ବନ୍ଦ ଘରୁ ମିଳିଲା ବୃଦ୍ଧାଙ୍କ ପୋକ ସାଲୁବାଲୁ ମୃତଦେହ, ଥାନାରେ ଏତଲା

Published By : Prameya-News7 Bureau | October 07, 2021 IST

ଉମରକୋଟ ୭।୧୦: ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଶିବାଜୀ ନଗରରୁ ଜଣେ ବୃଦ୍ଧାଙ୍କ ଗଳିତ ମୃତଦେହ ଉଦ୍ଧାର ହେଇଛି । ମୃତା ଜଣଙ୍କ ହେଉଛନ୍ତି କୁସୁମ ନାୟକ । ତାଙ୍କ ବୟସ ୮୨ ବର୍ଷ ।

ସୂଚନାଯୋଗ୍ୟ ଯେ, ସ୍ବାମୀଙ୍କ ମୃତ୍ୟୁ ପରେ ବଡ ପୁଅ ଓ ବୋହୂଙ୍କ ସହ ଉମରକୋଟ ସ୍ଥିତ ଶିବାଜୀ ନଗରରେ ରହୁଥିଲେ। ୬ ମାସ ତଳେ ତାଙ୍କ ବଡ଼ ପୁଅଙ୍କ ଦେହାନ୍ତ ହୋଇଯାଇଥିଲା । ଏହାପରେ ସେ ବଡ଼ ବୋହୂ ଓ ନାତି-ନାତୁଣୀଙ୍କ ସହ ସେହି ଘରେ ରହୁଥିଲେ। ବୁଧବାର ଦିନ କୁସୁମ ରହୁଥିବା କୋଠରୀରୁ ପଚା ଗନ୍ଧ ବାହାରିବାରୁ ତାଙ୍କ ବଡ ବୋହୂ ଦୁଇ ଦିଅରଙ୍କୁ ଖବର ଦେଇଥିଲେ। ସେମାନେ ପହଞ୍ଚିବା ପରେ ସେହି କୋଠରୀର କବାଟ ଖୋଲାଯାଇଥିଲା। ସେଠାରୁ କୁସୁମଙ୍କ ମୃତଦେହ ଉଦ୍ଧାର ହୋଇଛି । କୁସୁମଙ୍କ ଦେହ ଫୁଲିଯିବା ସହ ସେଥିରେ ପୋକ ମଧ୍ୟ ଲାଗିଯାଇଥିଲା । କୁସୁମଙ୍କ ସାନ ବୋହୂ ମନ୍ଦିରା ନାୟକ ଏନେଇ ଥାନାରେ ଏତଲା ଦେଇଛନ୍ତି । ଶାଶୁଙ୍କ ମୃତ୍ୟୁ କିପରି ଓ କେବେ ହେଲା ତାହାର ତଦନ୍ତ କରିବାକୁ ସେ ନିବେଦନ କରିଛନ୍ତି । ଉମରକୋଟ ପୋଲିସ ୮୬/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.