ଯେଉଁ ସଭ୍ୟତା କରିଥିଲା ପ୍ରଳୟର ଭବିଷ୍ୟବାଣୀ, ଏହାର ଇତିହାସର ମିଳିଲା ସବୁଠୁ ବଡ ପ୍ରମାଣ
5/06/2020 at 4:13 PM

ନୂଆଦିଲ୍ଲୀ ୦୫।୦୬: ଏମିତି ଏକ ସଭ୍ୟତା ରହିଛି ଯାହାର ପ୍ରତ୍ୟେକ ଭବିଷ୍ୟତବାଣୀ, କ୍ୟାଲେଣ୍ଡର ଓ ପିରାମିଡ୍ ସର୍ବଦା ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରତ୍ନତତ୍ତ୍ଵବିତ୍ ଏବେ ପୁଣି ଥରେ ସେହି ସଭ୍ୟତାର ସବୁଠୁ ପୁରୁଣା ଏବଂ ବଡ ସ୍ମାରକ ଆବିଷ୍କାର କରିଛନ୍ତି। ଏହି ସ୍ମାରକର ଏକ ଅଂଶ ଉପରକୁ ଉଠି ଆସିଛି ଏବଂ ଏହାର ଲମ୍ବ ୧.୪ କିଲୋମିଟର ରହିଛି। ଆସନ୍ତୁ ଜାଣିବା ଏହା ବିଷୟରେ…

ମାୟା ସଭ୍ୟତା ଯୁଗରେ ନିର୍ମିତ ଏହି ସ୍ମାରକକୁ ଅଗୁଆଡା ଫେନିକ୍ସ କୁହାଯାଏ। ପ୍ରତ୍ନତତ୍ତ୍ଵବିତ୍ଙ୍କ ଅନୁଯାୟୀ ମେକିସ୍କୋରେ ମିଳିଥିବା ଏହି ସ୍ମାରକକୁ ୧୦୦୦ ବିସିରେ ନିର୍ମାଣ କରାଯାଇଥିଲା। ଏହି ସ୍ମାରକ ଦକ୍ଷିଣ-ପୂର୍ବ ମେକ୍ସିକୋର ତବାସ୍କୋ ରାଜ୍ୟରେ ରହିଛି।

ମାୟା ସଭ୍ୟତା ନିଜର କ୍ୟାଲେଣ୍ଡର ଓ ପିରାମିଡ୍ ଲାଗି ପରିଚିତ ଅଟେ। ଏହା ସହିତ ମାୟା ସଭ୍ୟତାର ଲୋକ ଆମେରିକା ଓ ୟୁରୋପ ଦେଶରେ ଅନେକ ବଡ ବଡ ସହର ନିର୍ମାଣ କରିଥିବା କୁହାଯାଏ। ମାୟା ସଭ୍ୟତାର ବିଦ୍ଵାନଙ୍କୁ ଅନ୍ତରୀକ୍ଷ ବିଜ୍ଞାନ ମଧ୍ୟ କୁହାଯାଏ।

ମାତ୍ର ପୁରାତନ ସଭ୍ୟତା ପ୍ରାୟ ୮୦୦ ଖ୍ରୀଷ୍ଟାବ୍ଦରେ ସମାପ୍ତ ହୋଇ ଯାଇଥିଲା। ଏହି ସଭ୍ୟତାର କ୍ୟାଲେଣ୍ଡର ଅନୁଯାୟୀ ୨୦୧୨ରେ ପୃଥିବୀରେ ପ୍ରଳୟ ଆସିବାର ଭବିଷ୍ୟତବାଣୀ କରିଥିଲା।

ଟକ୍ସନ ସ୍ଥିତ ୟୁନିଭର୍ସିଟି ଅଫ ଏରିଜୋନାର ଡାନିଏଲ ତ୍ରିୟାଦାନ ଓ ଏହାର ସାଥୀ ଲିଡାର ଜ୍ଞାନ କୌଶଳ ଜରିଆରେ ଆବିଷ୍କାର କରିଥିବା ଏହି ସ୍ମାରକର ୩ଡି ନକ୍ସା ପ୍ରସ୍ତୁତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଭାରତରେ ମଧ୍ୟ ଲିଡାର ଜ୍ଞାନ କୌଶଳ ଜରିଆରେ ପୂରା ଗଙ୍ଗା ନଦୀର ୩ଡି ନକ୍ସା କରାଯାଉଛି।

ଡାନିଏଲ ତ୍ରିୟାଦାନ ଓ ଏହାର ସାଥୀ ସ୍ମାରକ ଆଖପାଖରେ ଏମିତି ୨୧ ସ୍ଥାନ ଚିହ୍ନଟ କରିଛନ୍ତି, ଯେଉଁଠି ମାୟା ସଭ୍ୟତାର ଅବଶେଷ ମିଳିଛି। ଡାନିଏଲଙ୍କ ଏହି ଟିମ୍ ଅବଶେଷର ଖନନ କାର୍ଯ୍ୟରେ ଜୁଟିଛନ୍ତି।

ଅଗୁଆଡା ଫେନିକ୍ସର ଲମ୍ବ ପ୍ରାୟ ୧୪୧୩ ମିଟର, ଓସାର ୩୯୯ ମିଟର ଏବଂ ଉଚ୍ଚତା ୧୦ ରୁ ୧୫ ମିଟର ହେବ। ଏହାର ଚାରିପଟେ ଛୋଟ ଛୋଟ ନିର୍ମାଣ ରହିଛି। ଅଗୁଆଡା ଫେନିକ୍ସର ନିର୍ମାଣ ଶୈଳୀକକୁ ଦେଖି ଏମିତି ଲାଗୁଛି ସେହି ସମୟରେ ସମାନତାର ଯୁଗ ଥିଲା। ଅର୍ଥାତ ସେହି ସମୟରେ ସମସ୍ତେ ସମାନ ଥିଲେ। କେହି ଛୋଟ କି ବଡ କିମ୍ବା ଗରିବ କି ଧନୀ ନଥିଲେ। ଅଗୁଆଡା ଫେନିକ୍ସକୁ ଦେଖି ଲାଗୁଛି ଏହି ସବୁ ପିରାମିଡ୍କୁ କେହି ଧନୀ ବ୍ୟକ୍ତି କରି ନାହାନ୍ତି।