୍ଦାର । ସୁବାସଙ୍କୁ ଗିରଫ ପରେ ଗତକାଲି ମୁଣ୍ଡାସାହିବାସୀଙ୍କ ପକ୍ଷରୁ ମଞ୍ଚେଶ୍ବର ଥାନା ଘେରାଉ କରାଯାଇଥିଲା । ତେବେ ପୋଲିସର ହସ୍ତକ୍ଷେପ ପରେ ଥାନା ଘେରାଉରୁ ଓହରିଥିଲେ ଲୋକେ ।

ମଞ୍ଚେଶ୍ବର ଥାନା ଅଧିନ ଧିରକୁଟ ବସ୍ତିରେ ଜଣେ ଘରୋଇ ଶିକ୍ଷକଙ୍କୁ କିଛି ଲୋକ ରାଜରାସ୍ତାରେ ଦଣ୍ଡ ଦେବା ଦେଖିବାକୁ ମିଳିଥିଲା । ସେପଟେ କଙ୍ଗାରୁ କୋର୍ଟରେ ଦଣ୍ଡିତ ଶିକ୍ଷକଙ୍କ ବିରୁଦ୍ଧରେ ଅସଦାଚରଣ ଅଭିଯୋଗ ହୋଇଥିଲା । ଶିକ୍ଷକ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ମଞ୍ଚେଶ୍ବର ପୋଲିସ ।

ରାତିରେ ମାଡିବସି ଜଣେ ଘରୋଇ ଶିକ୍ଷକଙ୍କୁ ଲଣ୍ଡା କରିଥିଲେ କିଛି ବସ୍ତି ବାସିନ୍ଦା । ଶିକ୍ଷକ ଜଣକ ରାଜଧାନୀର ମଞ୍ଚେଶ୍ବର ଥାନା ଅଧିନ ଧିରକୁଟ ବସ୍ତିରେ ନିଜ ଘରେ ବସ୍ତି ପିଲାଙ୍କୁ ଟ୍ୟୁସନ କରିଆସୁଥିଲେ । ହେଲେ ସେହି ବସ୍ତିର ମୁଣ୍ଡା ସାହିରେ ରହୁଥିବା କିଛି ଲୋକ ଶିକ୍ଷକଙ୍କ ଘରେ ଶନିବାର ରାତି ପ୍ରାୟ ୮ଟାରେ ପହଁଚି ତାଙ୍କୁ ଘରୁ ଘୋଷାରି ଘୋଷାରି ବାହାରକୁ ନେଇ ଆସିଥିଲେ । ଶିକ୍ଷକ ଜଣଙ୍କୁ ରାସ୍ତା ଉପରେ ନିସ୍ତୁକ ମାଡ ମାରିବା ସହିତ ତାଙ୍କୁ ଲଣ୍ଡା କରି ତାଙ୍କ ମୁହଁରେ କଳା ଓ ବେକରେ ଜୋତା ମାଳ ପକାଇ ବସ୍ତି ସାରା ବୁଲାଇଥିଲେ । ଏହି ଘଟଣାରେ ଶିକ୍ଷକଙ୍କ ପତ୍ନୀ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଛାଡିନଥିଲେ ଏହି ଲୋକମାନେ । ଶିକ୍ଷକଙ୍କ ପତ୍ନୀଙ୍କୁ ଭିଡା ଓଟରା କରିବା ସହିତ ତାଙ୍କୁ ରାସ୍ତା ଉପରେ ଉଲଗ୍ନ କରିଥିଲେ ବୋଲି ଅଭିଯୋଗ ହୋଇଛି । ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହିତ ତାଙ୍କ ହାତ ଓ ବେକକୁ ଏକ ହାତୁଡିରେ ପିଟି ପକାଇଥିଲେ । ଶିକ୍ଷକଙ୍କ ସମ୍ପର୍କରେ ଆମେ ତାଙ୍କର କିଛି ଛାତ୍ରୀ ଓ ସେଠାକାର ବାସିନ୍ଦାଙ୍କ ପ୍ରତିକ୍ରିୟା ନେଇଥିଲୁ । ସମସ୍ତେ କହିଥିଲେ ସାର ଜଣେ ଅତି ଭଲଲୋକ । ସେ ଏଭଳି ଘୃଣ୍ୟ କାମ କେବେବି କରିନଥିବେ ।ସେପଟେ ମଞ୍ଚେଶ୍ବର ଥାନା ପୋଲିସ ଦୁଇଟି କେସ୍ କରି ଶିକ୍ଷକଙ୍କୁ ଗିରଫ କରିବା ସହିତ ତାଙ୍କ ବିରୁଦ୍ଧରେ ଅସଦାଚରଣ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.