ଡରାଇଲାଣି 'ଓମିକ୍ରନ' : ୫ ଦେଶରେ ଆତଙ୍କ, ଦକ୍ଷିଣ ଆଫ୍ରିକା ଯାତ୍ରା ଉପରେ କଟକଣା ଲାଗିଲା

Published By : Prameya-News7 Bureau | November 27, 2021 IST

ନୂଆଦିଲ୍ଲୀ,୨୭/୧୧: କରୋନା ଭାଇରସର ନୂଆ ଭାରିଆଣ୍ଟ ବିଶ୍ୱରେ ଭୟ ବଢ଼ାଇ ଦେଇଛି । ଦକ୍ଷିଣ ଆଫ୍ରିକାରୁ ମିଳିଥିବା ଏହି ନୂଆ ଭାରିଆଣ୍ଟକୁ ନେଇ ବିଶ୍ୱରେ ସତର୍କ ଘଣ୍ଟି ବାଜିଛି । ଦକ୍ଷିଣ ଆଫ୍ରିକା ସମେତ ବୋତ୍ସୱାନା, ହଂକଂ, ଇସ୍ରାଏଲ ଏବଂ ବେଲ୍‌ଜିୟମ ଆଦି ୫ଟି ଦେଶକୁ ଏହା ବ୍ୟାପି ସାରିଲାଣି । ଇଂଲଣ୍ଡରେ ଏହା ପ୍ରବେଶ କରିସାରିଥିବା ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି । ଏପର୍ଯ୍ୟନ୍ତ ଏହି ଭାରିଆଣ୍ଟରେ ୨୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହାର ମୁକାବିଲା ପାଇଁ ବିଭିନ୍ନ ଦେଶ ଅଣ୍ଟା ଭିଡ଼ିଛନ୍ତି । ବେଳହୁଁ ସାବଧାନ ହୋଇ ଏକାଧିକ ଦେଶ ଦକ୍ଷିଣ ଆଫ୍ରିକା ଉପରେ ଯାତ୍ରା କଟକଣା ଲଗାଇଛନ୍ତି । ଜର୍ମାନୀ, ଇଟାଲୀ, ବ୍ରିଟେନ, ଫ୍ରାନ୍ସ, ସ୍କଟଲାଣ୍ଡ ଭଳି ୟୁରୋପୀ ଦେଶ ବିମାନ ଯାତ୍ରାରେ କଟକଣା ଜାରି କରିଛନ୍ତି । ସେହିଭଳି ଇସ୍ରାଏଲ ମଧ୍ୟ ଦକ୍ଷିଣ ଆଫ୍ରିକାକୁ ବିମାନ ଚଳାଚଳ ଉପରେ କଟକଣା ଜାରି କରିଛି । ସେଠାରୁ ଆସୁଥିବା ଯାତ୍ରୀମାନଙ୍କର ବାଧ୍ୟତାମୂଳକ ଟେଷ୍ଟିଂ ସହିତ କ୍ୱାରେଣ୍ଟାଇନ କରିବାକୁ ଏସବୁ ଦେଶମାନଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ସେହିଭଳି ସିଙ୍ଗାପୁର ଏବଂ ମାଲେସିଆ ମଧ୍ୟ ୭ଟି ଆଫ୍ରୀକୀୟ ଦେଶରୁ ବିମାନ ଉଡ଼ାଣ ଉପରେ ରୋକ ଲଗାଇବେ ବୋଲି ଘୋଷଣା କରିସାରିଲେଣି ।

କରୋନାର ଏହି ନୂଆ ଭାରିଆଣ୍ଟର ବୈଜ୍ଞାନିକ ନାମ ବି.୧.୧.୫୨୯ ରହିଛି । ଏହା ୩୨ ଥର ନିଜର ରୂପ ବଦଳାଇସାରିଛି । ଯାହାକି ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ଡେଲ୍‌ଟା ଭାରିଆଣ୍ଟ ଠାରୁ ଦୁଇଗୁଣ । ଏହା ବର୍ତ୍ତମାନ ସମଗ୍ର ବିଶ୍ୱ ପାଇଁ ବଡ଼ ଚିନ୍ତାର ବିଷୟ ପାଲଟିଛି । ଭାଇରସ ଏତେଥର ରୂପ ବଦଳାଇ ଥିବା କାରଣରୁ ଏହା ବିରୋଧରେ ଟିକା କେତେ ପ୍ରଭାବୀ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟିକରିଛି । ନୂଆ ଭାରିଆଣ୍ଟ ନିଜର ସ୍ପାଇକ୍‌ ପ୍ରୋଟିନକୁ ପରିବର୍ତ୍ତନ କରି ଦ୍ରୁତ ଗତିରେ ବ୍ୟାପୁଛି । ଏଣୁ ଏଥିରେ ସଂକ୍ରମଣ ଭୟ ଅଧିକ ରହିଥିବା ତଥା ଏହା ‘ଡେଲ୍‌ଟା’ ଭାରିଆଣ୍ଟଠାରୁ ମଧ୍ୟ ଅଧିକ ମାରାତ୍ମକ ହୋଇଥିବା ବିଶେଷଜ୍ଞ ଆଶଙ୍କା କରୁଛନ୍ତି । ଏହା ଟିକାର କ୍ଷମତା ୪୦% କମାଇଦେବ ବୋଲି ମଧ୍ୟ ଆଶଙ୍କା କରାଯାଉଛି ।

ନୂଆ ଭାରିଆଣ୍ଟକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମଧ୍ୟ ଆଲର୍ଟ ହୋଇଉଠିଛି । ଶୁକ୍ରବାର ଡବ୍ଲ୍ୟୁଏଚ୍‌ଓର ଟେକ୍ନିକାଲ ଆଡ୍‌ଭାଇଜୋରୀ ଗ୍ରୁପ୍‌ର ଏକ ଜରୁରିକାଳୀନ ବୈଠକ ବସିଥିଲା । ବୈଠକରେ ଡବ୍ଲ୍ୟୁଏଚ୍‌ଓ ଏହି ଭାଇରସ୍‌କୁ ‘ଓମିକ୍ରନ’ନାମରେ ନାମିତ କରିଛି । କେବଳ ଏତିକି ନୁହେଁ ଏହାକୁ ‘ଭାଇରସ୍‌ ଅଫ୍‌ କନସର୍ଣ୍ଣ’ ବୋଲି ଦର୍ଶାଇବା ସହ ଏହା ଦ୍ରୁତଗତିରେ ସଂକ୍ରମଣ କରିବ ବୋଲି କହିଛି । ଏହି ଭାରିଆଣ୍ଟ ସହଜରେ ସଂକ୍ରମିତ ହେବା ସହ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବ । ତା’ଛଡା ଏହା ଟିକାକୁ ମଧ୍ୟ ଅକାମୀ କରିଦେବାର ଆଶଙ୍କା ରହିଛି ବୋଲି ଡବ୍ଲ୍ୟୁଏଚ୍‌ଓ କହିଛି । ତେବେ ବିଭିନ୍ନ ଦେଶ ତରବରିଆ ଭାବେ ଆଫ୍ରିକୀୟ ଦେଶଗୁଡ଼ିକୁ ଯାତ୍ରା କଟକଣା ଲଗାଇବା ସମ୍ପର୍କରେ ପ୍ରତିକ୍ରିୟା ରଖି ଡବ୍ଲ୍ୟୁଏଚ୍‌ଓ ମୁଖପାତ୍ର ଲିଂଡମେୟର କହିଛନ୍ତି ବୈଜ୍ଞାନିକଙ୍କ ପରାମର୍ଶ ମୁତାବକ ଯାତ୍ରା ସମ୍ପର୍କିତ ନିୟମ ଜାରି କରାଯିବା ଆବଶ୍ୟକ ।

ନୂଆ କରୋନା ଭାରିଆଣ୍ଟ ବର୍ତ୍ତମାନ ସୁଦ୍ଧା ଭାରତରେ ପହଞ୍ଚି ନାହିଁ । ଦେଶର ବିଭିନ୍ନ ଲ୍ୟାବରେ କରାଯାଉଥିବା ଜେନୋମ୍‌ ସିକ୍ୱେନ୍ସିଂରୁ ଏହା ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା କୌଣସି ଲ୍ୟାବ୍‌ରୁ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଯାଇନାହିଁ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ତଥାପି ଏହାକୁ ନେଇ ସତର୍କ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି । ନୂଆ ଭାରିଆଣ୍ଟକୁ ଦୃଷ୍ଟିରେ ରଖି ଦକ୍ଷିଣ ଆଫ୍ରିକା, ହଂକଂ ଏବଂ ବୋତ୍ସୱାନାରୁ ଆସୁଥିବା ଯାତ୍ରୀଙ୍କ ଉପରେ ବିଶେଷ ଦୃଷ୍ଟି ରଖିବାକୁ ସବୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିମାନବନ୍ଦରରେ ମଧ୍ୟ ଯାଞ୍ଚ କଡ଼ାକଡ଼ି କରାଯାଇଛି । ଏନେଇ ସତର୍କ ରହିବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ କହିଛନ୍ତି । ପରିସ୍ଥିତିକୁ ଦେଖି ଭାରତ ଏହାର ବିପଜ୍ଜନକ ରାଷ୍ଟ୍ର ତାଲିକାରେ ପରିବର୍ତ୍ତନ କରିଛି । ଯେଉଁଥିରେ ହଂକଂ ଓ ଇସ୍ରାଏଲକୁ ନୂଆ କରି ସାମିଲ କରାଯାଇଛି । ପୂର୍ବରୁ ବ୍ରିଟେନ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ବାଂଲାଦେଶ, ବୋତ୍ସୱାନା, ଚୀନ୍‌, ମରିସସ୍‌, ନ୍ୟୁଜିଲାଣ୍ଡ, ଜିମ୍ବାୱେ, ସିଙ୍ଗାପୁର ଏହି ତାଲିକାରେ ରହିଥିଲେ ।

ସେପଟେ ନୂଆ ଭାରିଆଣ୍ଟର ପ୍ରଭାବ ସେୟାର ବଜାରରେ ଦେଖିବାକୁ ମିଳିଛି । ସପ୍ତାହର ଅନ୍ତିମ କାରବାର ଦିବସରେ ବଜାରରେ ବଡ଼ ହ୍ରାସ ଘଟିଛି । ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ସୂଚକାଙ୍କ ସେନ୍‌ସେକ୍ସରେ ଆଜି ୧୬୮୭.୯୪ ପଏଣ୍ଟ ହ୍ରାସ ଘଟିଛି । ଫଳରେ ଏହା ୫୭,୧୦୭.୧୫ ପଏଣ୍ଟକୁ ଖସିଆସିଛି । ୭ ମାସରେ ସେନ୍‌ସେକ୍ସରେ ଏହା ସର୍ବବୃହତ୍‌ ହ୍ରାସ । ସେନ୍‌ସେକ୍ସରେ ଏହି ହ୍ରାସ ଫଳରେ ବିଏସ୍‌ଇରେ ତାଲିକାଭୁକ୍ତ କମ୍ପାନିଗୁଡିକର ବଜାର ପୁଞ୍ଜି ୭.୪୫ ଲକ୍ଷ କୋଟି ଟଙ୍କା ଧୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.