ପୁଅକୁ ଅନାଇ ଛକରେ ବସିଛି ବୁଢି ମା’, କାନକୁ ଶୁଭୁନି ; ପୁଅ ଠକିଦେଇଛି ବୋଲି ବୁଝିବିପାରୁନି…

Published By : Prameya-News7 Bureau | October 22, 2020 IST

ବରଗଡ଼୨୨।୧୦: ମା’ଙ୍କୁ ଗାଡ଼ିରେ ଆଣି ଛକରେ ଛାଡ଼ିଦେଇ ପଳାଇ ଗଲେ ପୁଅ , ତଥାପି ବି ମା’ର ମନ ବୁଝୁନି। ପୁଅ ଅପେକ୍ଷାରେ ସକାଳୁ ସନ୍ଧ୍ୟା ଯାଏଁ ପୁଅର ଫେରିବା ବାଟକୁ ଅନେଇ ରହିଥିଲେ, ହେଲେ ବାହୁଡ଼ିଗଲା ପୁଅ ଆଉ ଫେରିଲାନି କି ମା’ କେମିତି ଅଛି ବୋଲି ଖୋଜଖବର ନେଲାନି। ପୁଅ ଚିନ୍ତାରେ କାନ୍ଦି କାନ୍ଦି ବେଦମ୍‌ ମା’ର ଦୁଃଖ ଓ ଅନବରତ ବୋହି ଚାଲିଥିବା ଅଶ୍ରୁପାତକୁ ଦେଖି ବାଟୋଇମାନେ ଯିଏ ଯେମିତି ପାରିଲା ବୁଝାଇବାକୁ ଚେଷ୍ଟା କରିଥିଲେ ବି ଅବୁଝା ମା’ର ମନ ମାନିନଥିଲା ଓଲଟା କାନ୍ଦି ଚାଲିଥିଲା । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ବରଗଡ଼ ଗୋଡ଼ଭଗା ଛକରେ।

ଛକରେ ଏକାକୀ ବସିଥିବା ମହିଳାଙ୍କ ଦୁଃଖକୁ ବେଶ ବୁଝିପାରିଥିବା କୋଶଲ ସେନାର ଜଣେ ସଦସ୍ୟ ଅବିନାଶ ଚନ୍ଦ୍ର ବିଶି ତୁରନ୍ତ ସଙ୍କଳ୍ପ ପରିବାର ସହ ସମ୍ପର୍କ ସ୍ଥାପନ କରିଥିଲେ । ସଙ୍କଳ୍ପ ପରିବାରର ଆବାହକ ବିକାଶ ଅଗ୍ରୱାଲଙ୍କ ନେତୃତ୍ୱରେ ଜି.ରମେଶ, ନିଧାନ ଦନ୍ତା ପ୍ରମୁଖ ସ୍ୱେଚ୍ଛାସେବୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ବୃଦ୍ଧା ଜଣକ ଭଲ ଭାବେ ଶୁଣି ପାରୁ ନଥିବାରୁ ଠିକ ଭାବେ ତାଙ୍କ ପରିଚୟ ଦେଇ ନପାରିବାରୁ କାଳ ବିଳମ୍ବ ନକରି ସ୍ୱେଚ୍ଛାସେବୀମାନେ ତାଙ୍କୁ ଉଦ୍ଧାର କରି ବରଗଡ଼ ଆଣିଥିଲେ। କେବଳ ପୁଅ ସହ ଚାରିଜଣ ସନ୍ତାନସନ୍ତତି ଅଛନ୍ତି ବୋଲି କହି ପାରୁଥିବା

ମହିଳା ଜଣକ କିଛି କହିପାରୁ ନଥିବାରୁ ଜିଲ୍ଲା ପ୍ରଶାସନଙ୍କ ପରାମର୍ଶାନୁଯାୟୀ, ମହିଳାଙ୍କୁ ବର୍ତ୍ତମାନ ପାଇଁ ଚକରକେନ୍ଦ ସ୍ଥିତ ମାତୃଛାୟା ବୃଦ୍ଧାଶ୍ରମକୁ ନେଇ ଥଇଥାନ କରିଥିଲେ । ବର୍ତ୍ତମାନ ସୁଦ୍ଧା ବୃଦ୍ଧାଙ୍କ ପରିଚୟ ମିଳିପାରି ନଥିଲେ ବି ଜନ୍ମକଲା ମା’କୁ ଘରୁ ବସ୍‌ରେ ଆଣି ଗୋଡ଼ଭଗା ଛକରେ ଏଭଳି ଛାଡ଼ି ଫେରାର ମାରିବା ଘଟଣାକୁ ଲୋକେ ଗ୍ରହଣ କରିପାରୁନାହାନ୍ତି। କହିବା ପୂର୍ବରୁ ହିଁ ମନର କଥା ପଢ଼ିପାରୁଥିବା ଜଣେ ମା’ଙ୍କ ଏଭଳି ଦୂରାବସ୍ଥା ଆଜିର ଶିକ୍ଷିତ ସମାଜ ପ୍ରତି ଉପହାସ ସଦୃଶ ହୋଇଥିବା ବେଳେ ସଂପୃକ୍ତ ବ୍ୟକ୍ତିଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯାଉ ଦାବି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.