ପୁରୀ ସମୁଦ୍ର କୂଳରେ ଭାସୁଛି ଶହ ଶହ ସଂଖ୍ୟାରେ ଅଲିଭ ରିଡ଼ଲେ କଇଁଛଙ୍କ ମୃତ ଦେହ
17/01/2020 at 5:57 PM

ପୁରୀ ୧୭।୦୧ – ପୁରୀ ସମୁଦ୍ର କୂଳରେ ଭାସୁଛି ଶହ ଶହ ସଂଖ୍ୟାରେ ଅଲିଭ ରିଡ଼ଲେ କଇଁଛଙ୍କ ମୃତ ଦେହ । କିଛି ଦିନ ହେଲା ବହୁ ସଂଖ୍ୟାରେ ଅଲିଭ ରିଡ଼ଲେଙ୍କ ମୃତ ଦେହ କୂଳରେ ଲାଗୁଛି । ଏହାକୁ ପୋତାଯାଉ ନଥିବାରୁ ସମୁଦ୍ରକୂଳ ପୂତିଗନ୍ଧମୟ ହେଉଛି । ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ବିଭାଗୀୟ ଅଧିକାରୀ କିନ୍ତୁ କହୁଛନ୍ତି ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ଆମେ ତତ୍ପର ।

ପୁରୀ ସମୁଦ୍ରରେ ଭାସୁଛି ଶହ ଶହ ଅଲିଭ ରିଡ଼ଲେଙ୍କ ମୃତ ଦେହ । କେଉଁଠି ପଚି ଶଢି ଦୁର୍ଗନ୍ଧ ହେଉଛି ତ କେଉଁଠି କୁକୁର ଝୁଣି ଖାଉଛି । ଏ ଦୃଶ୍ୟ ପୁରୀ ସ୍ବର୍ଗଦ୍ବାର ସମ୍ମୁଖର । ଶୁକ୍ରବାର ସକାଳୁ ସକାଳୁ ଶହ ଶହ ସଂଖ୍ୟାରେ କଇଁଛଙ୍କ ମୃତ ଦେହ ସମୁଦ୍ରରେ ଭାସୁଥିବା ଦେଖିବାକୁ ମିଳିଥିଲା । ପୂର୍ବରୁ ପଡିଥିବା ମୃତ ଦେହକୁ ପୋତା ଯାଉ ନଥିବାରୁ ପଚି ଶଢି ଦୁର୍ଗନ୍ଧ ହେଉଛି । ସ୍ବର୍ଣ୍ଣିଭ ବେଳାଭୂମିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଆସୁଥିବା ପର୍ଯ୍ୟଟକ ଏ ଦୃଶ୍ୟ ଦେଖି ନାକ ଟେକୁଛିନ୍ତି । କିଛି ପର୍ଯ୍ୟଟକ ମୃତ କଇଁଛଙ୍କ ସହ ସେଲଫି ବି ନେଉଛନ୍ତି।

ତେବେ କାହିଁକି ମରୁଛନ୍ତି ଏତେ ସଂଖ୍ୟାରେ ଅଲିଭ ରିଡଲେ ? ଲାଇଫ ଗାର୍ଡ଼ଙ୍କ କହିବା ଅନୁଯାୟୀ ଟ୍ରଲରରେ ମାଡରେ ଏ ସବୁ କଇଁଛଙ୍କ ମୃତ୍ୟୁ ହେଉଛି । ଅଣ୍ଡା ଦେବାକୁ କଇଁଛମାନେ କୂଳକୁ ଆସୁଥିବାରୁ ଟ୍ରଲର ମାଡରେ ଜୀବନ ହରାଉଛନ୍ତି । ସମୁଦ୍ରରେ ମାଛ ଧରିବା ପାଇଁ ପ୍ରଶାସନ ତରଫରୁ କଟକଣା ଲାଗୁ ହୋଇଥିବା ବେଳେ ମତ୍ସ୍ୟଜୀବୀ ନିୟମକୁ ଖୋଲା ଉଲଂଘନ କରୁଛନ୍ତି । ଜିଲ୍ଲା ସାମୁଦ୍ରିକ ମତ୍ସ ଅଧିକାରୀ କିନ୍ତୁ ଏହାକୁ ମାନିବାକୁ ନାରାଜ । ତାଙ୍କ କହିବା ଅନୁଯାୟୀ ମତ୍ସ୍ୟ, ଜଙ୍ଗଲ ଓ ମେରାଇନ ପୋଲିସ ସହାୟତାରେ କଡା ପାଟ୍ରୋଲିଂ ହେଉଛି ।
ପ୍ରତିବନ୍ଧକ ଲାଗୁ ସତ୍ବେ ସମୁଦ୍ରରେ ବେଆଇନ୍ ଭାବେ ଟ୍ରଲର ଚଳାଚଳ କରୁଥିବାରୁ ଅଲିଭ ରିଡ଼ଲଙ୍କ
ମୃତ୍ୟୁ ଘଟୁଛି। ଏହାକୁ ରୋକିବା ଦିଗରେ ପ୍ରଶାସନକୁ ଅଧିକ ତତ୍ପର ହେବାକୁ ପଡିବ । ତେବେବି ଏବେ ଉଠୁଛି ଅନେକ ପ୍ରଶ୍ନ ବାଚୀ
ମୃତ୍ୟୁ ପାଇଁ ଦାୟୀ କିଏ ?
ଅଲିଭ ରିଡ୍ଲେଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ?
ପୁରୀ ସମୁଦ୍ରରେ ଭାସୁଛି ଶହ ଶହ ମୃତ ଅଲିଭ ରିଡ୍ଲେ
ମୃତ ଦେହ ଝୁଣି ଖାଉଛି କୁକୁର
ମୃତ୍ୟୁ ପଛରେ ଟ୍ରଲର ମାଡ ନା କିଛି କାରଣ ?