୨୦୧୮ ରୁ କମୁଛି ଆତଙ୍କୀ କାର୍ଯ୍ୟକଳାପ ଏବଂ ଅନୁପ୍ରବେଶ, ଚଳିତ ବର୍ଷ ନିପାତ ହୋଇଛନ୍ତି ୧୬୫ ଆତଙ୍କବାଦୀ

Published By : Prameya-News7 Bureau | December 01, 2021 IST

ଶ୍ରୀନଗର ୦୧/୧୨: ଜାମ୍ମୁକାଶ୍ମୀରରେ ଆତଙ୍କବାବାଦୀ ଆକ୍ରମଣ ଏବଂ ଅନୁପ୍ରବେଶକୁ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟସଭାରେ ତଥ୍ୟ ଦିଆଯାଇଛି। ଗୋଟିଏ ବର୍ଷ ମଧ୍ୟରେ କାଶ୍ମୀରରେ ସବୁଠୁ ଅଧିକ ଆତଙ୍କବାଦୀ ଆକ୍ରମଣ ହୋଇଥିବା ବେଳେ କେବଳ ଅକ୍ଟୋବର ମାସରେ ଏମିତି ୩୭ଟି ଘଟଣା ସାମ୍ନାକୁ ଆସିଛି । ମନ୍ତ୍ରାଳୟ ଅନୁସାରେ, ଅକ୍ଟୋବର ପରେ ସବୁଠୁ ଅଧିକ ଆତଙ୍କବାଦୀ ଘଟଣାବଳୀ ଅଗଷ୍ଟରେ ଘଟିଛି। ୨୦୨୧ ଅଗଷ୍ଟ ମାସରେ ୩୬ ଆତଙ୍କୀ କାର୍ଯ୍ୟକଳାପ ରେକର୍ଡ ହୋଇଥିବା ବେଳେ ୨୦୧୮ ଠାରୁ ଦେଶରେ ଆତଙ୍କବାଦୀ ଗତିବିଧିରେ ଲଗାତାର ହ୍ରାସ ଘଟୁଛି ବୋଲି କେନ୍ଦ୍ର ସରକାର କହିଛନ୍ତି। ।

୨୦୧୮ରେ ମୋଟ ୪୧୭, ୨୦୧୯ରେ ୨୫୫ , ୨୦୨୦ରେ ୨୪୪ ଏବଂ ଚଳିତ ବର୍ଷ  ଅକ୍ଟୋବର ମାସ ଶେଷ ସୁଦ୍ଧା ୨୦୦ ଥର ଆତଙ୍କୀ କାର୍ଯ୍ୟକଳାପ ପରିଲକ୍ଷିତ ହୋଇଛି। ଏହା ବ୍ୟତୀତ ସୀମାରେ ଅନୁପ୍ରବେଶ ମାମଲାରେ ହ୍ରାସ ଘଟିଛି। ୨୦୧୮ରେ ୧୪୩, ୨୦୧୯ରେ ୧୪୧, ୨୦୨୦ରେ ୫୧ ମାମଲା ଏବଂ ୨୦୨୧ରେ ଏବେ ସୁଦ୍ଧା ୫୧ଟି ଅନୁପ୍ରବେଶ ମାମଲା ସାମ୍ନାକୁ ଆସିଥିବା ଏମଏଚ୍‌ଏ ପକ୍ଷରୁ ରାଜ୍ୟସଭାରେ କୁହାଯାଇଛି ।

ଏହା ସହ ଚଳିତ ବର୍ଷ ସେନା ଏବଂ  ଅର୍ଦ୍ଧସାମରିକ ବଳର ୩୨ ଯବାନ ସହିଦ ହୋଇଥିବା ବେଳେ ୧୯ ପୋଲିସ କର୍ମଚାରୀ ବୀରଗତି ପାଇଛନ୍ତି। କାଶ୍ମୀରରେ ଚାଲିଥିବା ଆତଙ୍କବାଦୀ ନିରୋଧୀ ଅଭିଯାନରେ ଚଳିତ ବର୍ଷ ୧୬୫ ଆତଙ୍କବାଦୀ ନିପାତ ହୋଇଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ରାଜ୍ୟସଭାରେ ଜବାବ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.