ନବରଙ୍ଗପୁର RTOଙ୍କ ଦେଢ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ
7/03/2020 at 2:44 PM

ନବରଙ୍ଗପୁର ୭।୩: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ନବରଙ୍ଗପୁର ଆର୍ଟିଓ ଗଣେଶ୍ୱର କହଁର । କନ୍ଧମାଳ, ଭୁବନେଶ୍ବର, ନବରଙ୍ଗପୁର ଅଫିସ୍, ରାୟଗଡ଼ାକୁ ମିଶାଇ ମୋଟ ୬ ଟି ଜାଗାରେ ଚଢ଼ଉ କରିଥିଲା କୋରାପୁଟ ଭିଜିଲାନ୍ସ ଡିଭିଜନ ।

ତାଙ୍କ ଘରୁ ୧ କୋଟି ୫୦ ଲକ୍ଷ ୬୩ ହାଜର ୩୨୮ ଟଙ୍କାରେ ସ୍ଥାବର ଅସ୍ଥାବର ସମ୍ପତ୍ତି ଜବତ କରାଯାଇଛି । ଭିଜିଲାନ୍ସ ତାଙ୍କୁ ଅଟକ ରଖିଛି । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ।

ସ୍ଥାବର ଅସ୍ଥାବର ସମ୍ପତ୍ତି ମଧ୍ୟରେ ରହିଛି, ଭୁବନେଶ୍ବର କଳାରାହଙ୍ଗରେ ଥିବା ଏକ ଫ୍ଲାଟ୍ । ଯାହାର ମୂଲ୍ୟ ୩୬ ଲକ୍ଷ ୭୫ ହଜାର ଟଙ୍କା । ୩୬ ଲକ୍ଷ ୭୦ ହଜାର ୨୨୧ ଟଙ୍କା ମୂଲ୍ୟର ଫୁଲବାଣୀରେ ଥିବା ମାର୍କେଟ୍ କମ୍ପେ୍ଲକ୍ସ । ଫୁଲବାଣୀରେ ରହିଛି ୨୬ ଲକ୍ଷ ୮୬ ହଜାର ୫୨୬ ମୂଲ୍ୟର ଏକ ମହଲା ଘର ଓ ୨୬ ଲକ୍ଷ ୯୫ ହଜାର ୩୭୫ ଟଙ୍କା ମୂଲ୍ୟର ଆଉ ଏକ ଘର ।

ବିଭିନ୍ନ ବ୍ୟାଙ୍କରେ ଜମା ରହିଛି ୧୪ ଲକ୍ଷ ୧୯ ହଜାର ୧୪୫ ଟଙ୍କା । ୧ ଲକ୍ଷ ୪୧ ହଜାର ଟଙ୍କାର ସୁନା ଓ ରୁପା ଅଳଙ୍କାର । ତାଙ୍କ ଘରୁ ନଗଦ ୭ ଲକ୍ଷ ୭୫ ହଜାର ୯୬୩ ଟଙ୍କା ମଧ୍ୟ ଜବତ ହୋଇଛି । ସେ ପାରଳାଖେମୁଣ୍ଡିରେ ଆରଟିଓ ଥିବା ବେଳେ ତାଙ୍କ ନିକଟରେ ବେସରକାରୀ ଭାବେ ଡ୍ରାଇଭର ଥିବା ନିରଞ୍ଜନ କାର୍ଜୀଙ୍କ ଭଡା ଘରେ ମଧ୍ୟ ଭିଜିଲାନ୍ସ ଚଢ଼ଉ କରିଛି । ତେବେ ସେଠାରୁ କୌଣସି ଜିନିଷ ମିଳିନଥିବା ଭିଜିଲାନ୍ସ ଡିଏସପି ଅନନ୍ତ ମଲ୍ଲିକ କହିଛନ୍ତି ।