ଜେଲ୍‌ ଗଲା ନର୍ସ ନିହାରିକା ହତ୍ୟାକାରୀ ରାଜା

Published By : Prameya-News7 Bureau | September 21, 2019 IST

ଜଗତସିଂହପୁର - ନର୍ସ ନିହାରିକା ହତ୍ୟାକାରୀ ରାଜାର ଜାମିନ ଆବେଦନ ଖାରଜ ହେବାପରେ ଜେଲ୍‌ ଯାଇଛି । ଗିରଫ କରାଯିବା ପରେ ରାଜାକୁ ଜଗତସିଂହପୁର ଏସ୍‌ଡିଜିଏମ୍‌ଙ୍କ ଅଦାଲତରେ ହାଜର କରାଯାଇଥିଲା । ସେଠାରେ ତାହାର ଜାମିନ ଆବେଦନ ଖାରଜ ହେବାରୁ ଆଳିପିଙ୍ଗଳଜେଲ୍‌କୁ ପଠାଯାଇଛି ।

ପୋଲିସ ସୂଚନା ଅନୁସାରେ ସେପ୍ଟେମ୍ବର ୮ ତାରିଖ ସନ୍ଧ୍ୟା ୭ଟାରୁ ୮ଟା ମଧ୍ୟରେ ଏହି ହତ୍ୟାକାଣ୍ଡ ଘଟିଥିଲା । ନିହାରିକାଙ୍କ ଗଳାଚିପି ହତ୍ୟା କରାଯାଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଥିବା ବେଳେ ରାଜା ମଧ୍ୟ ସମାନ କଥା କହିଥିବା ଜଗତସିଂହପୁର ଏସ୍‌ପି ଆର୍‌ ପ୍ରକାଶ ପି ସୂଚନା ଦେଇଛନ୍ତି । ହତ୍ୟାକାଣ୍ଡ ପଛର ମୁଖ୍ୟ କାରଣ ବିବାହ ପାଇଁ ନିହାରିକା ରାଜି ନହେବା ବୋଲି ଅଭିଯୁକ୍ତ ସୂଚନା ଦେଇଥିବା ପୋଲିସ କହିଛି ।

{"id":160820}

ମୃତ ନିହାରିକା ଏକ ଘରୋଇ ନର୍ସିଂହୋମରେ ନର୍ସ ଭାବେ କାମ କରୁଥିଲେ । ତାଙ୍କ ଦରମା ୫ ହଜାର ଟଙ୍କା ଥିଲା ।ଅପରପକ୍ଷରେ ଅଭିଯୁକ୍ତ ରାଜା ଓରଫ କିଶୋର ଆଞ୍ଚଲ କୌଣସି କାମ କରୁନଥିଲା । ଫଳରେ ବିବାହ କରିବା ସମ୍ଭବ ନାହିଁ ବୋଲି ନିହାରିକା ଯୁକ୍ତି କରି ଆସୁଥିଲେ । ଅପରପକ୍ଷରେ ବିବାହ ପାଇଁ ନିହାରିକାଙ୍କ ଉପରେ ରାଜା ବାରମ୍ବାର ଚାପ ପକାଉଥିଲା ।

ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ବରାବର ଝଗଡା ହେଉଥିଲା । ଶେଷରେ ରାଜାକୁ ସେ ବିବାହ କରିବେ ନାହିଁ ବୋଲି ନିହାରିକା କହିଦେଇଥିଲେ । ଏହାପରେ ନିହାରିକାଙ୍କୁ ଜୀବନରେ ମାରିଦେବା ପାଇଁ ରାଜା ଯୋଜନା ପ୍ରସ୍ତୁତ କରିଥିଲା । ସେଥିପାଇଁ କଟକ ଚାଉଳିଆଗଞ୍ଜରେ ରହୁଥିବା ସୁନୀଲ ସାହୁ ନାମକ ତାର ଜଣେ ସାଙ୍ଗଠାରୁ ସେ ଭଡା ଘରର ଚାବି ମାଗିଆଣିଥିଲା । ସୁନୀଲ ନିଜ ଗାଁ ଜଗତସିଂପୁରର ହାଜିପୁର ଚାଲିଯାଇଥିବାରୁ ଘର ମଧ୍ୟ ଖାଲିଥିଲା ।

{"id":160817}

ଏହି ମୌକାରେ ୮ ତାରିଖ ଅପରାହ୍ନ ୪ ବେଳେ ଏମ୍‌ଏମ୍‌ ନର୍ସିଂହୋମରୁ ନିହାରିକାଙ୍କୁ ନଇ ରାଜା ଚାଉଳିଆଗଞ୍ଜର ସେହି ଘରେ ପହଞ୍ଚିଥିଲା । ଘଣ୍ଟାଏ ଦୁଇ ଘଣ୍ଟା ରହିବାପରେ ନିହାରିକାଙ୍କ ତଣ୍ଟିଚିପି ହତ୍ୟା କରିଥିଲା ରାଜା । ଏହାପରେ ଏକ ପ୍ଲାଷ୍ଟିକ ଅଖାରେ ନିହାରିକାଙ୍କ ଶବକୁ ବାନ୍ଧି ନିଜ ଗାଡିରେ ଲଦି ବିଲୁଆଖାଇ ନଦୀ ପଠାକୁ ଯାଇଥିଲା ଓ ଶବକୁ ନଦୀ ଭିତର ଫିଙ୍ଗି ଦେଇଥିଲା । ୧୭ ତାରିଖ ଦିନ ଶବ ଭର୍ତ୍ତି ଅଖାଟି ନଦୀ ପଠାରେ ଲାଗିବାପରେ ପୋଲିସ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.