ବଦଳିଗଲା ସମୟ, ଦାଉ ସାଧିଲା କି ଦୁର୍ଭାଗ୍ୟ: ୮୦ ଦଶକର ପ୍ରଖ୍ୟାତ ଅଭିନେତ୍ରୀ ଭୋକ ବିକଳରେ ମାଗୁଛନ୍ତି ଭିକ୍ଷା

Published By : Prameya-News7 Bureau | December 23, 2020 IST

ଭୁବନେଶ୍ବର ୨୩।୧୨: ପ୍ରଖ୍ୟାତ ଅଭିନେତ୍ରୀ ଏବେ ଦାଣ୍ଡର ଭିକାରୀ । ୮୦ ଦଶକରେ ଓଲିଉଡ୍‌ରେ କେତେ ସିନେମା, ଥିଏଟରରେ ଅଭିନୟ କରି ସେ ପ୍ରସିଦ୍ଧି ଲାଭ କରିଥିଲେ। ହେଲେ ଏବେ ଏହି ଅଭିନେତ୍ରୀଙ୍କୁ କେହି ପଚାରୁନାହାନ୍ତି। ପେଟର ଭୋକ ମେଣ୍ଟାଇବା ପାଇଁ ବାଧ୍ୟ ହୋଇ ଭିକ୍ଷା ମାଗୁଛନ୍ତି । ଜଣେ କଳାକାରଙ୍କ ଏଭଳି ସ୍ଥିତି ଦେଖିବାକୁ ମିଳିଛି ଖୋଦ୍ ରାଜଧାନୀ ଭୁବନେଶ୍ବରରେ। ଏହି ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ମୀରା ମହାନ୍ତି। ସେ ବିଏମ୍‌ସି ୫୭ ନମ୍ବର ୱାର୍ଡ ମାଉସୀ ମା’ ଫ୍ଲାଏ ଓଭରବ୍ରିଜ୍ ତଳେ ଥିବା ଏକ ବସ୍ତିର ଝୁମ୍ପୁଡ଼ି ଘରେ ରହୁଛନ୍ତି। ତାଙ୍କ ବୟସ ୬୦ ହୋଗଲାଣି। ଘରେ ବିଧବା ବୋହୂ ଓ ନାତୁଣୀ ଅଛନ୍ତି । ରୋଜଗାର ନଥିବାରୁ ବାଧ୍ୟ ହୋଇ ଭିକ୍ଷା ମାଗୁଛନ୍ତି ମୀରା ।

ଯାଯାବର, ତ୍ରିନାଥ ମେଳା, ସୁବର୍ଣ୍ଣ ସୀତା, ସମ୍ପୂର୍ଣ୍ଣ ରାମାୟଣ, ପ୍ରତିଧ୍ବନୀ ଭଳି ଅନେକ ଓଡ଼ିଆ ସିନେମାରେ ସେ ଚରିତ୍ର ଅଭିନୟ କରିଥିଲେ। କଟକର କଳାଶ୍ରୀ ଥିଏଟର, ଜନତା ରଙ୍ଗମଞ୍ଚ, ଅର୍ଣ୍ଣପୂର୍ଣ୍ଣା ଥିଏଟର, ଏକାମ୍ର ଥିଏଟରରେ ମଧ୍ୟ ଜଣେ ସଫଳ ଅଭିନେତ୍ରୀ ଭାବେ ତାଙ୍କର ଖ୍ୟାତି ରହିଥିଲା। ୧୯୯୯ ମସିହାରେ ସେ କଟକ ଛାଡ଼ି ଭୁବନେଶ୍ବର ଚାଲି ଆସିଥିଲେ। ଏଠାରେ ପୁଅ-ବୋହୂଙ୍କ ସହ ରହୁଥିଲେ । ତାଙ୍କ ପୁଅ ବିଏମ୍‌ସିରେ ଅସ୍ଥାୟୀ କର୍ମଚାରୀ ଭାବେ କାମ କରୁଥିଲେ। ଦିନେ ଏକ ଦୁର୍ଘଟଣାରେ ପୁଅଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ପରିବାରରେ ଅଭାବ ଦେଖାଦେଲା । ବିଧବା ବୋହୂ ସହ ନାତୁଣୀର ବୋଝ ଥିଲା ତାଙ୍କ ମୁଣ୍ଡ ଉପରେ ।

କେନ୍ଦ୍ରୀୟ ସଂସ୍କୃତି ବିଭାଗ ପକ୍ଷରୁ ତାଙ୍କୁ ମାସିକ ୩୦୦୦ ଟଙ୍କା ଲେଖାଏଁ କଳାକାର ଭତ୍ତା ମିଳୁଥିଲା। ସେଥିରେ ଦୁଃଖେକଷ୍ଟେ ଚଳି ଯାଉଥିଲା ପରିବାର। ମାତ୍ର କରୋନା ପାଇଁ ୮ ମାସ ହେବ ତାଙ୍କୁ ଭତ୍ତା ମିଳିନାହିଁ। କେବଳ ବିଏମ୍‌ସିରୁ ବିଧବା ଭତ୍ତା ହିସାବରେ ଶାଶୁ-ବୋହୂ ମାସକୁ ମାତ୍ର ୧୦୦୦ ଟଙ୍କା ପାଉଛନ୍ତି। ସେଥିରେ ସଂସାର ଚଳିବା ଅସମ୍ଭବ ହୋଇଯାଇଛି । ତେଣୁ ବାଧ୍ୟ ହୋଇ ଭିକ୍ଷା ବୃତ୍ତିକୁ ଆପଣାଇଛନ୍ତି ମୀରା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.