କରଞ୍ଜିଆରେ କଙ୍ଗାରୁ କୋର୍ଟ: ପ୍ରେମିକ ଓ ପ୍ରେମିକାଙ୍କୁ ଗାଁ ଲୋକ କଲେ ଲଣ୍ଡା ମାରିଲେ ମାଡ, ଭିଡିଓ ଭାଇରାଲ ପରେ ଘଟଣା ଆସିଲା ସାମ୍ନାକୁ
24/06/2019 at 6:29 PM

କରଞ୍ଜିଆ୨୪|୬: ପ୍ରେମ କରିବାରୁ ଯୁବକ ଓ ଯୁବତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଯୁବକ ଓ ଯୁବତୀଙ୍କୁ ଧରି ମାଡ ମାରିବା ସହ ଲଣ୍ଡା କଲେ ଗାଁ ଲୋକେ । ଏଭଳି ଏକ ଘଟଣା ଘଟିଛି ମୟୁରଭଞ୍ଜ କରଞ୍ଜିଆ ମଣ୍ଡୁଆ ଗାଁରେ । ଯୁବକ ଯୁବତୀ ଭିନ୍ନ ସଂପ୍ରଦାୟର ହୋଇଥିବାରୁ ସମାଜର ଠେକେଦାରଙ୍କ ଦ୍ବାରା ଏମାନଙ୍କୁ ଏଭଳି ଦଶା ଭୋଗିବାକୁ ପଡିଛି ।…

କରଞ୍ଜିଆରେ କଙ୍ଗାରୁ କୋର୍ଟ । ଯୁବକ ଯୁବତୀଙ୍କୁ ଧରି ଲଣ୍ଡା କଲେ ଲୋକେ । ଏହା ହିଁ ବୟାନ କରୁଛି ସବୁ କିଛି । ଜଣେ ଯୁବକ ଓ ଯୁବତୀଙ୍କ ଉପରେ ଝାମ୍ପି ପଡିଛନ୍ତି କିଛି ଲୋକ । ଯୁବତୀ ଓ ଯୁବକଙ୍କୁ ଲଣ୍ଡା କରି ସେମାନଙ୍କର ମରଦ ପଣିଆ ଦେଖାଉଛନ୍ତି । ଆଉ କିଛି ଲୋକ ଏମାନଙ୍କ ଦୁର୍ଦ୍ଦଶାର ଭିଡିଓ ରେକର୍ଡ କରୁଛନ୍ତି । ଏ ଦୃଶ୍ୟ ବିହାର କି ଉତ୍ତର ପ୍ରଦେଶର ନୁହେଁ । ଓଡ଼ିଶାର କରଞ୍ଜିଆ ମଣ୍ଡୁଆ ଗାଁର । ଯୁବକ ଓ ଯୁବତୀଙ୍କର ଦୋଷ ହେଉଛି ଏମାନେ ଉଭୟ ଉଭୟଙ୍କୁ ଭଲ ପାଉଥିଲେ । ଆଉ ଉଭୟ ଭିନ୍ନ ସଂପ୍ରଦାୟର ।

ଗତ ୨ ବର୍ଷ ଧରି ଏମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା । ହେଲେ ଯୁବତୀଙ୍କ ଗାଁ ଲୋକେ ଏମାନଙ୍କ ସଂପର୍କକୁ ବିରୋଧ କରୁଥିଲେ । ଯୁବତୀଙ୍କର ଘର କରଞ୍ଜିଆ ଠାରୁ ୩ କିମି ଦୂର ମଣ୍ଡୁଆ ଗାଁରେ । ଯୁବତୀଙ୍କ ଦେହ ଖରାପ ହୋଇଥିବାରୁ ଦେଖା କରିବାକୁ ଯାଇଥିଲେ ସ୍ଥାନୀୟ ଅଙ୍କୁରା ଗାଁର ଯୁବକ ଜଣଙ୍କ । ହେଲେ ଯୁବତୀଙ୍କ ସମ୍ପ୍ରଦାୟର ଲୋକଙ୍କ ହାବୁଡ଼ରେ ପଡିଯାଇଥିଲେ । ଲୋକେ ଯୁବତୀଙ୍କ ସହିତ ଯୁବକଙ୍କୁ ଧରି ନିର୍ଦ୍ଧୁମ ମାଡାମାରିବା ସହ ଉଭୟଙ୍କୁ ଲଣ୍ଡା କରିଥିଲେ । ଆଉ ଚଳାଇଥିଲେ କଙ୍ଗାରୁ କୋର୍ଟ ।

ଏହି ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ପୋଲିସ ଆକ୍ସନକୁ ଆସିଛି । କହିଛି ଯେଉଁମାନେ ଆଇନକୁ ହାତକୁ ନେଇଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଉଭୟ ଯୁବକ ଓ ଯୁବତୀ ସାବାଳକ । ସେମାନେ ସେମାନଙ୍କ ଜୀବନର ନିଷ୍ପତ୍ତି ନିଜେ ନେଇପାରିବେ । ଏହି ବ୍ୟକ୍ତିମାନଙ୍କୁ ଆଇନକୁ ହାତକୁ ନେବାକୁ ଅନୁମତି ଦେଲା କିଏ । ସମାଜର ଏହି ଠେକେଦାରଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ଉଚିତ୍ । ନାରୀକୁ ସମ୍ମାନ ଦେବା ବଦଳରେ ତାକୁ ଅସମ୍ମାନିତ କରିଥିବା ଅଭିଯୁକ୍ତଙ୍କୁ ଯେତେ ନିନ୍ଦା କଲେ ବି କମ୍ ।

ଏହି ଘଟଣା ମାନବିକତାକୁ ଧିକ୍କାର କରୁଛି । ସବୁ ସମ୍ବେଦନହୀନତାକୁ ବଳି ଯାଇଛି । ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରି କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ବଢିବାରେ ଲାଗିଛି ।
