ଓମିକ୍ରନ ଭୟରେ ଭାରତୀୟ ଧନୀ, ଚାଟାର୍ଡ ପ୍ଲେନରେ ବିଦେଶ ଯାଇ ନେଉଛନ୍ତି ବୁଷ୍ଟର ଡୋଜ୍

Published By : Prameya-News7 Bureau | December 07, 2021 IST

ନୂଆଦିଲ୍ଲୀ, ୦୭/୧୨:   କରୋନାର ନୂଆ ଭାରିଆଣ୍ଟ ଆତଙ୍କ ସୃଷ୍ଟି କରିଛି । ନୂଆ ମ୍ୟୁଟାଣ୍ଟ ଓମିକ୍ରନକୁ ନେଇ ବିଶ୍ୱବାସୀ ଚିନ୍ତାରେ । ଏହାକୁ ନେଇ ସମସ୍ତଙ୍କ ମନରେ ଭୟ ଓ ଆଶଙ୍କା । ଧିରେଧିରେ କରୋନା ଏହି ନୂଆ ରୂପ କାୟା ମେଲାଇବାରେ ଲାଗିଛି । ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ଏହି ଭୂତାଣୁ ୩୦କୁ ଅଧିକ ଦେଶରେ ମାଡି ସାରିଲାଣି । ଏହାର ପ୍ରତିରୋଧ ପାଇଁ ବିଭିନ୍ନ ଦେଶ ବୁଷ୍ଟର ଡୋଜ୍ କଥା ଚିନ୍ତା କରୁଛନ୍ତି ।

ଭାରତରେ ଏବେସୁଦ୍ଧା ବୁଷ୍ଟର ଡୋଜ୍ ପାଇଁ କୌଣସି ପ୍ରକ୍ରିୟା ଆରମ୍ଭ ହୋଇନାହିଁ । କିନ୍ତୁ କିଛି ଧନୀ ବିଦେଶ ଯାଇ ବୁଷ୍ଟର ଡୋଜ୍ ନେବାକୁ ମନ ବଳାଇଲେଣି । ପର୍ଯ୍ୟାପ୍ତ ଡାକ୍ତରୀ ପରାମର୍ଶ ପରେ ସେମାନେ ବିଦେଶରେ ବୁଷ୍ଟର ଡୋଜ୍ ନେବାକୁ ପ୍ରସ୍ତୁତ ହେଉଛନ୍ତି । ଜଣେ ଧନୀ ନିଜ ନାଁ ଗୋପନୀୟ ରଖି ବିଦେଶରେ ସପରିବାରଙ୍କୁ ଧରି ଟିକା ଲଗାଇବାକୁ ଚାହୁଁଥିବା କହିଛନ୍ତି ।

ଆଉ କିଛି ଶିଳ୍ପପତି କହିଛନ୍ତି ଯେ, ବୁଷ୍ଟର ଡୋଜ୍ ବାବଦରେ ସରକାର ଏବେସୁଦ୍ଧା କିଛି ସ୍ପଷ୍ଟ କରିନାହାଁନ୍ତି । କିନ୍ତୁ ନୂଆ ଭାରିଆଣ୍ଟ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ କମ୍ କରୁଛି । ଟିକାର ପ୍ରଭାବକୁ ମଧ୍ୟ ନଷ୍ଟ କରୁଛି । ଉଦ୍ୟୋଗ ପରିଷଦ ସିଆଇଆଇର ହେଲଥ୍ କେୟାର କାଉନସେଲିଂର ଅଧ୍ୟକ୍ଷ ମରେଶ ତ୍ରେହନ୍ କହିଛନ୍ତି ଯେ, କିଛି ବ୍ୟକ୍ତି ବୁଷ୍ଟର ଡୋଜ୍ ନେବା ଆରମ୍ଭ କରିଦେଇଛନ୍ତି । କାରଣ ସେମାନେ ନିଜର ରୋଗ ପ୍ରତିରୋଧକ ଶକ୍ତିକୁ ନେଇ ସ୍ପଷ୍ଟ ନାହାଁନ୍ତି । ରୋଗପ୍ରତିରୋଧର ଶକ୍ତିକୁ ମଜବୁତ କରିବାକୁ ବୁଷ୍ଟର ଡୋଜର ଆବଶ୍ୟକତା ରହିଛି ।

ଆଉ କିଛି ଅଧିକାରୀ କହିଛନ୍ତି ଯେ, ଫାଇଜର ଟିକା ନେବାକୁ ଧନୀମାନେ ଚାର୍ଟାର ବିମାନରେ ଦୁବାଇ ଯାତ୍ରା କରୁଛନ୍ତି । କୋଲକାତା ସ୍ଥିତ ମେଡିକା ସୁପର ସ୍ପେଶାଲିଟି ହସ୍ପିଟାଲର ଅଧ୍ୟକ୍ଷ ଆଲୋକ ରାୟ କହିଛନ୍ତି ଯେ, ସରକାର ତୁରନ୍ତ ବରିଷ୍ଠ ନାଗରିକ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ବୁଷ୍ଟର ଡୋଜ୍ ନେବା ପାଇଁ ଅନୁମତି ମିଳିବା ଆବଶ୍ୟକ । ତେବେ ଏହା ଟିକା ଉପଲବ୍ଧତା ଉପରେ ନିର୍ଭର କରୁଛି ।

ବିଶେଷଜ୍ଞଙ୍କ କହିବାନୁସାରେ, ଟିକାର ପ୍ରଭାର ଶରୀରରେ ୬ ମାସ ଯାଏଁ ରହିଥାଏ । ପରେ ଏହା ଧିରେଧିରେ ହ୍ରାସ ପାଏ । ଜଣେ ବ୍ୟକ୍ତି ଟିକା ନେବା ପରେ ଆଣ୍ଟିବଡି ପରୀକ୍ଷା କରିଥିଲେ । ଯାହା ବହୁତ କମ୍ ଥିବା ଜଣାପଡିଥିଲା । ଆଉ କିଛି ଜଣଙ୍କ ଶୂନ୍ୟକୁ ଖସି ଆସିଥିଲା । ତେଣୁ ଅନେକ ସମ୍ଭ୍ରାନ୍ତ ବିଦେଶରେ ବୁଷ୍ଟର ଡୋଜ୍ ନେବାକୁ ଇଚ୍ଛା ପ୍ରକଟ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.