ଚଉଠି ରାତିରେ ସ୍ୱାମୀର ସର୍ତ୍ତ: 'ଦୁଇ ବର୍ଷ ଭିତରେ IAS ହେଇ ଦେଖାଅ ନଚେତ ସମ୍ପର୍କ ଶେଷ'

Published By : Prameya-News7 Bureau | December 07, 2021 IST

ଜାମଶେଦପୁର ୦୭/୧୨ : ଝାରଖଣ୍ଡ ଜାମଶେଦପୁରରୁ ଏକ ଅଜବ ଖବର ସାମ୍ନାକୁ ଆସିଛି। ଜଣେ ବ୍ୟାଙ୍କ ଅଫିସର ନିଜ ଚଉଠି ରାତିରେ ପତ୍ନୀ ପାଖରେ ଏମିତି ସର୍ତ୍ତ ରଖିଛନ୍ତି ଯେ ବୈବାହିକ ଜୀବନ ଆରମ୍ଭ ହେବା ପୂର୍ବରୁ ଭାଙ୍ଗି ଯାଇଛି। ମାମଲା ଛାଡପତ୍ର ଯାଏଁ ପହଞ୍ଚି ଯାଇଛି। ପତ୍ନୀ ଆଇନର ଦ୍ୱାରସ୍ଥ ହୋଇଛନ୍ତି। ବିବାହ ପରେ ସ୍ୱାମୀ-ସ୍ତ୍ରୀ ଦିନେ ବି ସାଙ୍ଗରେ ରହିନାହାନ୍ତି।

ମାମଲା ପୂର୍ବ ସିଂହଭୂମି ପୋଟକା ଥାନା ଅଞ୍ଚଳର ଏକ ଗାଁର। ପଲ୍ଲବୀଙ୍କ ବାହାଘର ୨୦୧୮ ଜୁନ ୧୮ ରେ ପରସୁଡିହର ଜୟମାଲ ମଣ୍ଡଳଙ୍କ ସହ ହିନ୍ଦୁ ରୀତିନୀତି ଅନୁସାରେ ହୋଇଥିଲା। ଜୟମାଲ ଏମବିଏ ପରେ ବ୍ୟାଙ୍କ ଚାକିରୀ କରନ୍ତି। ସେ ଲକ୍ଷ୍ନୌ ସିଟି ୟୁନିୟନ ବ୍ୟାଙ୍କରେ ଆସିଷ୍ଟାଣ୍ଟ ମ୍ୟାନେଜର ଅଛନ୍ତି। ବାହାଘର ପରେ ଚଉଠି ରାତିରେ ହିଁ ଜୟମାଲ ପଲ୍ଲବୀଙ୍କ ପାଖରେ ଏକ ଅଜବ ସର୍ତ୍ତ ରଖିଲେ। ସେ କହିଲେ ଯେ ଦୁଇ ବର୍ଷ ଭିତରେ ଆଇଏଏସ ହୋଇ ଦେଖାଅ, ତାହେଲେ ବାହାଘର ରହିବ ନହେଲେ ସମ୍ପର୍କ ଶେଷ। ପଲ୍ଲବୀ ଏହାକୁ ଥଟ୍ଟା ବୋଲି ଭାବିଲେ।

ଆର ଦିନ ସକାଳୁ ଜୟମାଲ ଇଣ୍ଟରଭ୍ୟୁ କଥା କହି ଚାଲିଗଲେ। ତାପରେ ଆଉ ଫେରିଲେନି। ଜୟମାଲ ତାପରେ ପଲ୍ଲବୀଙ୍କୁ ଥରେ ବି ଫୋନ କଲେନାହିଁ। ପଲ୍ଲବୀ ନିଜ ଆଡୁ ଚେଷ୍ଟା କଲେ କିନ୍ତୁ ତଥାପି ଜୟମାଲ କଥା ହେଲେନାହିଁ। ବାପା-ମା'ଙ୍କ ସମ୍ମାନ ରକ୍ଷା କରିବାକୁ ପଲ୍ଲବୀ ଏ କଥା ସମସ୍ତଙ୍କୁ ଲୁଚାଇଲେ। ସ୍ୱାମୀ କଥାରେ ପଡି ଶାଶୂଘର ଲୋକ ବି ତାଙ୍କୁ ଖୁଣ୍ଟା ଦେବାକୁ ଲାଗିଲେ। ଇତି ମଧ୍ୟରେ ଛାଡପତ୍ର ପାଇଁ କୋର୍ଟରେ ଆବେଦନ ଦାଏର କରାଗଲା। ଏହା ଜାଣି ପଲ୍ଲବୀ ମର୍ମାହତ ହୋଇଗଲେ।

ପଲ୍ଲବୀଙ୍କ ପିତା ପ୍ରଦୂତ ମଣ୍ଡଳ କହିଛନ୍ତି ଯେ ପଲ୍ଲବୀ ତାଙ୍କର ଏକମାତ୍ର ଝିଅ। ଜୟମାଲ ଗୋଲ୍ଡ ମେଡଲିଷ୍ଟ ଏବଂ ବ୍ୟାଙ୍କରେ ଚାକିରୀ କରୁଛନ୍ତି। ଏହା ଦେଖି ପଲ୍ଲବୀଙ୍କ ବାହାଘର ତାଙ୍କ ସହ କରାଯାଇଥିଲା। କିନ୍ତୁ ଜୟମାଲ ପଲ୍ଲବୀଙ୍କ ଜୀବନ ବରବାଦ କରିଦେଲେ। ପ୍ରଦୂତ କହି କହି କାନ୍ଦିବାକୁ ଲାଗିଲେ ଯେ ବାହାଘରରେ ଝିଅକୁ ଯାହା ଜିନିଷପତ୍ର ଦେଇଥିଲେ ସେସବୁ ବି ଜୟମାଲଙ୍କ ଘରେ ଅଛି। ପଲ୍ଲବୀଙ୍କ ବାପା ଏବେବି ଚାହୁଁଛନ୍ତି ଝିଅ-ଜ୍ୱାଇଁ ସାଥିରେ ରୁହନ୍ତୁ ଓ ସଂସାର କରନ୍ତୁ। 

ଛାଡପତ୍ର ନୋଟିସ ମିଳିବା ପରେ ପଲ୍ଲବୀ ମାନସିକ ଭାବେ ଭାଙ୍ଗି ପଡିଛନ୍ତି। ବାହାଘରକୁ ୩ ବର୍ଷ ହେଇଗଲାଣି କିନ୍ତୁ ସ୍ୱାମୀ ଆଜି ଯାଏଁ ତାଙ୍କୁ ସ୍ତ୍ରୀର ଦର୍ଜା ଦେଇନାହାନ୍ତି। ସେ ପଢୁଛନ୍ତି ଯେପରି ନିଜ ଲକ୍ଷ୍ୟ ହାସଲ କରିପାରିବେ। କିନ୍ତୁ ଏବେ ସେ ଆଉ ଜୟମାଲ ପାଖକୁ ଫେରିବାକୁ ଚାହୁଁ ନାହାନ୍ତି। ପାଠ ପଢି ଆଇଏଏସ ହୋଇ ସେ ସ୍ୱାମୀକୁ ଦଣ୍ଡ ଦେବାକୁ ଚାହୁଁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.