୫୦ ବର୍ଷରେ ପାଦ ଥାପିଲେ ଓମାର ଅବଦୁଲ୍ଲା, ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ବି ଜଣାଇପାରିଲେନି ପିତା ଫାରୁଖ
11/03/2020 at 3:27 PM

ଶ୍ରୀନଗର ୧୧।୩: ନ୍ୟାସନାଲ କନଫରେନ୍ସ ନେତା ତଥା ପୂର୍ବତନ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ୫୦ ବର୍ଷରେ ପାଦ ଥାପିଛନ୍ତି। ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ପହଞ୍ଚିଥିବା ଓମାରଙ୍କୁ ତାଙ୍କ ୫୦ତମ ଜନ୍ମ ଦିବସରେ ତାଙ୍କ ପିତା ଫାରୁଖ ଅବୁଲ୍ଲା ଖୁବ୍ ନିକଟରେ ରହି ମଧ୍ୟ ଶୁଭେଚ୍ଛା ଜଣାଇପାରି ନଥିବା ଓମାରଙ୍କ ସାନ ଭଉଣୀ ସାଫିଆ କହିଛନ୍ତି।

କିନ୍ତୁ ପ୍ରାୟ ୧୧ ବର୍ଷ ପୂର୍ବେ ପରିସ୍ଥିତି ଏପରି ନଥିଲା। ଓମାରଙ୍କୁ ଫାରୁଖ ତାଙ୍କ ରାଜନୈତିକ ଉତ୍ତରାଧିକାରୀ ଘୋଷଣା କରିବା ସହ ସେ ଦେଶର ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ। ହେଲେ ସମୟ ସହ ଏବେ ପରିସ୍ଥିତି ବି ବଦଳିଯାଇଛି। କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଗତ ଅଗଷ୍ଟ ୫ ତାରିଖରେ ଜମ୍ମୁ-କାଶ୍ମୀରରୁ ସମ୍ବିଧାନର ଧାରା ୩୭୦ ପ୍ରତ୍ୟାହାର କରିନେଇଛନ୍ତି। ଏଥିଲାଗି ଓମାର ଓ ଫାରୁଖଙ୍କ ସମେତ ରାଜ୍ୟର ସବୁ ରାଜନୈତିକ ମୁଖିଆଙ୍କୁ ନଜରବନ୍ଦୀ କରି ରଖିଥିବା ବେଳେ ଓମାର ୫୦ ବର୍ଷ ବୟସରେ ପାଦ ଥାପିଛନ୍ତି।

ଓମାର ଓ ପାରୁଖ କାଶ୍ମୀରର ଦୁଇ ଅଲଗା ଅଲଗା ଜେଲରେ ଏବେ ବନ୍ଦୀ ଅଛନ୍ତି। ଫାରୁଖଙ୍କ ଲାଗି ତାଙ୍କ ଘରକୁ ଜେଲରେ ପରିବର୍ତ୍ତିତ କରାଯାଇଥିବା ବେଳେ ଓମାରଙ୍କୁ କିଛି ଦୂର ଶ୍ରୀଗଙ୍ଗା ନଗର ଗେଷ୍ଟ ହାଉସ୍ରେ ବନ୍ଦୀ କରାଯାଇଛି। ତେବେ ପୁଅର ଜନ୍ମଦିନରେ ଶୁଭେଚ୍ଛା ଜଣାଇପାରୁନଥିବାରୁ ଫାରୁଖ ବିଶାଦରେ ଥିଲେ ବୋଲି ସାଫିଆ କହିଛନ୍ତି। ତେବେ ଫାରୁକ୍ ଫୋନରେ ଓମାରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ସୂଚନା ମିଳିଛି। ହେଲେ ପରିବାର ଓମାରଙ୍କ ଜନ୍ମଦିନ ଧୁମ ଧାମରେ ନ ହେଲେବି ପାଳନ କରିଥିବା ଜଣାପଡିଛି।

ଦିନ ପ୍ରାୟ ୪ଟା ବେଳକୁ ମା ମୋଇଲି, ଭଉଣୀ ସାଫିଆ, ତାହ୍କ ପୁଅ ଓ ଅନ୍ୟ ୩ ଜଣ ବାର୍ଥ ଡେ କେକ୍ ଓ କ୍ୟାଣ୍ଡେଲ ନେଇ ଓମାରଙ୍କୁ ଭେଟିବାକୁ ପହଞ୍ଚିଥିଲେ। ଏଥିଲାଗି ୬ ଜଣଙ୍କୁ ପୂର୍ବରୁ ଅନୁମତି ମିଳିଥିଲା। ସେଠାରେ ସେମାନେ ଜନ୍ମଦିନ ପାଳନ କରିଥିବା ସାଫିଆ କହିଛନ୍ତି। ତେବେ ଜନ୍ମଦିନରେ ଓମାରଙ୍କୁ ତାଙ୍କ ଟ୍ୱିଟରରେ ଅନେକ ଶୁଭେଚ୍ଛା ବାର୍ତ୍ତା ମିଳିଛି। ତାଙ୍କୁ ଶୁଭେଚ୍ଛା ଜଣାଇଥିବା ଲୋକଙ୍କ ମଧ୍ୟରେ ରାଜନୀତି, ବଲିଉଡ୍ ଓ ଗଣମାଧ୍ୟରୁ ବିପୁଳ ଶୁଭେଚ୍ଛା ମିଳିଥିବା ଜଣାପଡିଛି।