ଟୋକିଓ ଟକ୍କର : ସୁଟର୍ ଓ ଭାରତ୍ତୋଳକଙ୍କଠୁ ପଦକ ଆଶା

Published By : Prameya-News7 Bureau | July 24, 2021 IST

ଟୋକିଓ, ୨୪|୦୭ :     ୩୨ତମ ଅଲିମ୍ପିକ୍ସ କ୍ରୀଡା ପ୍ରତିଯୋଗିତାର ଦ୍ୱିତୀୟ ଦିବସ ଭାରତୀୟଙ୍କ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଆସନ୍ତା କାଲି ୫ଟି ପଦକ ଇଭେଣ୍ଟ ରହିଛି । ପ୍ରତି ଇଭେଣ୍ଟରେ ଭାରତୀୟ ପ୍ରତିଯୋଗୀ ପଦକ ଦାବିଦାର ରୂପେ ଉଭା ହୋଇଥିବାରୁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଦ୍ୱିଗୁଣିତ ହେବା ସ୍ୱାଭାବିକ । ଆଜି (ଶନିବାର) ଭାରତୀୟ ସୁଟରମାନେ ପଦକ ଅଭିଯାନ ଆରମ୍ଭ କରିବେ ।

ତୀରନ୍ଦାଜୀରେ ମଧ୍ୟ ଭାରତୀୟ ପ୍ରତିଯୋଗୀଙ୍କ ଭାଗ୍ୟ ପରୀକ୍ଷା ହେବ । ଏଥର ହକିରେ ପଦକ ଦାବିଦାର ରୂପେ ଗଣା ହେଉଥିବା ଭାରତୀୟ ପୁରୁଷ ଓ ମହିଳା ଦଳ ଶନିବାର ଅଭିଯାନ ଆରମ୍ଭ କରିବ । ସେହିପରି ବ୍ୟାଡମିଣ୍ଟନ, ଟେନିସ୍‌, ଜୁଡୋ, ଟେନିସ୍‌ ଇଭେଣ୍ଟରେ ମଧ୍ୟ ଭ।ରତୀୟ ପ୍ରତିଯୋଗୀ ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଲାଇବେ ।

ବନ୍ଧୁକ ଚାଳନା: ସୁଟିଂରେ ଶନିବାର ୨ଟି ପଦକ ଇଭେଣ୍ଟ ରହିଛି। ଉଭୟ ଇଭେଣ୍ଟରେ ଭାରତୀୟ ପ୍ରତିଯୋଗୀ ପଦକ ଦାବିଦାର ରହିଛନ୍ତି । ମହିଳା ବର୍ଗ ୧୦ମିଟର ଏୟାର ରାଇଫଲ ଇଭେଣ୍ଟରେ ଭାରତର ଭାଲାରିଭାନ ଏଲାଭେନିଲ ଓ ଅପୂର୍ବୀ ଚାଣ୍ଡେଲା, ପୁରୁଷ ବର୍ଗ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସୌରଭ ଚୌଧୁରୀ ଓ ଅଭିଷେକ ବର୍ମା ଆଜି ଅଭିଯାନ ଆରମ୍ଭ କରିବେ । ସୌରଭଙ୍କୁ ସ୍ୱର୍ଣ୍ଣ ପଦକ ଦାବିଦାର ରୂପେ ବହୁ କ୍ରୀଡ଼ା ସମୀକ୍ଷକ ବିବେଚନା କରୁଛନ୍ତି । ହେଲେ ଏହି ଇଭେଣ୍ଟରେ ବହୁ ଦାବିଦାର ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ । ପୁରୁଷ ବର୍ଗ ୧୦ମିଟର ଏୟାର ପିସ୍ତଲ ଇଭେଣ୍ଟରେ ୨୯ଟି ଦେଶରୁ ମୋଟ୍‌ ୩୬ଜଣ ସୁଟର ପ୍ରତିଦ୍ୱନ୍ଦ୍ୱିତା କରିବେ । ସୌରଭ ଗତ ୭ଟି ପ୍ରତିଯୋଗିତାରୁ ୫ଟିରେ ପଦକ ଜିତିଥିଲେ । ସେ ୟୁଥ୍‌ ଅଲିମ୍ପିକ୍ସ ଚାମ୍ପିଅନ୍‌, ଏସୀୟ କ୍ରୀଡ଼ା ଚାମ୍ପିଅନ୍‌ ଓ ଜୁନିୟର ବିଶ୍ୱ ଚାମ୍ପିଅନ୍‌ । ମୋଟ୍‌ ଉପରେ ଦେଖିବାକୁ ଗଲେ ଭାରତୀୟ ସୁଟିଂ ଦଳକୁ ଚଳିତ ଅଲିମ୍ପିକ୍ସର ସବୁଠୁ ଶକ୍ତିଶାଳୀ ଦଳ ରୂପେ ବିବେଚନା କରାଯାଉଛି । ୨୦୧୯ରେ ଅନୁଷ୍ଠିତ ୪ଟି ଯାକ ସୁଟିଂ ବିଶ୍ୱକପ୍‌ରେ ଭାରତୀୟ ପ୍ରତିଯୋଗୀ ୨୧ଟି ସ୍ୱର୍ଣ୍ଣ ସହ ମୋଟ୍‌ ୩୦ଟି ପଦକ ଜିତିଥିଲେ ।

ହକି: ଶନିବାର ଉଭୟ ପୁରୁଷ ଓ ମହିଳା ହକି ଦଳ ଗ୍ରାଉଣ୍ଡକୁ ଓହ୍ଲାଇବେ । ମହିଳା ବର୍ଗ ଗ୍ରୁପ୍‌ ଏ’ରେ ସ୍ଥାନ ପାଇଥିବା ଭାରତ ଆଜି ଶକ୍ତିଶାଳୀ ନେଦରଲାଣ୍ଡସକୁ ଭେଟିବ । ଏହାପରେ ଦଳ ୨୬ ତାରିଖରେ ଜର୍ମାନୀ, ୨୮ ତାରିଖରେ ବ୍ରିଟେନ, ୩୦ ତାରିଖରେ ଆୟର୍ଲାଣ୍ଡ ଓ ୩୧ ତାରିଖରେ ଦକ୍ଷିଣ ଆଫ୍ରିକାକୁ ଭେଟିବ । ଗ୍ରୁପ୍‌ ଏ’ରେ ସ୍ଥାନ ପାଇଥିବା ପୁରୁଷ ଦଳ ଶନିବାର ନ୍ୟୁଜିଲାଣ୍ଡକୁ ଭେଟିବ । ପୁରୁଷ ଦଳ ଏଫ୍‌ଆଇଏଚ୍‌ ମାନ୍ୟତା ତାଲିକାର ଚତୁର୍ଥ ସ୍ଥାନରେ ରହିଛି । ଅନ୍ୟ ପଟରେ ନ୍ୟୁଜିଲାଣ୍ଡ ଅଷ୍ଟମ ସ୍ଥାନ ଅଧିକାର କରିଛି । ଶୃଙ୍ଖଳିତ ତଥା ଚତୁର ରଣ କୌଶଳ ପ୍ରୟୋଗ କରି ଖେଳୁଥିବା ନ୍ୟୁଜିଲାଣ୍ଡକୁ ହରାଇବାର କ୍ଷମତା ଭାରତ ନିକଟରେ ରହିଛି । ରିଓ ଅଲିମ୍ପିକ୍ସ ପରଠାରୁ ଉଭୟ ଦଳ ପରସ୍ପରକୁ ୧୧ଥର ଭେଟିଛନ୍ତି । ଏଥିରୁ ଭାରତ ୮ଥର ବିଜୟ ହାସଲ କରିଛି । ଏହି ୧୧ଟି ମ୍ୟାଚ୍‌ରେ ଭାତର ମୋଟ୍‌ ୩୪ଟି ଗୋଲ୍‌ ସ୍କୋର କରିଛି । ଗ୍ରୁପ୍‌-ଏରେ ଭାରତକୁ କଡ଼ା ମୁକାବିଲାର ସମ୍ମୁଖୀନ ହେବାକୁ ପଡ଼ିବ । ଏହି ଗ୍ରୁପ୍‌ରେ ଅନ୍ୟ ଦଳ ଭାବେ ଡିଫେଣ୍ଡିଂ ଅଲିମ୍ପିକ୍‌ ଚାମ୍ପିଅନ୍‌ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ଆୟୋଜକ ଜାପାନ ଓ ସ୍ପେନ୍‌ ରହିଛନ୍ତି । ଉଭୟ ଗ୍ରୁପ୍‌ର ୪ଟି ଲେଖାଏଁ ଦଳ କ୍ୱାର୍ଟର ଫାଇନାଲ୍‌କୁ ଉନ୍ନୀତ ହେବେ ।

ତୀରନ୍ଦାଜୀ: ଶନିବାର ତୀରନ୍ଦାଜୀର ରିକର୍ଭ ମିକ୍ସଡ ଟିମ୍‌ ଏଲିମିନେସନ ଓ ପଦକ ରାଉଣ୍ଡ ଅନୁଷ୍ଠିତ ହେବ । ଭାରତୀୟ ଯୋଡି ଦୀପିକା କୁମାରୀ ଓ ପ୍ରବୀଣ ଯାଦବ ଚାଇନିଜ ତାଇପେ ଯୋଡି ଚିନ-ଚୁନ ଟାଙ୍ଗ ଓ ଚିଆ-ଏନ ଲିନ୍‌ ଯୋଡିଙ୍କୁ ଭେଟିବେ । ର‌୍ୟାଙ୍କିଙ୍ଗ ରାଉଣ୍ଡରେ ଦୀପିକା ଓ ପ୍ରବୀଣଙ୍କ ମୋଟ ପଏଣ୍ଟ ୧୩୧୯ ରହିଥିଲା । ର‌୍ୟାଙ୍ଗିଙ୍ଗ୍‌ରେ ଏହି ଯୋଡି ନବମ ସ୍ଥାନ ଅଧିକାର କରିଥିଲେ ।

ଟେନିସ୍‌: ଭାରତର ଏକମାତ୍ର ପୁରୁଷ ଖେଳାଳି ସୁମିତ ନାଗଲ ଶନିବାର ସ୍ୱପ୍ନର ଅଭିଯାନ ଆରମ୍ଭ କରିବେ । ସେ ପ୍ରଥମ ରାଉଣ୍ଡରେ ଡେନିସ ଇସ୍ତୋମିନଙ୍କୁ ଭେଟିବେ। ଏହି ମ୍ୟାଚ ଜିତିଲେ ଦ୍ବିତୀୟ ରାଉଣ୍ଡରେ ଡାନିଲ ମେଡଭେଡେଭଙ୍କ ସହ ତାଙ୍କର ଭେଟ ହେବା ସମ୍ଭାବନା ରହିଛି।

ଭାରୋତ୍ତୋଳନ: ଭାରତ ପାଇଁ ତୃତୀୟ ପଦକ ଦାବିଦାର ରୂପେ ଶନିବାର ପ୍ରତିଯୋଗିତାକୁ ଓହ୍ଲାଇବେ ମୀରାବାଇ ଚାନୁ। ମହିଳା ୪୯କିଲୋ ବର୍ଗରେ ସେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଉତ୍ତର କୋରିଆ ଓହରିଯିବା ପରଠାରୁ ମୀରାବାଇ ପଦକ ଦାବିଦାର ରୂପେ ଉଭା ହୋଇଛନ୍ତି। କ୍ଲିନ୍‌ ଆଣ୍ଡ ଜର୍କରେ ୧୧୯ କିଲୋ ଭାର ଉଠାଇ ସେ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। କେବଳ ସ୍ନାଚରେ ପଦର୍ଶନ ଭଲ ରହିଲେ ମୀରାବାଇ ପଦକ ହାସଲ କରିପାରିବେ।

ବକ୍ସିଂ: ଭାରତର ଅଭିଜ୍ଞ ବକ୍ସର ବିକାଶ କ୍ରିଷ୍ଣନ୍‌ ଶନିବାର ରିଙ୍ଗ୍‌କୁ ଓହ୍ଲାଇବେ । ସେ ୱେଲ୍ଟର ୱେଟ୍‌ ବର୍ଗ ରାଉଣ୍ଡ-୩୨ରେ ମେନସା ଓକାଜାୱାଙ୍କୁ ଭେଟିବେ।

ଜୁଡୋ: ଜୁଡୋରେ ଭାରତର ଏକମାତ୍ର ପ୍ରତିଯୋଗୀ ସୁଶୀଳା ଦେବୀ ଶନିବାର ଅଭିଯାନ ଆରମ୍ଭ କରିବେ । ସେ ୪୮କିଲୋ ବର୍ଗ ରାଉଣ୍ଡ ୩୨ରେ ସେର୍ନୋମିଜକିଙ୍କୁ ଭେଟିବେ ।

ରୋଇଂ: ପୁରୁଷ ଡବଲ୍ସ ସ୍କଲ୍‌ ଲାଇଟ୍‌ ୱେଟ୍‌ ବର୍ଗରେ ଭାରତର ଅର୍ଜୁନ ଜଟ ଲାଲ ଓ ଅରବିନ୍ଦ ସିଂହ ଶନିବାର ଅଭିଯାନ ଆରମ୍ଭ କରିବେ ।

ଟେବୁଲ୍‌ ଟେନିସ୍‌: ଟେବୁଲ ଟେନିସ୍‌ରେ ମହିଳା ସିଙ୍ଗଲ୍ସ ଓ ପୁରୁଷ ଡବଲ୍ସ ରାଉଣ୍ଡ ଆରମ୍ଭ ହେବ । ଶନିବାର ମନିକା ବାତ୍ରା ପ୍ରଥମ ରାଉଣ୍ଡ୍‌ରେ ହୋ ତିନ-ତିନଙ୍କୁ ଭେଟିବେ । ସେହିପରି ସୁତିର୍ଥା ମୁଖାର୍ଜୀ ପ୍ରଥମ ରାଉଣ୍ଡ୍‌ରେ ଲିଣ୍ଡରା ବର୍ଗଷ୍ଟ୍ରମଙ୍କୁ ସାମ୍ନା କରିବେ । ମିକ୍ସଡ ଡବଲ୍ସରେ ଭାରତର ଶରଥ କମଲ ଓ ମନିକା ବାତ୍ରା ଯୋଡି ଆସନ୍ତା କାଲି ଲିନ୍‌ ୟୁନ୍‌ ଜୁ ଓ ଚେଙ୍ଗ ଇ ଚିଙ୍ଗ ଯୋଡିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ବ୍ୟାଡମିଣ୍ଟନ: ପୁରୁଷ ସିଙ୍ଗଲ୍ସରେ ବି ସାଇ ପ୍ରଣିତ ଶନିବାର କୋର୍ଟକୁ ଓହ୍ଲାଇବେ । ସେ ପ୍ରଥମ ରାଉଣ୍ଡ୍‌ରେ ମିସା ଜିଲବରମାନଙ୍କୁ ଭେଟିବେ । ପୁରୁଷ ଡବଲ୍ସରେ ଚିରାଗ ସେଟ୍ଟୀ ଓ ସାତ୍ତ୍ୱିକସାଇରାଜ ରଙ୍କିରେଡ୍ଡୀ ଯୋଡି ଶନିବାର ଲି ୟାଙ୍ଗ୍‌ ଓ ୱାଙ୍ଗ ଚି ଲିନ୍‌ ଯୋଡିଙ୍କୁ ଭେଟିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.