ବିବାହରେ ସ୍ତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କରି ସମସ୍ତଙ୍କୁ ଚକିତ କରିଦେଲେ ସ୍ୱାମୀ, ଜାଣନ୍ତୁ କାହିଁକି...

Published By : Prameya-News7 Bureau | November 22, 2018 IST

ଉଦୟପୁର ୨୨/୧୧ : ହିନ୍ଦୁ ପରମ୍ପରାରେ ବିବାହର ଏକ ମହତ୍ୱ ରହିଛି | ପରମ୍ପରା ଅନୁଯାୟୀ ବିବାହ ଠିକ ହେବା ପରଠୁ ବିବାହ ପର୍ଯ୍ୟନ୍ତ ରୀତିନୀତି ଆରମ୍ଭ ହୋଇଯାଇଥାଏ | ଏହି ସବୁ ପରମ୍ପରା ଓ ରୀତିନୀତି ଅନୁସାରେ ଏମିତି କିଛି ରୀତିନୀତି ରହିଛି ଯାହାକି କେବଳ କନ୍ୟାକୁ କରିବାକୁ ପଡିଥାଏ | ସେହି ସମାନ ନୀତି ବର କଲେ ଏହାକୁ ନୀତି ବିରୁଦ୍ଧ ବୋଲି ବିଶ୍ୱାସ କରାଯାଇଥାଏ | ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଫ୍ୟାସନ ବ୍ଲଗର ଦୀପା ଖୋସଲା | ଦୀର୍ଘ ସମୟ ଧରି ସମ୍ପର୍କରେ ଥିବା ନିଜ ପୁରୁଷ ବନ୍ଧୁ ଓଲେଗ ବୁଲରଙ୍କ ସହ ସେ ଉଦୟପୁରରେ ବିବାହ କରିଛନ୍ତି | ତେବେ ଦୀପା ନିଜ ବିବାହରେ ଏହି ହିନ୍ଦୁ ପରମ୍ପରା କିଛିଟା ପରିବର୍ତ୍ତନ କରି ସମାଜକୁ ଏକ ଉଦାହରଣ ଦେଇଛନ୍ତି | ହିନ୍ଦୁ ପରମ୍ପରା ଅନୁଯାୟୀ ସ୍ତ୍ରୀ ସ୍ୱାମୀ ପାଦ ଛୁଇଁ ତାକୁ ପ୍ରଣାମ କରିଥାଏ | ଏଠି କିନ୍ତୁ ହୋଇଥିଲା କିଛିଟା ଭିନ୍ନ | ବିବାହ ପରେ ଉଭୟ ସ୍ୱାମୀ ସ୍ତ୍ରୀ ଉଭୟଙ୍କ ପାଦ ଛୁଇଁ ପରସ୍ପରକୁ ପ୍ରଣାମ କରିଥିଲେ | ଆପସ ବୁଝାମଣା ଓ ସମ୍ମାନ ପାଇଁ ନବ ଦମ୍ପତି ଏଭଳି କରିଥିଲେ | ଯେତେବେଳେ ଦୀପା ଘୋଷଣା କରିଥିଲେ ଯେ, ଓଲେଗ ମଧ୍ୟ ତାଙ୍କ ପାଦ ଛୁଇଁ ତାଙ୍କୁ ପ୍ରଣାମ କରିବେ ସେତେବେଳେ ଦୀପାଙ୍କ ମା ଏହାକୁ ବିରୋଧ କରି କହିଥିଲେ ଯେ, ବିବାହ ଉତ୍ସବରେ ଉପସ୍ଥିତ ଅତିଥି କଣ କହିବେ ? କେବଳ ଏତିକି ନୁହେଁ ଏହି ନବ ଦମ୍ପତି ନିଜ ନିଜ ଉପନାମ ମଧ୍ୟ ପରସ୍ପର ନାଁ ସହିତ ଯୋଡିଥିଲେ | ସ୍ୱାମୀ ଓଲେଗ ବୁଲର ଖୋସଲା ଏବଂ ସ୍ତ୍ରୀ ଦୀପା ବୁଲର ଖୋସଲା | ହିନ୍ଦୁ ପରମ୍ପରା ସହ ଏହି ଦମ୍ପତି ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ମଧ୍ୟ ବିବାହ କରିଥିଲେ | ଶୁଣିବାକୁ ଏସବୁ ପରି ଦୁନିଆର ଗପ ଭଳି ଲାଗୁଛି କିନ୍ତୁ ଦୀପାଙ୍କ ଏହି ପୋଷ୍ଟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି | ଉଭୟଙ୍କ ବିବାହ ଏକ ସୁନ୍ଦର ପ୍ରେମ, ସମ୍ପର୍କ, ସମ୍ମାନର ପ୍ରତୀକ | ପ୍ରତ୍ୟେକ ସମ୍ପର୍କରେ ଉଭୟ ସ୍ୱାମୀ ସ୍ତ୍ରୀ ସମାନ ଭାବେ ସମ୍ମାନର ଅଧିକାରୀ ହେବା ଉଚିତ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.