୮୦ ବର୍ଷର ବୃଦ୍ଧା ଯାଇଥିଲେ ଭତ୍ତା ପାଇଁ, ଚାଲିଗଲେ ଆରପାରିକୁ
15/11/2018 at 7:21 PM

ନୟାଗଡ ୧୫|୧୧: ବିଧବା ଭତ୍ତା ପାଇଁ ପଞ୍ଚାୟତ ଅଫିସ ଆସିଥିବା ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ପଟିଆମାଳ ପଞ୍ଚାୟତ ପଞ୍ଚାୟତ ଅଫିସରେ । ମୃତ ବୃଦ୍ଧା ରଣପୁର ବ୍ଲକ୍ ଜରିପଡା ଗାଁର ୮୦ବର୍ଷୀୟ ପ୍ରେମଲତା ଲେଙ୍କା ।
ସୂଚନା ଅନୁସାରେ ଆଜି ସକାଳେ ବିଧବା ଭତ୍ତା ଆଣିବାକୁ ପଞ୍ଚାୟତ ଅଫିସକୁ ଆସିଥିଲେ । ଭତ୍ତା ନେବା ପାଇଁ ଖରାରେ ଧାଡିରେ ବସିଥିଲେ ପ୍ରେମଲତା । ତାଙ୍କୁ ଭତ୍ତା ନେବାପାଇଁ ଦିନ ୧୨ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା । କିନ୍ତୁ ଗ୍ରାମସେବକ ଓ ପିଇଓଙ୍କର ଦେଖା ମିଳିନଥିଲା । ଫଳରେ ଶେଷରେ ସେହି ପଞ୍ଚାୟତ ଅଫିସରେ ହିଁ ଆଖି ବୁଜିଦେଲେ ପ୍ରେମଲତା । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ପିଇଓଙ୍କ ଦାୟିତ୍ବହୀନତା ଓ ନିର୍ଦ୍ଧିଷ୍ଟ ସମୟରେ ପଞ୍ଚାୟତକୁ ନଆସିବା ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଛି ବୋଲି ଅଭିଯୋଗ ହେଉଛି ।