ଅଭିନେତାଙ୍କ ବଦାନ୍ୟତା ; ଆନ୍ଧ୍ରପ୍ରଦେଶରେ ଫସିଥିବା ମା’, ଚାରିବର୍ଷର ପୁଅଙ୍କୁ ଉଦ୍ଧାର କଲେ ସବ୍ୟସାଚୀ

Published By : Prameya-News7 Bureau | June 10, 2020 IST

ଭୁବନେଶ୍ୱର, ୧୦।୬ : ଚିହ୍ନା ଜଣା ନାହିଁ । କେବଳ ଗୋଟିଏ ଫୋନ୍‌ କଲ୍‌ । କେତେ ମିନିଟ୍‌ର କଥାବାର୍ତ୍ତା । ବାନ୍ଧି ଦେଲା ସମ୍ପର୍କର ଡୋରିରେ । ଗଢ଼ା ହେଲା ଭାଇ-ଭଉଣୀର ସମ୍ପର୍କ । ଏ କାହାଣୀ ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିବା ଜଣେ ମହିଳାଙ୍କର । ନାଁ ସସ୍ମିତା ବେହେରା । ପାଖରେ ୪ବର୍ଷ ପୁଅ । ଗାଁରେ ସାପ କାମୁଡ଼ାରେ ଆହତ ହୋଇ ଚିକିତ୍ସା ହେଉଛି ୯ବର୍ଷର ଝିଅ । ଗାଁରୁ ଘନ ଘନ ଫୋନ୍‌ ଆସୁଥାଏ । କିନ୍ତୁ ଲକ୍‌ଡାଉନ୍‌ ଯୋଗୁ ଆନ୍ଧ୍ରପ୍ରଦେଶରୁ ଆସିପାରୁନଥାନ୍ତି ସସ୍ମିତା । ଏପଟେ ଯେଉଁଠି କାମ କରିବାକୁ ଯାଇଥିଲେ ସେ ମାଲିକର ଅତ୍ୟାଚାର । ପ୍ରବଳ ମାଡ଼ । ଦେହରୁ ଛାଲ ଉତରି ଯାଇଛି । ଘର ବାହାରେ ପୁଅକୁ ଧରି ଓଡ଼ିଶା ଆସିବାକୁ ସାହାରା ଖୋଜୁଥାନ୍ତି ସସ୍ମିତା । ହେଲେ ତାଙ୍କୁ ସେଠି କିଏ ଚିହ୍ନେ?

{"id":284000,"sizeSlug":"large"}

ଟ୍ୱିଟ୍‌ରରୁ ଏ ଖବର ପାଇଲେ ଅଭିନେତା ସବ୍ୟସାଚୀ ମିଶ୍ର । ଲକ୍‌ଡାଉନ୍‌ରେ ବାହାରେ ଫସିଥିବା ପ୍ରବାସୀଙ୍କ ଫେରାଇ ଆଣିବା ଭଳି ତାଙ୍କୁ ଆଣିବାକୁ ବ୍ୟବସ୍ଥା କଲେ । ସସ୍ମିତା ସୋମବାର ଆସି ଗାଁରେ ପହଞ୍ଚିଲେ । କେବଳ ଫୋନ୍‌ରେ କଥା ହୋଇଥିବା ସସ୍ମିତା, ଯେତେବେଳେ ସବ୍ୟସାଚୀଙ୍କୁ ସାମ୍ନାରେ ଦେଖିଲେ କିଛି କହିବା ପୂର୍ବରୁ କାନ୍ଦି ପକାଇଲେ । କହିଲେ, ‘ଭାଇ ମତେ ନୂଆ ଜୀବନ ଦେଲ’ । ଭାଇ ଭାଇ ଡାକୁଥିଲି ତୁମେ ସେ ଋଣ ସୁଝି ମୋତେ ଋଣି କରିଦେଲ । ସବ୍ୟସାଚୀ ତାଙ୍କୁ ଖଣ୍ଡଗିରି ଛକରେ ଭେଟିବା ସହ କାର୍‌ରେ ତାଙ୍କୁ ବାପଘର ତିର୍ତ୍ତୋଲକୁ ପଠାଇଛନ୍ତି ।

ସବ୍ୟସାଚୀ କହିଛନ୍ତି, ଟ୍ୱିଟ୍‌ରରେ ଡ. ରିନା ରାଉତରାୟ ଓ ଡାଏନାଙ୍କ ଠାରୁ ଏ ଖବର ପାଇଲି । ସେଥିରେ ସସ୍ମିତା ଓ ତାଙ୍କ ପୁଅର ଏକ ଫଟୋ ସହ ହାତ ଲେଖା ଚିଠି ଖଣ୍ଡେ ଥିଲା । ଯାହାର ଶୀର୍ଷକ ଥିଲା ‘ମୋର ନମସ୍କାର’ ଆଉ ଶେଷ ଧାଡ଼ିଟି ଥିଲା ଆମେ ଦୁଇଜଣ କେମିତି ଯିବୁ । ଏହାପରେ ମୁଁ ଯୋଗାଯୋଗ କଲି । ମେ ୩୧ତାରିଖରେ ସସ୍ମିତାଙ୍କ ସହ କଥା ହେଲି । ସସ୍ମିତା କହିଲେ, ଭାଇ ମୋତେ ଉଦ୍ଧାର କର । ମାଲିକ ମୋତେ ମାଡ଼ ମାରୁଛି । ଘରକୁ ଆସି ଜିନିଷପତ୍ର ଫିଙ୍ଗି ଦେଇଛି । ପୁଲିସ୍‌କୁ ଡକାଇ ଧମକ, ଚମକ ଦେଇଛି । କହୁଛି ୨୦ହଜାର ଟଙ୍କା ନେଇଛୁ । ମୁଁ କିନ୍ତୁ ଟଙ୍କାଟିଏ ନେଇନି । ଓଲଟି ସେ ମୋ ଦରମା ଦେଇନି । ମୋତେ ଏଠୁ ଉଦ୍ଧାର କରନ୍ତୁ ନ ହେଲେ ସେ ମୋତେ ଏବଂ ମୋ ପୁଅ ସୂର୍ଯ୍ୟକାନ୍ତକୁ ମାରି ଦେବ । ଏହା ଶୁଣିଲା ପରେ ମୋତେ ଲାଗିଲା ମୁଁ ମୋ ଭଉଣୀକୁ ସାହାଯ୍ୟ କରୁଛି । ସଙ୍ଗେ ସଙ୍ଗେ ସହାୟତା ସ୍ୱରୂପ ଅଢ଼େଇ ହଜାର ଟଙ୍କା ପଠାଇଲି । ଭୁବନେଶ୍ୱରର ଏକ ଟ୍ରାଭେଲ ଏଜେନ୍ସିରୁ କାର୍‌ ଆଣି ନିଜ ଡ୍ରାଇଭର୍‌କୁ ପଠାଇ ତାଙ୍କୁ ଆଣିବାର ବ୍ୟବସ୍ଥା କଲି । ଗତ ୬ତାରିଖରେ ଏଠୁ କାର୍‌ ଗଲା ।

ସେହିଭିତରେ ସସ୍ମିତା ବାରମ୍ବାର ଫୋନ୍‌ କରୁଥାଏ ଏବଂ ପଚାରୁଥାଏ ଭାଇ, ଆପଣ ଠକୁନାହାନ୍ତି ତ । ସେ କୁଚୁପୁଡ଼ିରେ ରହୁଥିଲେ । ଯେଉଁଠିକୁ ଯୋଗାଯୋଗ ଏତେ ଉନ୍ନତ ନୁହେଁ । ତଥାପି ଗାଡ଼ି ତାଙ୍କ ପାଖରେ ପହଞ୍ଚିଲା । ମା’, ପୁଅ ଦୁହେଁ ଆସିଲେ । କିଛି ବାଟ ଗଲା ପରେ ସେ ଫୋନ୍‌ କଲା ଭାଇ, ମୁଁ ଭୁଲି ଯାଇଥିଲି । ଆମେ ଆସିଲୁ । ଆଜି ମୋ ଜନ୍ମଦିନ ଥିଲା । ଆଉ ସେହିଦିନରେ ମୋତେ ଆପଣ ଏ ଭଳି ସଙ୍କଟରୁ ଉଦ୍ଧାର କଲେ । ଯାହାକୁ ମୁଁ ଦୀର୍ଘ ଅଢ଼େଇମାସ କାଳ ଅପେକ୍ଷା କରି ରହିଥିଲି । ତା’ ଜନ୍ମଦିନ କଥା ଜାଣିବା ପରେ ଡ୍ରାଇଭରକୁ କହିଲି ସେ ତାକୁ ବାଟରେ କେକ୍‌ କିଣି ଦେଲା । ବାଟ ଯାକୁ ଫୋନ୍‌ କରି ବୁଝାଉଥାଏ ବ୍ୟସ୍ତ ହୁଅନା ଆଉ କମ୍‌ ସମୟରେ ପହଞ୍ଚିଯିବ ।  ସୋମବାର ଅର୍ଥାତ୍‌ ୮ତାରିଖ ଦିନ ଖଣ୍ଡଗିରି ଛକରେ ପହଞ୍ଚିବା ପରେ ସସ୍ମିତା କହିଲା, ଭାଇ ଯଦିଓ ତିର୍ତ୍ତୋଲରୁ ମୁଁ ରହୁଥିବା ଜାଗା ୯୦୦ କିଲୋମିଟର ଥିଲା କିନ୍ତୁ ଆସିବା ପାଇଁ ମୋ ପାଖରେ ଟଙ୍କା ନଥିଲା । ତୁମେ ପଠାଇଲ ବୋଲି ମା’-ପୁଅ କିଣିକି ଖାଇଲୁ । ଏଣେ ଝିଅକୁ ସାପ କାମୁଡ଼ିଛି । ତା’ ଅବସ୍ଥା କ’ଣ? ଭଗବାନ ଭରସା । କିଛିଦିନ ହେଲା ସ୍ୱାମୀ ପର କରି ଦେଲା । ଏବେ ପିଲାଙ୍କୁ ମଣିଷ କରିବାର ଦାୟିତ୍ୱ ମୋ ମୁଣ୍ଡରେ । ସେମାନଙ୍କୁ ବଞ୍ଚାଇବାକୁ ସଂଘର୍ଷ କରୁଛି । ସେଥିପାଇଁ ବାହାରକୁ କାମ କରିବାକୁ ଚାଲିଯାଇଥିଲି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.