ଭୀଷଣ ବିକ୍ଷୋଭ ପ୍ରସ୍ତୁତିରେ ଚାଷୀ ! କର୍ଣ୍ଣାଲରୁ ଗୋଟିଏ ଦିନରେ ସିଂଘୁ ବର୍ଡର ପହଞ୍ଚିଲେ ୩ ହଜାର ଟ୍ରାକ୍ଟର

Published By : Prameya-News7 Bureau | May 23, 2021 IST

ସିଂଘୁ ବର୍ଡର ୨୩।୫:  କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ବିରୋଧରେ ଚାଷୀ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି। କରୋନା ଦ୍ୱିତୀୟ ଲହର ଓ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ଲାଗି ଫିକା ପଡି ଆସୁଥିବା ଚାଷୀଙ୍କ ଆନ୍ଦୋଳନକୁ ଏବେ ପୁଣି ଥରେ ବଳ ମିଳିବ। ହରିୟାଣା କର୍ଣ୍ଣଲରୁ ରବିବାର  ଚାଷୀଙ୍କୁ ନେଇ ୩ ହଜାର ଟ୍ରାକ୍ଟର ସିଂଘୁ ବର୍ଡର ପହଞ୍ଚିଥିବାର ଜଣାପଡିଛି। ଚାଷବାସ କାର୍ଯ୍ୟରୁ ଚାଷୀ ଏବେ ମୁକ୍ତ ହେଲେ, ଏଣୁ ଆନ୍ଦୋଳନ ଜୋରଦାର କରିବାକୁ ଚାଷୀ ପୁଣି ଦିଲ୍ଲୀ ମୁହାଁ ହୋଇଥିବା କୃଷକ ନେତା ଦର୍ଶନପାଲ କହିଛନ୍ତି।

ଫସଲ ଅମଳ ଲାଗି ଚାଷୀ ଦିଲ୍ଲୀ ଛାଡି ଚାଲିଯାଇଥିଲେ। ଏବେ ଫସଲ ଅମଳ ସହ ରକ୍ଷଣାବେକ୍ଷଣ କାର୍ଯ୍ୟ ଶେଷ ହୋଇଥିବାରୁ ସେମାନେ ଆନ୍ଦୋଳନକୁ ପୁଣି ମଜଭୁତ କରିବାକୁ ଦିଲ୍ଲୀ ଫେରିଛନ୍ତି। ତେବେ କେବଳ ଫସଲ ଅମଳ ନୁହେଁ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଚାଷୀ ବ୍ୟସ୍ତ ଥିଲେ। ଏଣୁ ଗ୍ରାମପଞ୍ଚାୟତ ପ୍ରଧାନ ନିର୍ବାଚନ ସରିଥିବାରୁ ଚାଷୀ ନିର୍ଦ୍ୱନ୍ଦରେ ନିଜ ଶ୍ୱର ଉତ୍ତୋଳନ କରିପାରିବେ। ତେବେ ଚାଷୀ ଦିଲ୍ଲୀ ପହଞ୍ଚିବା ପୂର୍ବରୁ ମିଳିତ କୃଷକ ମୋର୍ଚ୍ଚା ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଚାଷୀ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ପତ୍ର ଲେଖି ଜଣାଇ ଦିଆଯାଇଛି।

{"id":456222,"width":835,"height":470,"sizeSlug":"large","linkDestination":"none"}

କେନ୍ଦ୍ରସରକାର ସବୁ ବେଳେ ଚାଷୀଙ୍କ ସହ ଆଲୋଚନା ଲାଗି ପ୍ରସ୍ତୁତ ବୋଲି କହି ଆସୁଛନ୍ତି। ହେଲେ ସରକାରଙ୍କ ପକ୍ଷରୁ ଆନ୍ଦୋଳନରତ ଚାଷୀଙ୍କ ସହ ଯୋଗାଯୋଗ କରାଯାଉ ନାହିଁ। ଏଣୁ ଚାଷୀଙ୍କ ପକ୍ଷରୁ ସରକାରଙ୍କୁ ଆଲୋଚନାକୁ ଆସିବା ଲାଗି ପତ୍ର ଲେଖି ଜଣାଇ ଦେଇଛନ୍ତି ବୋଲି  ଦର୍ଶନ ପାଲ  କହିଛନ୍ତି। ଏଥିରୁ ଚାଷୀ କୌଣସି ପ୍ରକାର ଯିଦରେ ନଥିବା ସରକାରଙ୍କୁ ଓ ଜନତାଙ୍କୁ ଜଣାଇ ଦିଆଯାଇଥିବା ସେ କହିଛନ୍ତି। ସେପଟେ ଚାଷୀ କେନ୍ଦ୍ର ସମେତ ହରିୟାଣାରେ ଖଟ୍ଟର ସରକାରଙ୍କୁ ଘେରିବା ଲାଗି ମଧ୍ୟ ରଣନୀତି ଚୂଡ଼ାନ୍ତ କରିସାରିଥିବା ଜଣାପଡିଛି।

ରଣନୀତି ଅନୁସାରେ ହରିୟାଣା କୃଷକ ସଙ୍ଗଠନ ମେ ୨୪ ତାରିଖ ଦିନ ହିସାର କମିସ୍ନରୀକୁ ଘେରାଉ କରିବେ। ଏଥିରେ ଯୋଗଦେବା ଲାଗି ମିଳିତ କିଷାନ ସଙ୍ଗଠନ ଆହ୍ୱାନ କରିଥିବା ବେଳେ ଗତ ଆନ୍ଦୋଳନ କାଳରେ ଚାଷୀଙ୍କ ଉପରେ ଲାଠି, ଲୁହବୁହା ବାସ୍ପ ଓ ଟେକାପଥର ମାଡ଼ କରିଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ କରନ୍ତୁ ବୋଲି ଦାବି କରିଛନ୍ତି।  ଏହା ଛଡା ମିଳିତ କିଷାନ ମୋର୍ଚ୍ଚା ମେ ୨୬ ତାରିଖରେ ଦେଶ ବ୍ୟାପୀ ବିରୋଧ ଦିବସ ପାଳନ ଲାଗି ଆହ୍ୱାନ କରିଛନ୍ତି। ଏଥିରେ ଚାଷୀ ସଙ୍ଗଠନ ଦେଶବାସୀଙ୍କୁ ନିଜ ଘର ଓ ଗାଡିରେ  କଳାପତାକ ଲଗାଇବା ସହ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବା ଲାଗି ନିବେଦନ କରିଛି।

{"id":456223,"width":840,"height":517,"sizeSlug":"large","linkDestination":"none"}

ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନକୁ ୬ ମାସ ପୁରଣ ହୋଇଛି। ସେପଟେ କେନ୍ଦ୍ରରେ ମୋଦି ସରକାରଙ୍କ ୭ ବର୍ଷ ପୂର୍ତ୍ତି ହେବାକୁ ଯାଉଛି। ଏଥିପାଇଁ ବିଜେପି ସାରା ଦେଶରେ ସେବା ଦିବସ ପାଳନକରିବାକୁ ଯାଉଥିବା ବେଳେ ମିଳିତ କିଷାନ ମୋର୍ଚ୍ଚା ଦେଶବ୍ୟାପୀ ବିରୋଧ କରିବାକୁ ତୂଡାନ୍ତ ରଣନୀତି ପ୍ରସ୍ତୁତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.