ଯୋଡା ଆଶ୍ବିନ ହେଲା କାଳ : ମା’କୁ କିଏ ରଖିବ ଛକାପଞ୍ଝା ହେଲେ ଦୁଇ ପୁଅ, ଦାଣ୍ଡରେ ପଡିଛନ୍ତି ବୃଦ୍ଧା

Published By : Prameya-News7 Bureau | October 03, 2020 IST

ଗଞ୍ଜାମ ୩।୧୦: ପୁଅ ହେଲେ ଭଗାରୀ । ଜଣେ ୮୦ ବର୍ଷ ବୟସ୍କା ବୃଦ୍ଧା ମା’ ଚାରି ପୁଅର ଜନନୀ ହୋଇ ମଧ୍ୟ ଦାଣ୍ଡରେ ଭିକାରି ଭଳି ପଡି ରହିବା ଅତ୍ୟନ୍ତ ଲଜ୍ଜାଜନକ ଘଟଣା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ତୁମ୍ବା ଗ୍ରାମରେ । କଥାରେ ଅଛି ଜନନୀ ଜନ୍ମ ଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ । ଏହିଭଳି ଜନନୀକୁ ଯୋଡା ଆଶ୍ବିନ ମାସ କାଳ ସାଜିଛି ।

ସୂଚନାଯୋଗ୍ୟ ଯେ, ତୁମ୍ବା ଗ୍ରାମର ବାଇ ପାଢ଼ୀଙ୍କ ଚାରି ପୁଅ । ସେମାନଙ୍କ ମଧ୍ୟରୁ ଦୁଇ ପୁଅଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ପୁଅ ମାକୁ ମାସେ ଲେଖାଏଁ ରଖିବା ପାଇଁ ସ୍ଥିର କରିଥିଲେ । ପୂର୍ଣ୍ଣିମାକୁ ଅବଧି ଶେଷର ନିୟମ ରଖିଥିଲେ । ମାତ୍ର ସମ୍ପ୍ରତି ଯୋଡ଼ା ଆଶ୍ବିନ ମାସ ପଡ଼ିଛି । ତେବେ ଯୋଡ଼ା ଆଶ୍ୱିନ ମାସ ବୃଦ୍ଧା ମା କୁ ରଖିବାକୁ କେହି ରାଜି ହେଉନାହାନ୍ତି । ଫଳରେ ବୃଦ୍ଧା ଜଣଙ୍କ  ଶୁକ୍ରବାର ସନ୍ଧ୍ୟା ୬ଟା ସମୟରୁ  ରାଜରାସ୍ତାରେ ପଡି ରହିଥିଲେ । ରାତିରେ ଗ୍ରାମବାସୀ ହସ୍ତକ୍ଷେପ କରିଥିଲେ ।

ପୁଅ ଓ ବୋହୂଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ ଥିବା ବେଳେ କେହି ହେଲେ ଏହି ମାସରେ ମାକୁ ରଖିବାକୁ ରାଜି ହେଉନଥିବାରୁ ପୁଅ ଜନ୍ମ କରିବା ମା ପାଇଁ ଅଭିଶାପ ପାଲଟିଛି । ଏବେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାକୁ ଲାଗିଛି । ତେଣୁ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଏଥିରେ ହସ୍ତକ୍ଷେପ କରିବା ଆବଶ୍ୟକତା ରହିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.