ନେହେରୁଙ୍କ ଜୟନ୍ତୀରେ ଯୋଗୀ କହିଲେ-ଯଦି ୧୯୪୭ରେ ମୋଦୀଙ୍କ ପରି ନେତୃତ୍ଵ ମିଳିଥାନ୍ତା ତେବେ ଭାରତ ଆଜି ବିଶ୍ଵର ସବୁଠୁ ବଡ ଶକ୍ତି ହୋଇଥାନ୍ତା

Published By : Prameya-News7 Bureau | November 14, 2021 IST

ଲକ୍ଷ୍ନୌ ୧୪।୧୧:  ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଲକ୍ଷ୍ନୌରେ ବୈଶ୍ୟ ଏବଂ ବ୍ରାହ୍ମଣ ସମାଜକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସପା ପ୍ରମୁଖ ଅଖିଳେଶ ଯାଦବଙ୍କୁ ଟାର୍ଗେଟ୍ କରି ଯୋଗୀ କହିଛନ୍ତି, ସର୍ଦ୍ଦାର ପଟେଲ୍‌ଙ୍କ ଜିନ୍ନାଙ୍କ ସହ ତୂଳନା  କରିବା ଭୋଟ୍ ବ୍ୟାଙ୍କର ସବୁଠୁ ନିକୃଷ୍ଠ ରାଜନୀତି। ପଣ୍ଡିତ ଜବାହର ଲାଲ ନେହେରୁଙ୍କ ଜୟନ୍ତୀରେ ଯୋଗୀ କହିଛନ୍ତି, ଯଦି ୧୯୪୭ରେ ମୋଦୀଙ୍କ ପରି ନେତୃତ୍ଵ ମିଳିଥାନ୍ତା ତେବେ ଭାରତ ଆଜି ବିଶ୍ଵର ସବୁଠୁ ବଡ ଶକ୍ତି ହୋଇଥାନ୍ତା।

ଲକ୍ଷ୍ନୌରେ  ବ୍ରାହ୍ମଣ ପରିବାରର ୧୬ତମ ସ୍ଥାପନା ଦିବସରେ  ଯୋଗୀ ଆଦିତ୍ୟନାଥ କହିଛନ୍ତି,  ଯେବେ ଆମେ ବ୍ରାହ୍ମଣଙ୍କ କଥା କହିଥାଉ ତେବେ ଏକ ସଂକଳ୍ପ  ସ୍ଵତପ୍ରବୃତଃ ଭାବେ ସଭିଙ୍କ ସାମ୍ନାକୁ ଚାଲିଆସେ। ବ୍ରାହ୍ମଣର ଅର୍ଥ ସଂସ୍କାର, ସଂସ୍କୃତି ଓ ଧର୍ମ। ସେମାନେ ନିଜେ କଷ୍ଟ ଭୋଗନ୍ତି ମାତ୍ର ଧର୍ମ ଉପରେ  ଆଞ୍ଚ ଆଣିବାକୁ ଦିଅନ୍ତି ନାହିଁ।

ଯୋଗୀ କହିଛନ୍ତି, ଗୋଟିଏ ପଟେ ରାଷ୍ଟ୍ର ନାୟକ ସର୍ଦ୍ଦାର ପଟେଲ୍ ତ ଅନ୍ୟପଟେ ଦେଶକୁ ବିଭାଜନ କରିଥିବା ଖଳନାୟକ ଜିନ୍ନା। ଯଦି କିଏ ସର୍ଦ୍ଦାର ପଟେଲଙ୍କ ତୂଳନା ଜିନ୍ନା ସହ କରିବେ  ତେବେ ତାହା ଭୋଟ୍ ବ୍ୟାଙ୍କର ନିକୃଷ୍ଟ ରାଜନୀତି ହେବ।

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜୟନ୍ତୀରେ ଯୋଗୀ କହିଛନ୍ତି, ଆଜି ଯେଉଁ ପରିଚୟ ଦେଶକୁ ମିଳିଛି ତାହା ଏଥିପାଇଁ ମିଳିଛି କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଦେଶକୁ  ଭାରତୀୟ ଦୃଷ୍ଟି ଦେଇଛନ୍ତି। ୧୯୪୭ରେ ଭାରତ ନିକଟରେ ଏହି ପ୍ରକାରର ଯଦି ଯଶସ୍ଵୀ ନେତୃତ୍ଵ ହୋଇଥାନ୍ତା ତେବେ ଭାରତ ଦୁନିଆର ସବୁଠୁ ସମୃଦ୍ଧ, ବଡ ସାମରିକ ଶକ୍ତି ଏବଂ ଆର୍ଥିକ ଶକ୍ତିଶାଳୀ ଦେଶ ହୋଇଥାନ୍ତା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.