ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ବିହାର ଆଗରେ, ଟପ୍‌ ୧୦ରେ ରାଜ୍ୟର ୩

Published By : Prameya-News7 Bureau | September 25, 2021 IST

ନୂଆଦିଲ୍ଲୀ, ୨୫/୦୯: ଭାରତୀୟ ପ୍ରଶାସନିକ ସେବା ଏମିତି ଏକ ସେବା ଯାହାକୁ ପାଇବା ଏତେଟା ସହଜ ନୁହେଁ । କିନ୍ତୁ କଠିନ ପରିଶ୍ରମ, ଏକାଗ୍ରତା ଏବଂ ଧୌର୍ଯ୍ୟ ନିଶ୍ଚୟ ଜଣକୁ ସଫଳତାର ଶିର୍ଷରେ ପହଞ୍ଚାଇ ଦିଏ। ସେହିଭଳି ପ୍ରତି ବର୍ଷ ଲକ୍ଷ ଲକ୍ଷ ଆଶାୟୀ ଏହି ପରୀକ୍ଷା ଦେଉଥିବା ବେଳେ ମାତ୍ର କିଛି ଏଥିରେ କୃତକାର୍ଯ୍ୟ ହୋଇ ନିଜ ଲକ୍ଷ୍ୟ ପୂରଣ କରିଥାନ୍ତି । ତେବେ ୨୦୨୦ ମସିହାରେ ୟୁପିଏସି ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ ଗତକାଲି ଫଳ ପ୍ରକାଶ ପାଇଥିଲା । ଏଥିରେ ବିଭିନ୍ନ ରାଜ୍ୟର ଆଶାୟୀ ଉତ୍ତିର୍ଣ୍ଣ ହୋଇଥିବା ବେଳେ ବିହାରର ଆଶାୟୀଙ୍କ ସଫଳତାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।

ବିହାରର ଶିକ୍ଷା ବ୍ୟବସ୍ଥାକୁ ନେଇ ଜାତୀୟ ସ୍ତରରେ ଆଲୋଚନା ହେଉଥିବା ବେଳେ ଏହି ରାଜ୍ୟ ପାଇଁ ଏବେ ଗୌରବ ଆଣିଛନ୍ତି ୩ ୟୁପିଏସି ଆଶାୟୀ । ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ବିହାରର କେବଳ ୩ ଜଣ ଅଛନ୍ତି । ସମୁଦାୟ ୭୬୧ ଆଶାୟୀ ଏହି ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଥିବା ବେଳେ ସେଥିରୁ ୧୭ ଜଣ ବିହାର ରାଜ୍ୟର ରହିଛନ୍ତି ।

ଗତକାଲି ପ୍ରକାଶିତ ତାଲିକାରେ ଶୁଭମ କୁମାର ୟୁପିଏସସି ସିଭିଲ ସର୍ଭିସ୍‌ ପରୀକ୍ଷାରେ ଟପ୍ପର ହୋଇଛନ୍ତି। ସର୍ବଭାରତୀୟ ସ୍ତରରେ ଏକ ନମ୍ବର ସ୍ଥାନ ଅଧିକାର କରିଥିବା ଶୁଭମ ନିଜର ସଫଳତା ପାଇଁ ଖୁସି ଜାହିର କରିଥିବା ବେଳେ ସେ ଏବେ ଦେଶର ଯୁବପିଢ଼ିଙ୍କ ପାଇଁ ଉଦାହରଣ ସାଜିଛନ୍ତି।

ଶୁଭମ କଟିହାର ଜିଲ୍ଲାର ମୂଳବାସିନ୍ଦା ହୋଇଥିବା ବେଳେ ଏବେ ସେ ପୁଣେରେ ଇଣ୍ଡିଆନ୍‌ ଡିଫେନ୍ସ ଆକାଉଣ୍ଟ ସର୍ଭିସେସ୍‌ର ଟ୍ରେନିଂ ନେଉଛନ୍ତି। ଗତବର୍ଷ ୟୁପିଏସସି ପରୀକ୍ଷାରେ ଶୁଭମ ୨୯୦ ରାଙ୍କ ରଖିଥିଲେ। ଏହା ପରେ ସେ ଇଣ୍ଡିଆାନ୍‌ ଡିଫେନ୍ସ ଆକାଉଣ୍ଟ ସର୍ଭିସେସ୍‌ ସେବା ପାଇଁ ଚୟନ ହୋଇଥିଲେ ଏବଂ ସେ ବର୍ତ୍ତମାନ ପୁଣେରେ ଟ୍ରେନିଂ ମଧ୍ୟ ନେଉଛନ୍ତି। ଶୁଭମଙ୍କୁ ୨୪ ବର୍ଷ ବୟସ ହୋଇଥିବା ବେଳେ ତୃତୀୟ ଆଟେମ୍ପଟ୍‌ରେ ୟୁପିଏସସି ସିଏସଇ ପରୀକ୍ଷାରେ ଟପ୍ପର ହୋଇଛନ୍ତି।

ଅନ୍ୟପଟେ ବିହାର ଜାମୁଇର ପ୍ରବୀନ କୁମାର ୭ ନମ୍ୱର ରାଙ୍କ୍‌ ସହିତ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ତାଙ୍କ ବାପା-ମାଆ ପୁଅର ଏହି ସଫଳତାକୁ ନେଇ ବେଶ୍‌ ଖୁସି ଥିବା କହିଛନ୍ତି । ସେ ଆଇଆଇଟି କାନପୁରରୁ ଅଧ୍ୟୟନ ସାରି ସିଭିଲ୍‌ ସର୍ଭିସ୍‌ ପାଇଁ ପ୍ରସ୍ତୁତ ଲାଗି ଦିଲ୍ଲୀ ଯାଇଥିଲେ ।

ସେହିପରି ସମସ୍ତିପୁରର ସତ୍ୟମ ଗାନ୍ଧି ଏହି ପରୀକ୍ଷାରେ ୧୦ ସ୍ଥାନରେ ରହିଛନ୍ତି । ସେ ଜାତୀୟ ପ୍ରତିରକ୍ଷା ଏକାଡେମୀ ପାଇଁ ୨୦୧୭ରେ ମନୋନୀତ ହୋଇଥିବା ବେଳେ ମେଡିକାଲ୍‌ରେ ବିଫଳ ହେତୁ ଏଥିରେ ଯୋଗ ଦେଇ ପାରିନଥିଲେ । ପରେ ସେ ରାଜନୈତିକ ବିଜ୍ଞାନରେ ସ୍ନାତକ ପାଇଁ ଦିଲ୍ଲୀ ଯାଇଥିଲେ । ଏହି ସମୟରୁ ସେ ୟୁପିଏସି ପରୀକ୍ଷାର ପ୍ରସ୍ତୁତି କରିଥିଲେ ।

ଏଥିସହିତ ବିହାରର ନୀତେଶ କୁମାର ଜୈନ ୨୨ ନମ୍ୱର ରାଙ୍କ ହାସଲ କରିଛନ୍ତି । ଅନିଲ୍‌ କୁମାର ବାସକ ଏହି ତାଲିକାର ୪୫ ନମ୍ୱର ସ୍ଥାନରେ ରହିଥିବା ବେଳେ ଅନ୍ୟ ଆଶାୟୀ ମଧ୍ୟ ଭଲ ରାଙ୍କ୍‌ ହାସଲ କରିଛନ୍ତି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.